ବିଡ଼ାବିଡ଼ା ଟଙ୍କା ଭାସୁଥିବା ଦେଖି ନାଳକୁ ଡେଇଁ ପଡ଼ିଲେ ଲୋକେ: ଭିଡିଓ ଭାଇରାଲ

ଦେଶବିଦେଶ
Share

ନୂଆଦିଲ୍ଲୀ: ସାସାରାମ (ବିହାର)ର ମୁଫସ୍ସିଲ ଥାନା ଅଧୀନସ୍ଥ ମୁରାଦାବାଦ ନିକଟରେ ଥିବା ଏକ ନାଳରେ ବିପୁଳ ମାତ୍ରାରେ ଟଙ୍କା ବିଡ଼ା ଭାସୁଥିବାର ସୂଚନା ମିଳିଥିଲା। ଏହି ସୂଚନା ମିଳିବା ମାତ୍ରେ ନାଳକୁ ଶହଶହ ଲୋକ ଡେଇଁ ପଡ଼ି ଟଙ୍କା ଗୋଟାଇବାକୁ ଲାଗିଥିଲେ। ଯିଏ ଯେତେ ଟଙ୍କା ଗୋଟାଇ ପାରିଲା ସେ ସବୁକୁ ବ୍ୟାଗରେ ଭର୍ତ୍ତି କରି ନେଇ ଚାଲିଗଲେ ଲୋକେ। ତେବେ ପାଣିରେ ଭାସୁଥିବା ଟଙ୍କା ମଧ୍ୟରୁ ଅଧିକାଂଶ ୧୦ଟଙ୍କିଆ ଓ ୧୦୦ଟଙ୍କିଆ ବିଡ଼ା ରହିଥିଲା ବୋଲି ଜଣାପଡ଼ିଛି।
ନାଳକୁ ଓହ୍ଲାଇ ଟଙ୍କା ଗୋଟାଉଥିବା ଲୋକଙ୍କ ଭିଡିଓକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ରେକର୍ଡ କରି ନେଇଥିଲେ। ପରେ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନକୁ ସିଜ କରି ଦେଇଥିଲା। ଏଥିସହିତ ଲୋକଙ୍କୁ ନାଳରୁ ଉଠି ଯିବାକୁ କହିଥିଲା। ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି। ଯାଞ୍ଚ ପରେ ହିଁ ଏହି ଘଟଣା ପଛର କାରଣ କ’ଣ ତାହା ଜଣାପଡ଼ିବ।
ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ଦେଖି ଲୋକେ ପ୍ରଶ୍ନ କରିଛନ୍ତି କି, ଏହି ଟଙ୍କା କେଉଁଠାରୁ ଆସିଲା? କିଏ ଏହି ଟଙ୍କାକୁ ନଳାରେ ଭସାଇ ଦେଲା? ଏହି ଟଙ୍କା ଅସଲି ନା ନକଲି?
ତେବେ ଏସବୁ ପ୍ରଶ୍ନର ଉତ୍ତର ଯାଞ୍ଚ ପରେ ହିଁ ସ୍ପଷ୍ଟ ହୋଇପାରିବ। ଏହା ଗୁଜବ ବି ହୋଇପାରେ। ନଳାରେ ଭାସୁଥିବା ଟଙ୍କା ନକଲି ବି ହୋଇପାରେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *