ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ନାହିଁ ସ୍ବତନ୍ତ୍ର ଡାଏଲିସିସ୍ ସୁବିଧା

ରାଜ୍ୟ
Share

ଭୁବନେଶ୍ବର : ରାଜ୍ୟ ସରକାର କିଛି ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀଙ୍କୁ ମାଗଣାରେ ଡାଏଲିସିସ୍ ସୁବିଧା ଦିଆଯାଉଛି। ଅଧିକାଂଶ ଚିକିତ୍ସାଳୟରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ନାହିଁ। ପ୍ରଶ୍ନ ଉଠୁଛି, ଯେଉଁ ମେସିନ୍‌ରେ ଅନ୍ୟମାନେ ଡାଏଲିସିସ୍ ହେଉଛନ୍ତି ସେହି ମେସିନ୍‌କୁ କିଭଳି ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ବ୍ୟବହାର କରାଯିବ?
୨୦୨୦ ଫେବ୍ରୁଆରି ମାସରେ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି(ଓସାକ୍ସ) ପ୍ରତି ଡାଏଲିସିସ୍ ୟୁନିଟ୍‌ରେ ୨-୩ଟି ମେସିନ୍ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିଥିଲା। ସଂସ୍ଥା କହିଥିଲେ ଯେ କୁହାଯାଇଥିଲା ଯେ ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୩୫ଶହ ଏଚ୍‌ଆଇଭି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୧-୨ରୁ ପ୍ରତିଶତ ଆକ୍ରାନ୍ତଙ୍କ ଡାଏଲିସିସ୍‌ର ଆବଶ୍ୟକତା ପଡ଼ୁଛି। ତେବେ କଟକସ୍ଥିତ ଏସ୍‌ସିବି ମେଡିକାଲ ବାଦ୍ ଅନ୍ୟ ସରକାରୀ ଚିକିତ୍ସାଳୟରେ ଏହି ସୁବିଧା ନାହିଁ। ଯାହାଫଳରେ ରୋଗୀମାନଙ୍କୁ ନିଜ ଖର୍ଚ୍ଚରେ ଡାଏଲିସିସ୍ କରିବାକୁ ପଡ଼ୁଛି। ତେଣୁ ସରକାରୀ ଚିକିତ୍ସାଳୟରେ ୨-୩ଟି ମେସିନ୍ କେବଳ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖାଯାଉ।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ୩୬ଟି ୟୁନିଟ୍‌ରେ ଡାଏଲିସିସ୍ ପାଇଁ ୩୪୫ଟି ମେସିନ୍ ରହିଛି। ଏବେ ୫୫ଶହ ସକ୍ରିୟ ଡାଏଲିସିସ୍ ଅଧିବେଶନ କାର୍ଯ୍ୟ କରୁଛି। ତେବେ ମେଡିକାଲ କଲେଜ ଓ କିଛି ନିର୍ଦ୍ଦିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ ଏଚ୍‌ଆଇଭି, ହେପାଟାଇଟିସ୍ ରୋଗୀଙ୍କ ପାଇଁ ଡାଏଲିସିସ୍ ମେସିନ୍ ସଂରକ୍ଷିତ ନାହିଁ। ରାଜ୍ୟରେ ଏବେ ପ୍ରାୟ ୨୫ହଜାର ଚିକିତ୍ସାଧୀନ ରୋଗୀ ଏଚ୍‌ଆଇଭି(ପିଏଚ୍‌ଆଇଭି) ଆକ୍ରାନ୍ତ ଅଛନ୍ତି। ହେଲେ ନିର୍ଦ୍ଦିଷ୍ଟ ଭାବେ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କ ଡାଏଲିସିସ୍‌ର ଆବଶ୍ୟକତା ପଡ଼ୁଛି ତାହାର କୌଣସି ସ୍ପଷ୍ଟ ସୂଚନା କାହା ପାଖରେ ନାହିଁ।

କ୍ୟାପିଟାଲ ହସ୍ପିଟାଲରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଡାଏଲିସିସ୍ ମେସିନ୍ ରହିଛି। ମାତ୍ର ସମ୍ବଲପୁର, ବାଲେଶ୍ବର ଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ବ୍ୟବସ୍ଥା ନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୬ କିମ୍ବା ତା’ଠାରୁ କମ୍ ଶଯ୍ୟା ଥିବା ଚିକିତ୍ସାଳୟରେ ଏହି ସୁବିଧା ନାହିଁ। ରୋଗୀଙ୍କ ସଂଖ୍ୟାକୁ ଦେଖି ଡାଏଲିସିସ୍ ମେସିନ ବ୍ୟବସ୍ଥା କରାଯିବ।

ଅପରପକ୍ଷରେ ଓଡ଼ିଶାରେ ଏବେ ରାଜ୍ୟ ସରକାର ପେରିଟୋନିଏଲ ଡାଏଲିସିସ୍ ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିରେ ଜଣେ ରୋଗୀ ହସ୍ପିଟାଲକୁ ବାରମ୍ବାର ନ ଆସି ନିଜ ଘରେ ଡାଏଲିସିସ୍ କରିପାରିବ। ଏଥିପାଇଁ ଆବଶ୍ୟକ ବ୍ୟାଗ୍ ରାଜ୍ୟ ସରକାର ଯୋଗ‌ାଇଦେବେ। ଏସ୍‌ସିବି ମେଡିକାଲ କଲେଜରେ ଏହି ସୁବିଧା ଆରମ୍ଭ କରାଯାଇଛି। ପରବର୍ତୀ ସମୟରେ ବୁର୍ଲା ଓ ଏମ୍‌କେସିଜି ମେଡିକାଲ କଲେଜକୁ ଏହା ସଂପ୍ରସାରିତ କରାଯାଉଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *