ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ: ଆଇଏମଡି ଡିଜି

ରାଜ୍ୟ
Share

ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ହେବ କି ନାହିଁ ସେନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ନାହିଁ। ଲଘୁଚାପ ପରେ ବାତ୍ୟା ନେଇ ସ୍ପଷ୍ଟତା ଆସିବ। ଏହା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ ଆହୁରି କହିଛନ୍ତି, ଗତକାଲି ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସୂଚନା ଦିଆଯାଇଥିଲା, ଆଜି ତାହା କାୟମ ରହିଛି।ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଜଣାପଡିବ ଗତିପଥ ଓ ତୀବ୍ରତା।  ଦକ୍ଷିଣ ପୂର୍ବ ବଙ୍ଗୋପସାଗର ନିକଟସ୍ଥ ଅଞ୍ଚଳରେ ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୭ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହାପରେ ଧୀରେ ଧୀରେ ୮ତାରିଖ ବେଳକୁ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ତା’ ପରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରୁ ଧୀରେ ଧୀରେ ଉତ୍ତର ଆଡକୁ କେନ୍ଦ୍ରୀୟ ବଙ୍ଗୋପସାଗର ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ ଏହା ବାତ୍ୟାରେ ପରିଣତ ହୋଇପାରେ।

ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏହାର ଗତିପଥ କେଉଁଆଡେ ରହିବ ତୀବ୍ରତା କେତେ ରହିବ ଓ ଏହା କେଉଁ ଉପକୂଳ ଆଡକୁ ମୁହାଁଇବ ସେ ନେଇ ସ୍ପଷ୍ଟତା ଆସିବ। ପୂର୍ବରୁ ଯାହା କହିଥିଲୁ ସେହି ତଥ୍ୟରେ ବଜାୟ ରହିଛୁ। ଏପ୍ରିଲ, ମେ’, ଜୁନ୍ ଓ ଅକ୍ଟୋବର, ନଭେମ୍ବର, ଡିସେମ୍ବରରେ ବାତ୍ୟା ସୃଷ୍ଟି ହୋଇଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ପାଖାପାଖି ୫ଟି ବାତ୍ୟା ସୃଷ୍ଟି ହୋଇଥାଏ। ବଙ୍ଗୋପସାଗରରେ ଅଧିକ  ଓ ଆରବ ସାଗରରେ କମ୍ ହୋଇଥାଏ। ଖରାଦିନରେ ଗୋଟିଏରୁ ଦୁଇଟି ବାତ୍ୟା ସୃଷ୍ଟି ହୋଇଥାଏ। ମେ’ ମାସରେ ବାତ୍ୟା ସୃଷ୍ଟି ହେବାର ଅଧିକ ସମ୍ଭାବନା ଥାଏ।

ଏହା କିଛି ନୂଆ କଥା ନୁହଁ, ଆଗରୁ ମଧ୍ୟ ଖରାଦିନରେ ବାତ୍ୟା ସୃଷ୍ଟି ହୋଇଛି। ଖରାଦିନିଆ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିଛି। କିନ୍ତୁ ତାର ଅର୍ଥ ନୁହଁ ସବୁ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ। ବାତ୍ୟା କେଉଁ ଆଡକୁ ଯିବ, ବର୍ତମାନ ଯାଏଁ ଏଭଳି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।  ବାତ୍ୟା ସୃଷ୍ଟି ହେଲା ପରେ ଜଣାପଡ଼ିବ। ପ୍ରଥମେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉ, ତା ପରେ ସ୍ପଷ୍ଟତା ଆସିବ ଯେ ଏହା କେଉଁ ଆଡ଼କୁ ଯିବ ଏବଂ କ’ଣ ପ୍ରଭାବ ପକାଇବ, କେଉଁ ଅଞ୍ଚଳ ଉପରେ ରହିବ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *