ସିଦ୍ଦରମେୟା ସରକାରଙ୍କୁ ସମାଲୋଚନା କରି ପୋଷ୍ଟ୍‌ ସେୟାର୍ କରିବାର ଅଳ୍ପ ସମୟ ପରେ ନିଲମ୍ବନ ହେଲେ କର୍ଣ୍ଣାଟକ ସ୍କୁଲ୍‌ ଶିକ୍ଷକ

ଦେଶବିଦେଶ
Share

ବେଙ୍ଗାଲୁରୁ: ନବଗଠିତ ସିଦ୍ଦରମେୟା ସରକାରଙ୍କୁ ସମାଲୋଚନା କରିବା ଅଭିଯୋଗରେ ରବିବାର ଦିନ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଜଣେ ସରକାରୀ ସ୍କୁଲ୍‌ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି।
ଚିତ୍ରଦୁର୍ଗର ହୋସଦୁର୍ଗସ୍ଥିତ କାନୁବେନ୍ନାହାଲ୍ଲି ସରକାରୀ ସ୍କୁଲ୍‌ରେ ଶିକ୍ଷକ ଥିବା ଶାନ୍ତମୂର୍ତ୍ତି ଏମ୍.ଜି. ରାଜ୍ୟ ସରକାର ଏବଂ ତା’ର ମାଗଣା ଉପହାରକୁ ସମାଲୋଚନା କରିଥିଲେ।
‘ଫେସ୍‌ବୁକ୍‌’ ପୋଷ୍ଟ୍‌ରେ ଶାନ୍ତମୂର୍ତ୍ତି କହିଥିଲେ, ମାଗଣା ଉପହାର ନ ଦେଇ ଆପଣ ଆଉ କ’ଣ ବା କରିପାରି ଥାଆନ୍ତେ। ଭିନ୍ନ ଭିନ୍ନ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳରେ ହୋଇଥିବା ଋଣ ପରିମାଣ କଥା ମଧ୍ୟ ଏହି ସ୍କୁଲ୍‌ ଶିକ୍ଷକ ତାଙ୍କ ପୋଷ୍ଟ୍‌ରେ ଉଲ୍ଲେଖ କରିଥିଲେ।

ସେ ଲେଖିଥିଲେ: ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌. କ୍ରିଷ୍ଣାଙ୍କ ସମୟରେ ଋଣ ପରିମାଣ ଥିଲା ୩,୫୯୦ କୋଟି ଟଙ୍କା, ଧରମ ସିଂହଙ୍କ ସମୟରେ ୧୫,୬୩୫ କୋଟି ଟଙ୍କା, ଏଚ୍‌. ଡି. କୁମାରସ୍ବାମୀଙ୍କ ସମୟରେ ୩,୫୪୫ କୋଟି ଟଙ୍କା, ବି.ଏସ୍‌. ୟେଦ୍ଦିୟୁରପ୍ପାଙ୍କ ସମୟରେ ୨୫,୬୫୩ କ‌ୋଟି ଟଙ୍କା, ଡି. ଭି. ସଦାନନ୍ଦ ଗୌଡ଼ାଙ୍କ ସମୟରେ ୯,୪୬୪ କୋଟି ଟଙ୍କା, ଜଗଦୀଶ ଶେଟ୍ଟାର୍‌ଙ୍କ ସମୟରେ ୧୩,୪୬୪ କୋଟି ଟଙ୍କା ଏବଂ ସିଦ୍ଦରମେୟାଙ୍କ ସମୟରେ ୨,୪୨,୦୦୦ ‌କୋଟି ଟଙ୍କା।

ଫିଲ୍‌ଡ୍‌ ଏଜୁକେସନ୍‌ ଅଫିସର୍‌ ଏଲ୍‌. ଜୟାପ୍ପା ଶନିବାର ଦିନ ଉକ୍ତ ଶିକ୍ଷକଙ୍କ ନିଲମ୍ବନ ଆଦେଶ ଜାରି କରିଛନ୍ତି। ଏଥିରେ ଉଲ୍ଲେଖ ଅଛି, ଶନିବାର ଦିନ ନୂଆ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ଶପଥ ଗ୍ରହଣ କରୁଥିବା ବେଳେ ନିଲମ୍ବିତ ସ୍କୁଲ୍‌ ଶିକ୍ଷକ ଶାନ୍ତମୂର୍ତ୍ତି ପୂର୍ବତନ ସରକାରମାନଙ୍କ ସମୟରେ ହୋଇଥିବା ଋଣ ପରିମାଣ ଉଲ୍ଲେଖ କରି ସରକାରୀ ଚାକିରି ନିୟମ ଉଲ୍ଲଂଘନ କରିଛନ୍ତି।

Leave a Reply

Your email address will not be published. Required fields are marked *