କ୍ରୀଡ଼ାମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜୁନ୍‌ ୧୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ରାଜି ହେଲେ କୁସ୍ତିଯୋଦ୍ଧା

ଖେଳ ଦେଶବିଦେଶ
Share

ନୂଆଦିଲ୍ଲୀ: ଡବ୍ଲ୍ୟୁଏଫଆଇ ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ହୋଇଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ଜୁନ୍‌ ୧୫ ସୁଦ୍ଧା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସରକାର ଅନୁରୋଧ କରିବା ପରେ ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ବୁଧବାର ଠାରୁ ଏକ ସପ୍ତାହ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି।
କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଦୀର୍ଘ ୫ ଘଣ୍ଟାର ମାରାଥନ ବୈଠକ ପରେ କୁସ୍ତିଯୋଦ୍ଧାମାନେ କହିଛନ୍ତି ଯେ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ପୁଲିସ ପ୍ରତ୍ୟାହାର କରିବ ବୋଲି ସେମାନଙ୍କୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମେ’ ୨୮ ତାରିଖରେ ‘ମହିଳା ସମ୍ମାନ ମହାପଞ୍ଚାୟତ’ ଆୟୋଜନ ପାଇଁ ବିନା ଅନୁମତିରେ ନୂଆ ସଂସଦ ଭବନ ଅଭିମୁଖେ ଯାତ୍ରା କରୁଥିବା ବେଳେ ଆଇନ ଶୃଙ୍ଖଳା ଉଲ୍ଲଂଘନ ଅଭିଯୋଗରେ ଏହି କୁସ୍ତିଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ଅଲିମ୍ପିକ୍‌ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ, ତାଙ୍କ ସ୍ୱାମୀ ସତ୍ୟବ୍ରତ କାଦିଆନ୍‌ ଏବଂ ଜିତେନ୍ଦ୍ର କିନ୍‌ହା ଉପସ୍ଥିତ ଥିଲେ। ତେବେ, ଡବ୍ଲ୍ୟୁଏଫଆଇ ମୁଖ୍ୟଙ୍କ ବିରୋଧରେ ପ୍ରତିବାଦର ନେତୃତ୍ୱ ନେଉଥିବା ଡବଲ ବିଶ୍ୱ ପଦକ ବିଜେତା ଭିନେଶ ଫୋଗାଟ ଏହି ବୈଠକରେ ଯୋଗ ଦେଇ ନଥିଲେ।
‘ଜୁନ୍‌ ୧୫ ସୁଦ୍ଧା ପୁଲିସ ତଦନ୍ତ ଶେଷ ହେବ ବୋଲି ଆମକୁ କୁହାଯାଇଛି ଏବଂ ସେପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ କୁହାଯାଇଛି। ଏଥିସହ ଚାଲିଥିବା ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ମଧ୍ୟ କୁହାଯାଇଛି’ ବୋଲି ସାକ୍ଷୀ ମଲ୍ଲିକ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି। ‘ମେ’ ୨୮ ତାରିଖରେ କୁସ୍ତିଯୋଦ୍ଧାଙ୍କ ବିରୋଧରେ ରୁଜୁ ହୋଇଥିବା ଏଫ୍‌ଆଇଆରକୁ ମଧ୍ୟ ଦିଲ୍ଲୀ ପୁଲିସ ପ୍ରତ୍ୟାହାର କରିବ’ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।
ଏଥିସହ ଉଭୟ ମଲ୍ଲିକ ଏବଂ ପୁନିଆ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ସେମାନଙ୍କର ଆନ୍ଦୋଳନ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସେମାନେ ସରକାରଙ୍କ ଅନୁରୋଧ ଅନୁଯାୟୀ ଜୁନ୍‌ ୧୫ ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ଏବଂ ସରକାରଙ୍କ ପ୍ରତିଶ୍ରୁତିକୁ ଅପେକ୍ଷା କରିଛନ୍ତିି।
ଅନ୍ୟପକ୍ଷରେ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଜୁନ୍‌ ୩୦ ସୁଦ୍ଧା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଅଚଳାବସ୍ଥା ଦୂର କରିବା ପାଇଁ କୁସ୍ତିଯୋଦ୍ଧାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକା ଯାଇଥିଲା।

Leave a Reply

Your email address will not be published. Required fields are marked *