ମେଧାବୀଙ୍କ ପାଦରେ ବେଡ଼ି ପକାଇ ପାରିବନି ଅଭାବ । ଆଉ ମୂଲ ଲାଗିବେନି ବଣ୍ଡା ଜନଜାତିର ମେଧାବୀ ଛାତ୍ରୀ କରମା ମୁଦୁଲି । ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କରମାଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ତାଙ୍କୁ ଚେକ୍ ପ୍ରଦାନ କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ । ଆଗକୁ ପାଠପଢା ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି ଜିଲ୍ଲା ପ୍ରଶାସନ । କରମା ଏବେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପାଠ ପଢ଼ୁଛନ୍ତି । ପୂର୍ବରୁ ଯୁକ୍ତ ଦୁଇ ବାଣିଜ୍ୟରେ ଜିଲ୍ଲା ଟପର ହୋଇଥିଲେ ବଣ୍ଡା ଝିଅ କରମା ମୁଦୁଲି ।
୮୨.୬୬ ପ୍ରତିଶତ ନମ୍ବର ରଖି ପାସ କରିଥିଲେ । ଏବେ ଅର୍ଥାଭାବରୁ ମୂଲ ଲଗୁଥିଲେ କରମା । ତାଙ୍କ ବାପା ଜଣେ ଦିନ ମଜୁରିଆ । ଖରାଛୁଟିରେ ଘରକୁ ଫେରିଥିବା ବେଳେ ମାଲକାନଗିରି ସହରକୁ ଆସି ମୂଲ ଲାଗୁଥିଲେ । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତୁରନ୍ତ ସାହାଯ୍ୟ ଯୋଗାଇଛନ୍ତି ଫାଇଭ ଟି ସଚିବ । କରମାଙ୍କୁ ସବୁ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ପାଠପଢ଼ା ପାଇଁ ସ୍କଲାରସିପ୍ ସହିତ ତାଙ୍କ ପରିବାରକୁ ମଧ୍ୟ ବିଭିନ୍ନ ସହାୟତା ଯୋଗାଇ ଦିଆଯାଇଛି ।