ପୃଥିବୀରେ ନୁହେଁ ଲୌରେନ୍ ସାଞ୍ଚେଜଙ୍କ ସହ ମହାକାଶରେ ବିବାହ କରିବେ ଜେଫ୍ !

ଦେଶବିଦେଶ
Share

ନୂଆଦିଲ୍ଲୀ: ପୃଥିବୀରେ ନୁହେଁ ଭାବିପତ୍ନୀ ଲୌରେନ୍ ସାଞ୍ଚେଜଙ୍କ ସହ ମହାକାଶରେ ବିବାହ କରିବେ ‘ଆମାଜନ୍’ ପ୍ରତିଷ୍ଠାତା ତଥା ପୃଥିବୀର ଅନ୍ୟତମ ଧନୀକ ଉଦ୍ୟୋଗୀ ଜେଫ୍ ବେଜୋସ୍। ମହାକାଶରେ ବିବାହ କରିବାରେ ବେଜୋସ ପ୍ରଥମ ବ୍ୟକ୍ତି ହୋଇପାରନ୍ତି ବୋଲି କୁହାଯାଉଛି।
ନିକଟରେ ଲୌରେନ୍ ସାଞ୍ଚେଜ୍‌ଙ୍କ ସହିତ ତାଙ୍କର ନିର୍ବନ୍ଧ ସଂପନ୍ନ ହୋଇଥିଲା। ୫୦୦ ମିଲିଅନ୍ ଡଲାର୍‌ ମୂଲ୍ୟର ସୁପର୍‌ୟାଚ୍‌ରେ ସମୁଦ୍ର ଭ୍ରମଣ କରୁଥିବା ବେଳେ ଜେଫ୍ ଲୌରେନ୍‌ଙ୍କୁ ପ୍ରପୋଜ୍ କରିଥିଲେ। ଲୌରେନ୍‌ଙ୍କ ସମ୍ମତି ପରେ ତାଙ୍କ ହାତରେ ସେ ଏକ ୨୦ କ୍ୟାରେଟ୍ ହୀରା ମୁଦି ପିନ୍ଧାଇଥିଲେ। ଜେଫ୍ ଓ ଲୌରେନ୍ ୨୦୧୮ରୁ ଡେଟିଂ କରିଆସୁଛନ୍ତି, କିନ୍ତୁ ୨୦୧୯ରେ ପୂର୍ବତନ ପତ୍ନୀ ମାକେନ୍‌ଜି ସ୍କଟ୍‌ଙ୍କ ସହିତ ବିବାହ ବିଚ୍ଛେଦ ଘଟିବା ପରେ ଯାଇ ସେମାନଙ୍କ ପ୍ରେମ ସମ୍ପର୍କ ବିଷୟ ସର୍ବସାଧାରଣରେ ପ୍ରକାଶ ପାଇଥିଲା। ନିର୍ବନ୍ଧ ପରେ ବେଜୋସ୍ ମହାକାଶରେ ବିବାହ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।
ଯଦି ଆମେ ବେଜୋସଙ୍କ କଥା କହିବା ‌ତେବେ ସେ ପୂର୍ବରୁ ମହାକାଶ ଭ୍ରମଣ କରିସାରିଛନ୍ତି। ୨୦୨୧ରେ ଆମେରିକାର ପଶ୍ଚିମ ଟେକ୍ସାସରୁ ନିଜ କମ୍ପାନି ବ୍ଲୁ ଓରିଜିନର ନ୍ୟୁ ଶେପାର୍ଡ ରକେଟରେ ବସି ମହାକାଶକୁ ଯାତ୍ରା କରିଥିଲେ ବେଜୋସ। ପ୍ରାୟ ୧୦ମିନିଟ ପର୍ଯ୍ୟନ୍ତ ‌ସେ ବାହ୍ୟ ମହାକାଶରେ ରହିବା ପରେ ପୃଥିବୀକୁ ଫେରିଥିଲେ। ତେବେ ଥରେ ମହାକାଶ ଯାଇ ସାରିଥିବା ବେଜୋସ୍ ନିଜର ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଆଉ ଥରେ ମହାକାଶ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ବେଜୋସଙ୍କ ଭାବିପତ୍ନୀଙ୍କ କଥା କହିବାକୁ ଗଲେ ସେ ଜଣେ ପୂର୍ବତନ ଟିଭି ସାମ୍ବାଦିକା ତଥା ଲାଇସେନ୍‌ପ୍ରାପ୍ତ ହେଲିକପ୍ଟର୍‌ ପାଇଲଟ୍‌। ୨୦୨୦ରେ ଜେଫ୍‌ଙ୍କ ଭାରତ ଗସ୍ତ କାଳରେ ଲୌରେନ୍‌ ମଧ୍ୟ ତାଙ୍କ ସହିତ ଆସିଥିଲେ।

Leave a Reply

Your email address will not be published. Required fields are marked *