ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏବଂ ଜୁଲାଇ ୧୮ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ରବିବାର) ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଗତକାଲି (ଶନିବାର)ର ଘୂର୍ଣ୍ଣିବଳୟ ଆଜି ମଧ୍ୟ ଉତ୍ତର -ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡିଶା- ପଶ୍ଚିମବଙ୍ଗ ଉପକୂଳରେ ବାୟୁମଣ୍ଡଳରେ ୫.୮ କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏଥିସହ ସମୁଦ୍ର ପତ୍ତନରେ ମୌସୁମୀ ଲଘୁଚାପ ଏବେ ଗଙ୍ଗାନଗର, ହିସାର, ଦିଲ୍ଲୀ ସୁଲତାନପୁର, ଗୟା, ବାଙ୍କୁରା ଦେଇ ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ସମୁଦ୍ର ପତନଠାରୁ ୦.୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସକ୍ରିିୟ ମୌସୁମୀ ପ୍ରବାହ ସହ ୨୭.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୩.୫ ମିମି ତୁଳନାରେ ୧୦୩% ଅଧିକ ରହିଛି।
ସଦ୍ୟ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୭ ଜୁଲାଇ, ସୋମବାର ଅପରାହ୍ନ ମଧ୍ୟରେ ପଶ୍ଚିମ ଓଡ଼ିଶାର ୮ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର ସମ୍ଭାବନା ରହଥିବା ବେଳେ ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି।
ଏ ପରିସ୍ଥିତରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ପ୍ରଭୃତି ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୧୨ରୁ ୨୦ସେମି)ର ସମ୍ଭାବନା ରହିଛି। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏହି ସମସ୍ତ ଜିଲ୍ଲାଗୁଡ଼ିକୁ କମଳା ଚେତାବନୀ ବା ଅରେଞ୍ଜଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ଏହି ସମୟ ମଧ୍ୟରେ ଉତ୍ତର, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବାଙ୍ଗପୁର, କୋରାପୁଟ ଓ ମାଲକାନଗିରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା (୭ରୁ ୧୧ ସେମି)ର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି।
ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
ଅନ୍ୟପକ୍ଷରେ ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି (ରବିବାର) ଆକାଶ ମେଘାଛନ୍ନ ରହିଥିବା ବେଳେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି।