ଗ୍ରାମ୍ୟ ଉନ୍ନୟନ ବିଭାଗରେ କାମ ଯୋଗାଇବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ରାଉରକେଲାର ଯୁବକ ଗିରଫ

ରାଜ୍ୟ
Share

ମାଲକାନଗିରି: ଗ୍ରାମ୍ୟ ଉନ୍ନୟନ ବିଭାଗରେ କାମ ଯୋଗାଇଦେବା ନାଁରେ ୧୦ ଲକ୍ଷ ଟଙ୍କା ଠକେଇ କରିଥିବା ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ‌ହେଲା ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ସୁରେଶ କୁମାର ପାଲ। ସୁରେଶକୁ ପୁଲିସ ପଚରାଉଚୁରା କରିଥିବା ବେଳେ ଏହି ମାମଲାରେ ସମ୍ପୃକ୍ତି ରହିଥିବା ଅନ୍ୟ ଅଭିଯୁକ୍ତକୁ ପୁଲିସ ଖୋଜୁଥିବା ନେଇ ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।
ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୭ ଗ୍ରାମର ଦିବେନ୍ଦୁ ଭକ୍ତ ଗତବର୍ଷ ନଭେମ୍ବର ମାସରେ ରାଉରକେଲା ଅଞ୍ଚଳର ସୁରେଶ କୁମାର ପାଲଙ୍କୁ ଭେଟିଥିଲେ। ଅଭିଯୁକ୍ତ ସ‌ୁରେଶ ରାଉରକେଲାରୁ ଆସି କାଲିମେଳା ଅଞ୍ଚଳରେ ଜଣେ ସମ୍ପର୍କୀୟ ଘରେ ରହୁଥିଲେ। ସୁରେଶ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଭାରତମାଳା ପ୍ରକଳ୍ପରେ କାମ ସୁବିଧାରେ ଯୋଗାଇ ଦେବା ପାଇଁ କହିଥିଲେ। ଏଥିରେ କାମ କରି ବହୁ ଟଙ୍କା ଲାଭାଂଶ ମିଳିପାରିବ ବୋଲି ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। ‌ଭୁବନେଶ୍ବରରେ ଅଧିକାରୀଙ୍କୁ ଧରାଧରି କରି କାମ ହାତେଇବା ପାଇଁ ଟଙ୍କା ମାଗିଥିଲେ। କିନ୍ତୁ ଦିବେନ୍ଦୁ ଟଙ୍କା ଦେଇ ନଥିଲେ। ଯଦି କୌଣସି କାମ ନ ପାଇବେ ତେବେ ୧୦ ଲକ୍ଷ ଟଙ୍କା ଫେରସ୍ତ କରିଦେବା ପାଇଁ ସୁରେଶ କହିଥିଲେ। ଏହାପରେ ଦିବେନ୍ଦୁ ସୁରେଶଙ୍କ ଆକାଉଣ୍‌ଟକୁ ୧୦ ଲକ୍ଷ ଟଙ୍କା ପଠାଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ସୁରେଶର ଦେଖାଦର୍ଶନ ନଥିବା ବ‌େଳେ କାମ ପ୍ରଦାନ କରିନଥିଲେ କି ଟଙ୍କା ଫେରସ୍ତ କରିନଥିଲେ। ବାରାମ୍ବାର ମାଗିବା ପରେ ସ‌ୁରେଶ ସାଢ଼େ ୪ ଲକ୍ଷ ଫେରାଇ ଥିଲେ କିନ୍ତୁ ଆଉ ସାଢ଼େ ୫ ଲକ୍ଷ ଟଙ୍କା ଫେରାଇ ନଥିଲେ। ଏନେଇ ଦିବେନ୍ଦୁ ମାଲକାନଗିରି ଥାନାର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ ଦେଇଥିଲେ। ପୁଲିସ କେଶ୍ ନଂ ୩୩୮/୨୩ ମାମଲା ରୁଜୁ କରି ଏସ୍‌ଆଇ ଅମିତ କୁମାର ଧଳ ଘଟଣାର ତଦନ୍ତ କରୁଥିଲେ। ଏହି ମାମଲାରେ ପୁଲିସ ସୁରେଶକୁ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *