ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ତଥା ନବନିଯୁକ୍ତ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ଆଜି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଏନଡିଏରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ | ପ୍ରଫୁଲ୍ଲ କହିଛନ୍ତି ଯେ ଶରଦ ପାୱାର ୧୯୯୯ ମସିହାରେ କଂଗ୍ରେସଠାରୁ ଅଲଗା ହୋଇଯାଇଥିଲେ | ସେତେବେଳେ ବାଜପେୟୀ ମହାରାଷ୍ଟ୍ରରେ ଶିବସେନା-ବିଜେପି ସହ ଗଠବନ୍ଧନ କରିବାକୁ ଅଫର ଦେଇଥିଲେ | ତେବେ ଆମେ କଂଗ୍ରେସ ବିପକ୍ଷରେ ଲଢିଥିଲୁ ଓ ଭାବିଥିଲୁ ଯେ ଆମେ ବି ବଡ ଦଳ ହୋଇପାରିବୁ | ତେବେ ସେତେବେଳେ ସ୍ଥିତି ସେତେ ଅନୁକୂଳ ନଥିଲା | ଆମର ଅଧିକାଂଶ ରାଜ୍ୟର ନେତା କଂଗ୍ରେସ ସହ ରହିବାକୁ ଇଚ୍ଛା କରିଥିଲେ |
ଏଥିପାଇଁ ଶରଦ ପାୱାରଙ୍କ ସେହି ନିଷ୍ପତ୍ତି ଦ୍ୱାରା କଂଗ୍ରେସକୁ ଅଧିକ ସାହାଯ୍ୟ ମିଳିଥିଲା | ଯେତେବେଳେ ଆମେ ଇତିହାସକୁ ଦେଖୁ ସେତେବେଳେ ଲାଗେ ଯେ ଯଦି ଆମେ କଂଗ୍ରେସ ସହ ହାତ ମିଶାଇନଥାନ୍ତୁ, ତେବେ ଏହା ଆମ ପାଇଁ ଅଧିକ ଲାଭଦାୟକ ହୋଇଥାନ୍ତା | କିନ୍ତୁ ଏବେ ଆମେ ଆମର ସହଯୋଗୀଙ୍କୁ ଆଘାତ ଦେବାକୁ ଚାଁହୁନାହୁଁ | ଯଦିଓ ଶରଦ ପାୱାର ଖୁଲମଖୁଲା କୁହନ୍ତି ନାହିଁ କିନ୍ତୁ ଏକଥା ସତ ଯେ ଆମ ପାଖରେ ବି ମହାରାଷ୍ଟ୍ରରେ ସରକାର ଗଠନ କରିବାର କ୍ଷମତା ଅଛି | ଆମେ ମଧ୍ୟ ଆମର ଶକ୍ତି ବଳରେ ମମତା ବାନାର୍ଜୀ ଓ ଜଗନ ମୋହନ ରେଡ୍ଡୀଙ୍କ ଭଳି ନିର୍ବାଚନ ଜିତିପାରିବୁ | କାରଣ ବର୍ତ୍ତମାନ ରାଜ୍ୟରେ ଶରଦ ପାୱାରଙ୍କ ଭଳି କୌଣସି ଶକ୍ତିଶାଳୀ ନେତାଙ୍କୁ ଆମେ ଦେଖୁନାହୁଁ |