ଭୋଟର ତାଲିକା ସହ ଯୋଡ଼ାଯିବ ଜନ୍ମ-ମୃତ୍ୟୁ ତଥ୍ୟ, ସରକାର ଆଣିବେ ବିଲ୍

ଦେଶବିଦେଶ
Share

ନୂଆଦିଲ୍ଲୀ : ଭୋଟର ତାଲିକା ଏବଂ ଅନ୍ୟାନ୍ୟ ଉନ୍ନୟନ ମୂଳକ ପ୍ରକଳ୍ପରେ ଜନ୍ମ ଓ ମୃତ୍ୟୁ ସଂଖ୍ୟା ଯୋଡିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାର ସଙ୍କେତ ଦେଇଛନ୍ତି। ଜନ୍ମ ଓ ମୃତ୍ୟୁ ସମ୍ପର୍କିତ ତଥ୍ୟକୁ ଭୋଟର ତାଲିକା ଏବଂ ସାମଗ୍ରିକ ବିକାଶ ପ୍ରକ୍ରିୟା ସହ ଯୋଡ଼ିବା ପାଇଁ ସରକାର ସଂସଦରେ ଏକ ବିଲ୍ ଆଣିବାକୁ ଯୋଜନା କରୁଛନ୍ତି ବୋଲି ସେ ସୋମବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି ।
ରେଜିଷ୍ଟ୍ରାର ଜେନେରାଲ ଓ ଜନଗଣନା କମିଶନରଙ୍କ କାର୍ଯ୍ୟାଳୟ ‘ଜନଗଣନା ଭବନ’କୁ ଉଦଘାଟନ କରିବା ଅବସରରେ ଅମିତ ଶାହା ଏହା କହିଛନ୍ତି। ଜନଗଣନା ହେଉଛି ଏକ ପ୍ରକ୍ରିୟା ଯାହା ବିକାଶ ଏଜେଣ୍ଡାର ଆଧାର ହୋଇପାରିବ ।
ଅମିତ ଶାହା କହିଛନ୍ତି ଯେ ସମ୍ପୂର୍ଣ୍ଣ ଡିଜିଟାଲ ଏବଂ ସଠିକ ଜନଗଣନା ତଥ୍ୟ ବହୁମୁଖୀ ଫାଇଦା ଦେବ। ଏଭଳି ଜନଗଣନା ଦ୍ବାରା ଗରିବ ଙ୍କ ପାଖରେ ଉନ୍ନୟନ ମୂଳକ ଯୋଜନା ପହଞ୍ଚାଇବା ସହଜ ହେବ। ଯଦି ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ରର ତଥ୍ୟକୁ ସ୍ୱତନ୍ତ୍ର ଢଙ୍ଗରେ ସଂରକ୍ଷିତ ରଖାଯାଏ, ତେବେ ଉନ୍ନୟନ ମୂଳକ କାର୍ଯ୍ୟକୁ ସଠିକ ଭାବେ ଯୋଜନା କରାଯାଇପାରିବ।

ସେ କହିଛନ୍ତି ଯେ ଭୋଟର ତାଲିକା ସହ ଜନ୍ମ ଓ ମୃତ୍ୟୁ ସଂପର୍କିତ ତଥ୍ୟ ଯୋଡି ହେଲେ ଜଣେ ବ୍ୟକ୍ତିଙ୍କ ବୟସ ୧୮ ବର୍ଷ ହେବା ପରେ ତାଙ୍କ ନାମ ଆପେ ଆପେ ଭୋଟର ତାଲିକାରେ ଯୋଡି ହୋଇଯିବ । ସେହିଭଳି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ତାଙ୍କ ନାମ ଆପେ ଆପେ ନିର୍ବାଚନ କମିଶନଙ୍କ ନିକଟରେ ପହଂଚିଯିବ, ଯାହାଦ୍ୱାରା ନିର୍ବାଚନ କମିଶନ ଭୋଟର ତାଲିକାରୁ ବ୍ୟକ୍ତିଙ୍କ ନାମ ହଟାଇବା ପ୍ରକ୍ରିୟା ଆରମ୍ଭ କରିପାରିବେ ।

Leave a Reply

Your email address will not be published. Required fields are marked *