ନୂଆଦିଲ୍ଲୀ: ୨୦୦୦ ଟଙ୍କିଆ ନୋଟ୍କୁ ବିନା କୌଣସି ଯାଞ୍ଚ ସ୍ଲିପ୍ ଏବଂ ପରିଚୟ ପତ୍ରରେ ବଦଳାଇବାକୁ ଅନୁମତି ଦେଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ବିଜ୍ଞପ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରୁଥିବା ଆବେଦନକୁ ସୁପ୍ରିମ୍ କୋର୍ଟ ସୋମବାର ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।
ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପିଏସ୍ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ଦ୍ୱାରା ବ୍ୟକ୍ତିଗତ ଭାବେ ଦାଖଲ ହୋଇଥିବା ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଏହା କାର୍ଯ୍ୟନର୍ବାହୀ ନୀତି ନିଷ୍ପତ୍ତିର ବିଷୟ ବୋଲି ଖଣ୍ଡପୀଠ ଆବେଦନକାରୀଙ୍କୁ କହିବା ସହ ଆଗତ ଆବେଦନକୁ ଖାରଜ କରି ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଗତ ମେ’ ୨୯ତାରିଖରେ ଦିଲ୍ଲୀ ହାଇକୋର୍ଟ ବିନା କୌଣସି ଅନୁରୋଧ ସ୍ଲିପ୍ ଏବଂ ପରିଚୟ ପତ୍ରରେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାକୁ ଅନୁମତି ପ୍ରଦାନ କରୁଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରୁଥିବା ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଥିଲେ। ନାଗରିକଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ଏବଂ କୌଣସି ନୀତିଗତ ନିଷ୍ପତ୍ତିରେ ଆପିଲେଟ୍ କର୍ତ୍ତୃପକ୍ଷ ଭାବେ ଅଦାଲତ ବସିପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ। ହାଇକୋର୍ଟ କହିଥିଲେ ଯେ ସରକାରଙ୍କ ନିଷ୍ପତ୍ତି ବିକୃତ କିମ୍ବା ମନମୁଖୀ କିମ୍ବା ଏହା କଳାଧନ, ମନି ଲଣ୍ଡରିଂ, ମୁନାଫାଦାରୀ କିମ୍ବା ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛି ବୋଲି କୁହାଯାଇ ପାରିବ ନାହିଁ।
ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ଏକ ଆବେଦନ ଆଗତ କରିଥିଲେ। ଆଇନଜୀବୀ ଉପାଧ୍ୟାୟ କହିଥିଲେ ଯେ ୨୦୦୦ ଟଙ୍କିଆ ନୋଟ୍କୁ ଅପରାଧୀ ଓ ଆତଙ୍କବାଦୀମାନେ ଆଧାର କାର୍ଡ ଭଳି ପରିଚୟପତ୍ର ବିନା କୌଣସି ଅନୁରୋଧ ସ୍ଲିପ୍ ଏବଂ ପରିଚୟ ପତ୍ରରେ ବଦଳାଉଛନ୍ତି। ତେବେ, ଏହା ଏହା କାର୍ଯ୍ୟନର୍ବାହୀ ନୀତି ନିଷ୍ପତ୍ତିର ବିଷୟ ବୋଲି ଦର୍ଶାଇ ସୁପ୍ରିମ୍ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି।