ମାଦ୍ରିଦ୍ : ସ୍ପେନର ରାଜଧାନୀ ମାଦ୍ରିଦଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ଜରଗୋଜା ଏୟାରବେସରେ ଏକ ଏଫ୍/ଏ-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଏହାର ଏକ ଭିଡିଓ ଟ୍ୱିଟରରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି ଯେ ଲଢୁଆ ବିମାନଟି ଖସିପଡ଼ିବା ପରେ ସେଥିରେ ବଡ଼ ବିସ୍ଫୋରଣ ହେଉଛି ।
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଆମେରିକା ନିର୍ମିତ ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ବହୁତ ଉଚ୍ଚତାରୁ ଏୟାରବେସ୍ ଆଡ଼କୁ ଦ୍ରୁତ ଗତିରେ ଆସୁଛି । କିନ୍ତୁ ଅବତରଣ ପୂର୍ବରୁ ପାଇଲଟ୍ ବିମାନ ଉପରୁ ନିୟନ୍ତ୍ରଣ ହରାଇଦେଉଛନ୍ତି ଓ ତାହା ଦ୍ରୁତ ଗତିରେ ଖସିପଡ଼ୁଛି ଓ ତାପରେ ବଡ଼ ବିସ୍ଫୋରଣ ହେଉଛି ।
ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ ବିମାନର ପାଇଲଟ୍ ଦୁର୍ଘଟଣା ପୂର୍ବରୁ ବାହାରିଯାଇଥିଲେ ଓ ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ଏବେ ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ।
ଜରାଗୋଜା ଏୟାରବେସ୍ ସହରଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଅବସ୍ଥିତ । ଏହା ସ୍ପେନର ବାୟୁ ଓ ମହାକାଶ ବାହିନୀର ଅଧୀନରେ ରହିଛି। ସ୍ପେନର ପବ୍ଲିକ ନ୍ୟୁଜ୍ ଏଜେନ୍ସି ଇଏଫ୍ଇ ରିପୋର୍ଟ ଅନୁଯାୟୀ, ଏହି ଲଢୁଆ ବିମାନ ଏକ ଉଡ଼ାଣ ପ୍ରଦର୍ଶନୀ ପାଇଁ ପ୍ରଶିକ୍ଷଣ ନେଉଥିବା ବେଳେ ଏହି ଘଟଣା ଘଟିଥିଲା।