ପାଉରୁଟି କାରଖାନାରୁ ବିପୁଳ ପରିମାଣର ନକଲି ମଦ ଜବତ, ଗଂଜାମରୁ ବାହାର ଜିଲ୍ଲାକୁ ହେଉଥିଲା ଚାଲାଣ

ରାଜ୍ୟ
Share

ବ୍ରହ୍ମପୁର: ପାଉରୁଟି ଫ୍ୟାକ୍ଟ୍ରି ଭିତରେ ଚାଲିଥିଲା ନକଲି ମଦ କାରଖାନା। କାହାର ସନ୍ଦେହ ବି ନଥିଲା। ଏଠାରୁ ପ୍ରସ୍ତୁତ ନକଲି ମଦ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା। କୌଣସି ସୂତ୍ରରୁ ସୂଚନା ପାଇବା ପରେ ଆଜି ବ୍ରହ୍ମପୁର ବଡ଼ବଜାର ଥାନା ପୁଲିସ ଉକ୍ତ ପାଉରୁଟି ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରି ବିପୁଳ ପରିମାଣର ନକଲି ମଦ, ସ୍ପରିଟ୍‌ ସାଂଗକୁ ଅବକାରୀ ଲେବୁଲ୍‌, ଖାଲି ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତ ଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।
ବଡ଼ବଜାର ଥାନା ଅନ୍ତର୍ଗତ ଓମ୍‌ନଗର ଅଞ୍ଚଳରେ ରହିଛି ଏକ ପାଉରୁଟି ଫ୍ୟାକ୍ଟ୍ରି। ପ୍ରତିଦିନ ଏଠାରେ ପାଉରୁଟି ପ୍ରସ୍ତୁତ କରାଯାଇ ବଜାରକୁ ପଠାଯାଉଥିଲା। କେହି ବି ଏହି ଫ୍ୟାକ୍ଟ୍ରି ଭିତରେ ନକଲି ମଦ ପ୍ରସ୍ତୁତ କରାଯାଉଛି ତାହାର ସୁରାକ୍‌ ବି ପାଇ ପାରିନଥିଲେ। ତେବେ ପୁଲିସ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ ପ୍ରେବେସନାରି ଆଇପିଏସ୍‌ ଅଙ୍କିତ୍‌ ବର୍ମା, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା ଓ ବଡ଼ବଜାର ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ସମେତ ପୁଲିସ ଟିମ୍‌ ଏହି ପାଉରୁଟି ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରିବା ପରେ ଏଠାରେ ନକଲି ମଦ ପ୍ରସ୍ତୁତ କରାଯାଉଥିବା ସ୍ପଷ୍ଟ ହୋଇଥିଲା। ପୁଲିସ୍‌ ଟିମ୍‌ ସଂପୂର୍ଣ୍ଣ ଫ୍ୟାକ୍ଟ୍ରି ଅଞ୍ଚଳରକୁ ଛାନ୍‌ଭିନ୍‌ କରିବା ପରେ ସେଠାରୁ ୭୨ ଲିଟର ନକଲି ମଦ, ୩୦ ଲିଟରରୁ ଊର୍ଦ୍ଧ୍ବ ପରିମାଣର ସ୍ପିରିଟ୍‌, ଖାଲି ବୋତଲ, ପ୍ୟାକିଂ ମେସିନ୍‌ ସମେତ ବୋତଲ ଉପରେ ଲାଗୁଥିବା ଅବକାରୀ ଲେବୁଲ୍‌କୁ ଜବତ କରିଛି।
ପୁଲିସ ଏହି ମାମଲାରେ ପାଉରୁଟି ଫ୍ୟାକ୍ଟ୍ରି କରିଥିବା ଦୁଇଭାଇ ତାରିଣୀ ଜେନା ଓ ପ୍ରଶାନ୍ତ ଜେନାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଥାନାଧିକାରୀ ପ୍ରଶାନ୍ତ ଭୂପତି ପ୍ରକାଶ କରିଛନ୍ତି। ପୁଲିସ ଏହି ଫ୍ୟାକ୍ଟ୍ରି ଭିତରେ ଥିବା ଦୁଇଟି ଅଟୋକୁ ବି ଜବତ କରିଛି। ତେବେ ଏହି ଫ୍ୟାକ୍ଟ୍ରିରେ କେତେଦିନ ଧରି ନକଲି ମଦ ପ୍ରସ୍ତୁତ କରାଯାଉଥିଲା ? ମଦ ପ୍ରସ୍ତୁତି ପାଇଁ ସ୍ପିରିଟ୍‌, ଅବକାରୀ ଲେବୁଲ୍‌ କେଉଁଠାରୁ ସଂଗ୍ରହ କରିଥିଲେ ? ପ୍ରସ୍ତୁତ ନକଲି ମଦକୁ କେଉଁ ସ୍ଥାନକୁ ଚାଲାଣ କରୁଥିଲେ ସେଥିନେଇ ତଦନ୍ତ ଜାରି ରଖିଛି। ଫ୍ୟାକ୍ଟ୍ରି ଭିତରେ ରୟାଲ୍‌ ଗ୍ରିନ୍‌ ଓ ମେକଡୋଏଲ୍‌ ବ୍ରାଣ୍ଡ ନାମରେ ନକଲି ମଦ ପ୍ରସ୍ତୁତ କରାଯାଉଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି। ପ୍ରସ୍ତୁତ ନକଲି ମଦକୁ ସେମାନେ ଗଜପତି ଜିଲ୍ଲାର ମୋହନା, ଉଦୟଗିରି ସମେତ ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ସ୍ବୀକାର କରୁଥିବା ପୁଲିସ କହିଛି। ପ୍ରକାଶ ଥାଉକି, ବ୍ରହ୍ମପୁର ସହରରେ ନକଲି ମଦ ପ୍ରସ୍ତୁତ କରିବା କିଛି ନୂଆ କଥା ନୁହେଁ। ଏଥିପୂର୍ବରୁ ପୁଲିସ ନକଲି ମଦ ପ୍ରସ୍ତୁତ ହେଉଥିବା କାରଖାନାରେ ଚଢ଼ଉ କରି ଜବତ କରିଛି।

Leave a Reply

Your email address will not be published. Required fields are marked *