ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀଙ୍କ ନାମ ଉପରେ ଆଲୋଚନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। କର୍ଣ୍ଣାଟକ ବିଜୟ ପାଇଁ କଂଗ୍ରେସ ଉତ୍ସବ ମନାଉଥିବା ବେଳେ ଦୁଇ ପ୍ରମୁଖ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଓ କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାରଙ୍କ ମଧ୍ୟରେ ଦ୍ବନ୍ଦ୍ବ ଲାଗିଛି- କିଏ ହେବ ରାଜ୍ୟର ମୁଖ୍ୟମନ୍ତ୍ରୀ। ଉଭୟ ନେତାଙ୍କର ମୁଖ୍ୟମନ୍ତ୍ରୀ ହେବାର ଉଚ୍ଚାଭିଳାଷ ରହିଛି। ଗତକାଲି ୬୧ ବର୍ଷୀୟ ଶିବକୁମାର କହିଥିଲେ ଯେ ସେ ଗାନ୍ଧି ପରିବାରକୁ ଦଳକୁ ବିଜୟୀ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ଦେଲା ପରେ ସେ ତିନିବର୍ଷ ଶୋଇ ନ ଥିବା ପ୍ରକାଶ କରିଛନ୍ତି। ସୋନିଆ ଗାନ୍ଧି ତାଙ୍କୁ ଜେଲରେ ଭେଟିବା କଥା ସେ ଭୁଲିପାରିବେ ନାହିଁ ବୋଲି କହି ଶିବକୁମାର ଭାବପ୍ରବଣ ହୋଇଯାଇଥିଲେ।
ଅନ୍ୟପଟେ ୭୫ ବର୍ଷୀୟ ସିଦ୍ଧରମେୟା ବାରମ୍ବାର କହି ଆସୁଛନ୍ତି ଯେ, ଏହା ହେଉଛି ତାଙ୍କ ଜୀବନର ଶେଷ ନିର୍ବାଚନ। କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି ସେ ଆଶା ରଖିଛନ୍ତି। ରାଜ୍ୟ ହିତରେ ତାଙ୍କ ବାପା ମୁଖ୍ୟମନ୍ତ୍ରୀ ହେବା ଉଚିତ ବୋଲି ସିଦ୍ଧରମେୟାଙ୍କ ପୁଅ ୟତୀନ୍ଦ୍ର ସିଦ୍ଧରମେୟା ମଧ୍ୟ କହିଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେଲେ ବିଜେପିର କୁଶାସନ ଓ ଦୁର୍ନୀତି ଦୂର କରିପାରିବେ ବୋଲି ୟତୀନ୍ଦ୍ର କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶିବକୁମାର ଓ ସିଦ୍ଧରମେୟାଙ୍କ ମଧ୍ୟରେ ବିବାଦ ଚାଲିଥିବାର ଚର୍ଚ୍ଚା ଜୋର ଧରିଥିବାବେଳେ ଡିକେ ଶିବକୁମାର କହିଛନ୍ତି ଯେ ସିଦ୍ଧରମେୟାଙ୍କ ସହ ମୋର କିଛି ମତଭେଦ ଅଛି ବୋଲି ଯାହା କୁହାଯାଉଛି ତାହା ମିଛ | ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆମ ମଧ୍ୟରେ କୌଣସି ମତଭେଦ ନାହିଁ। ଅନେକ ଥର ମୁଁ ପାର୍ଟି ପାଇଁ ତ୍ୟାଗ କରିଛି ଏବଂ ସିଦ୍ଧରମେୟାଙ୍କ ସହିତ ଛିଡା ହୋଇଛି | ତେବେ ସିଦ୍ଧରମେୟାଙ୍କ ପୁଅ ଦେଇଥିବା ମନ୍ତବ୍ୟ ଉପରେ ଶିବକୁମାର ଶନିବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶିବକୁମାର କହିଥିଲେ ଯେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା କେବଳ ହାଇକମାଣ୍ଡ ସ୍ଥିର କରିବେ |