କାଲେହେ: କେନ୍ଦ୍ରୀୟ ଆଫ୍ରିକୀୟ ଦେଶ କଙ୍ଗୋର ପୂର୍ବାଞ୍ଚଳରେ ଭୀଷଣ ବୃଷ୍ଟିପାତଜନିତ ଆକସ୍ମିକ ବନ୍ୟା ଏବଂ ପାହାଡ଼ସ୍ଖଳନଜନିତ ମୃତ୍ୟୁସଂଖ୍ୟ ୨୦୦ ଅତିକ୍ରମ କରିଯାଇଥିବା କଥା ଦକ୍ଷିଣ କିବୁ ପ୍ରଦେଶର ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।
କାଲେହେର ପ୍ରଶାସକ ଟୋମାସ୍ ବ୍ୟାଙ୍କେଜ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଶନିବାରସୁଦ୍ଧା ୨୦୩ଟି ଶବ ଉଦ୍ଧାର କରାଯାଇଛି। ନିଖୋଜ ହୋଇଯାଇଥିବା ଆହୁରି ଅନେକଙ୍କୁ ଠାବ କରିବା ଲାଗି ଉଦ୍ୟମ ଜାରି ରହିଛି।
ଶହ ଶହ ଘର ଭାସି ଯାଇଥିବା ନ୍ୟାମୁକୁବି ଗାଁରେ ଉଦ୍ଧାରକାରୀମାନେ ଶନିବାର ଦିନ ଶବ ସନ୍ଧାନ ନିମନ୍ତେ କାଦୁଅ ଏବଂ ଭଙ୍ଗାରୁଜା ଘରମାନଙ୍କରେ ତଲାସ କରୁଥିଲେ।
ଗୁରୁବାର ଦିନ ଦକ୍ଷିଣ କିବୁ ପ୍ରଦେଶର କାଲେହେ ଅଞ୍ଚଳରେ ପ୍ରବଳ ବର୍ଷା ହେବାରୁ ନଦୀ ସବୁ କୂଳଲଙ୍ଘି ବୁଶୁଶୁ ଏବଂ ନ୍ୟାମୁକୁବି ଗାଁ’କୁ ବନ୍ୟାପ୍ଳାବିତ କରିଥିଲା। ଗୁରୁବାର ଦିନ ନ୍ୟାମୁକୁବିରେ ସାପ୍ତହିକ ହାଟ ବସିଥିବା ବେଳେ ପାହାଡ଼ ଧସି ପଡ଼ିବାରୁ ଅନେକ ଲୋକ ପୋତି ହୋଇପଡ଼ିଥିଲେ।
ପ୍ରବଳ ବର୍ଷା ଯୋଗୁଁ ନଦୀ ସବୁ କୂଳଲଙ୍ଘିବାରୁ ଅନେକ ଗାଁରେ ବନ୍ୟା ଜଳ ପ୍ରବେଶ କରି ଘରଦ୍ବାର ଭସାଇ ନେବା ସହିତ ଜମିବାଡ଼ି ନଷ୍ଟ କରିପକାଇଛି।
ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ଦୁର୍ବିପାକର ବ୍ୟବଧାନ ଓ ତୀବ୍ରତା ବୃଦ୍ଧି ପାଉଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।