ଭୁବନେଶ୍ବର: ପୁରୀ ଓ କଟକ ରେଳଷ୍ଟେସନର ନବକଳେବର ହେବ। ଏହି ଦୁଇଟି ରେଳଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିବ। ଯାତ୍ରୀ ପ୍ରତୀକ୍ଷାଗାର, ଶୌଚାଳୟ, ଟିକେଟ କାଉଣ୍ଟର, ସ୍ବଚ୍ଛତା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୧୮ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ଉଭୟ ପୁରୀ ଓ କଟକ ରେଳଷ୍ଟେସନ ନବୀକରଣ ପାଇଁ ଶିଳାନ୍ୟାସ କରିବେ। ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ୨ଟି ଷ୍ଟେସନର ଶିଳାନ୍ୟାସ ଭର୍ଚୁଆଲ ମାଧ୍ୟମରେ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ରହିବେ।
ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଓଡ଼ିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଏହା ଅପରେଟିଂ ଏବଂ ରକ୍ଷଣାବେକ୍ଷଣ ମୂଲ୍ୟ ହ୍ରାସ କରିବ ଏବଂ ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ର୍ନିଭରଶୀଳତା ହ୍ରାସ କରିବ। ସମ୍ବଲପୁର-ଟିଟିଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ-ସୁକିନ୍ଦା ମଧ୍ୟରେ ଏକ ନୂତନ ବ୍ରଡ ଗଜ ରେଳ ଲାଇନ, ମନୋହରପୁର-ରାଉରକେଲା-ଝାରସୁଗୁଡା-ଜାମଗା ମଧ୍ୟରେ ତୃତୀୟ ଲାଇନ୍ ଏବଂ ବିଛୁପାଲି -ଝାରତରଭା ମଧ୍ୟରେ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ କରିବେ। ଓଡ଼ିଶାର ଇସ୍ପାତ ଏବଂ ଖଣି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ହେତୁ ଏଗୁଡିକ ବର୍ଦ୍ଧିତ ପରିବହନ ଚାହିଦା ପୂରଣ କରିବ ଏବଂ ଏହି ରେଳ ସେକ୍ସନରେ ଯାତ୍ରୀ ପରିବହନ ଉପରେ ଚାପକୁ ମଧ୍ୟ ହ୍ରାସ କରିବାରେ ସାହାଯ୍ୟ କରିବ।
କଟକ ରେଳଷ୍ଟେସନଦିନକ ପରେ (୨୦୨୩ ମେ’ ୧୮) ବହୁ ପ୍ରତୀକ୍ଷିତ ହାୱଡ଼ା-ପୁରୀ-ହାଓଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ୍’ ଉଦ୍ଘାଟନ ହେବ। ଦେଶର ଅନ୍ୟତମ ଦ୍ରୁତଗାମୀ ଟ୍ରେନ୍ ପ୍ରଥମ ଥର ପାଇଁ ଓଡ଼ିଶାରୁ ଚଳାଚଳ କରିବାକୁ ଯାଉଥିବାରୁ ଯାତ୍ରୀଙ୍କ ମନରେ ଉତ୍ସାହ ଦେଖାଯାଇଛି। ଯେଉଁ ଯାତ୍ରୀମାନେ ଅନେକ ସମୟରେ ହାଓଡ଼ା ଯାତ୍ରା କରୁଛନ୍ତି, ସେମାନଙ୍କର ଖୁସି ଦୁଇଗୁଣ ବଢ଼ିଯାଇଛି। ଏହି ଟ୍ରେନ୍ର ଉଦ୍ଘାଟନ ନେଇ ଭାରତୀୟ ରେଳବାଇ ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ରେଳବାଇ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଟ୍ରେନ୍ ନମ୍ବର ୨୨୮୯୫ (ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍) ହାଓଡ଼ା ଠାରୁ ସକାଳ ୬ଟା ୧୦ରୁ ବାହାରି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ଟା ୪୦, ଯାଜପୁର-କେନ୍ଦୁଝରରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦ ଓ ଖୋର୍ଦ୍ଧାରୋଡରେ ୧୧ଟା ୪୨ ମିନିଟରେ ପହଞ୍ଚିବ।
ସେହିପରି ଟ୍ରେନ୍ ନମ୍ବର ୨୨୮୯୬ (ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍) ୫୦୨ କିଲୋମିଟର ଗତି କରିବା ପାଇଁ ପୁରୀରୁ ଅପରାହ୍ଣ ୧ଟା ୫୦ରେ ଯାତ୍ରା ଆରମ୍ଭ କରିବ। ଖୋର୍ଦ୍ଧାରୋଡରେ ୨ଟା ୨୩, ଭୁବନେଶ୍ବରରେ ୨ଟା ୪୫, ଯାଜପୁର-କେନ୍ଦୁଝରରୋଡରେ ୪ଟା ୩, ଭଦ୍ରକରେ ୪ଟା ୩୩, ବାଲେଶ୍ବରରେ ୫ଟା ୧୩ ଓ ଖଡ଼ଗପୁରରେ ୬ଟା ୪୨ରେ ପହଞ୍ଚିବ। ଉଭୟ ଅପ୍ ଓ ଡାଉନ୍ ଟ୍ରେନ୍ ଭୁବନେଶ୍ବର ଷ୍ଟେସନରେ ୪ ମିନିଟ ଓ ଅନ୍ୟ ଷ୍ଟେସନଗୁଡ଼ିକରେ ୨ ମିନିଟ ଲେଖାଏଁ ଅଟକିବ। ଗୁରୁବାର ବ୍ୟତୀତ ସପ୍ତାହର ଅନ୍ୟ ୬ ଦିନ ଏହି ଟ୍ରେନ୍ ନିୟମିତ ଭାବେ ଚାଲିବ।