ନିଲମ୍ବନ ପରେ ବିଧାୟକ ମୋକିମଙ୍କ ପ୍ରତିକ୍ରିୟା: ଶରତ ପଟ୍ଟନାୟକ ହୁଏତ ଆଗକୁ ପିସିସି ସଭାପତି ନଥିବେ

ରାଜ୍ୟ
Share

କଟକ : କଂଗ୍ରେସ କୌଣସି ପ୍ରାଇଭେଟ୍ ଲିମିଟେଡ୍ କଂପାନି ନୁହେଁ। ଶରତ ପଟ୍ଟନାୟକ ହୁଏତ ଆଗକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନଥିବେ। ତାଙ୍କ ବିରୋଧ​ରେ ଜାରି ହୋଇଥିବା ନିଲମ୍ବନ ନିଷ୍ପତ୍ତି ହୁଏତ ଆଗକୁ ପ୍ରତ୍ୟାହାର ହୋଇ ଯାଇଥିବ। ତେଣୁ ସେ ଏବେ ବି କଂଗ୍ରେସରେ ଅଛନ୍ତି, ଆଗକୁ ବି ରହିବେ। ନିର୍ବାଚନ ପୂର୍ବରୁ ଦଳର ଦୃଶ୍ୟପଟ୍ଟରେ ଅନେକ କିଛି ବଦଳି ଯାଇଥିବ। ଏବଂ ସେ ପୁଣି କଂଗ୍ରେସ ଟିକେଟରେ ହିଁ ନିର୍ବାଚନ ଲଢିବେ ବୋଲି ଭାବୁଛନ୍ତି। ଯଦି ​ଦଳ ତାଙ୍କୁ ନିର୍ବାଚନ ଲଢିବାର ସୁଯୋଗ ନଦିଏ ତେବେ ସେଭଳି ସ୍ଥିତିରେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ପଛେ ଅନ୍ୟ ଦଳକୁ ଯିବେ ନାହିଁ ବୋଲି କହିଛନ୍ତି ବାରବାଟୀ-କଟକର କଂଗ୍ରେସ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍‌। ଆଜି କଂଗ୍ରେସରୁ ତାଙ୍କ ନିଲମ୍ବନ ନିର୍ଦ୍ଦେଶ ଜାରି ହେବା ପରେ ଶ୍ରୀ ମୋକିମ୍ କହିଛନ୍ତି ଯେ ସେ କୌଣସି ପ୍ରକାର ଦଳ ବିରୋଧୀ କାମ କରି ନାହାନ୍ତି। ତାଙ୍କୁ ଯେଉଁ ଜବାବ୍ ମଗା ଯାଇଥିଲା, ସେ ତାର ଉତ୍ତର ରଖିଥିଲେ। କିନ୍ତୁ ଯେହେତୁ ତାଙ୍କୁ ନିଲମ୍ବନ କରାଯାଇଛି, ସେ ସମୟକୁ ଅପେକ୍ଷା କରିବେ। କଂଗ୍ରେସ ରାଜନୀତିରେ ନିର୍ବାଚନ ପୂର୍ବରୁ ଅନେକ କିଛି ବଦଳିବାର ନଜିର ରହି ଆସିଛି। ବିଭିନ୍ନ ସାଧାରଣ ନିର୍ବାଚନ ସମୟର ୬ ମାସ ପୂର୍ବରୁ ପିସିସି ସଭାପତି ବଦଳିବାର ଅନେକ ଉଦାହରଣ ରହିଛି। ତେଣୁ ଏଥର ବି ସେଭଳି କିଛି ଘଟି ପାରେ ବୋଲି ଶ୍ରୀ ମୋକିମ୍ କହିଛନ୍ତି।
କଂଗ୍ରେସରୁ ଶ୍ରୀ ମୋକିମ୍‌ଙ୍କ ନିଲମ୍ବନକୁ କିନ୍ତୁ କଟକ ନଗର କଂଗ୍ରେସ କମିଟିର ସଭାପତି ସୁରେଶ ମହାପାତ୍ର ସ୍ବାଗତ କରିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ଯେ ଦଳର ନେତା ନିଶ୍ଚିତ ଭାବେ ସବୁ ଦିଗକୁ ବିଚାର କରିବା ସହିତ ତର୍ଜମା କରି ନିଷ୍ପତ୍ତି ନେଇଥିବେ। ତେଣୁ ଦଳର ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛୁ। ସେହିଭଳି ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ କହିଛନ୍ତି ଯେ ଏଆଇସିସିର ଶୃଙ୍ଖଳା କମିଟି ଶ୍ରୀ ମୋକିମଙ୍କୁ ନିଲମ୍ବିତ କରିଥିବା ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ। ରାଷ୍ଟ୍ରପତି ନିର୍ବାଚନ ସମୟରେ କଂଗ୍ରେସର ପ୍ରାର୍ଥୀ ଥାଇ ବି ଶ୍ରୀ ମୋକିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା, ଉପ ନିର୍ବାଚନ ସମୟରେ ଜାନକୀ ବାବୁ-ବସନ୍ତ ବାବୁଙ୍କ ଅବଦାନ ସଂପର୍କିତ ଆଲୋଚନାଚକ୍ର ଆୟୋଜନ କରି ଦଳକୁ ଦୁର୍ବଳ କରିବା ଭଳି ବିବୃତି ଦେବା ଭଳି ଘଟଣାକୁ ନେଇ ଦଳର ହାଇକମାଣ୍ଡ ହୁଏତ ତାଙ୍କ ବିରୋଧରେ ନିଷ୍ପତ୍ତି ନେଇଛନ୍ତି। ତେଣୁ ଆମେ ତାହାକୁ ଗ୍ରହଣ କରୁଛୁ ​ବୋଲି ଶ୍ରୀମତୀ ସାହୁ କହିଛନ୍ତି।
କିନ୍ତୁ ଶ୍ରୀ ମୋକିମଙ୍କ ନିଲମ୍ବନ ନିର୍ଦ୍ଦେଶକୁ ଦଳର ଅଧିକାଂଶ କର୍ପୋରେଟର ଓ ତୃଣମୂଳସ୍ତରର କର୍ମୀ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଏ ସଂପର୍କରେ ବରିଷ୍ଠ କର୍ପୋରେଟର ତଥା ଯୁବ ନେତା ସନ୍ତୋଷ କୁମାର ଭୋଳ କହିଛନ୍ତି ଯେ ଏଭଳି ନିଷ୍ପତ୍ତି ଆଦୌ ଠିକ ହୋଇନାହିଁ। ବିଧାୟକ ​ଶ୍ରୀ ମୋକିମ ହେଉଛନ୍ତି ଦଳର ପ୍ରଭାବଶାଳୀ ନେତା। ସେ ଦଳକୁ ମଜଭୁତ କରିବା ଦିଗରେ କାମ କରି ଆସିଛନ୍ତି। ତେଣୁ ଦଳର ହାଇକମାଣ୍ଡ ବରଂ ପିସିସି ସଭାପତି ଓ ଶ୍ରୀ ମୋକିମଙ୍କୁ ଏକାଠି କରି ପୁଣି କଂଗ୍ରେସକୁ ଏକଜୁଟ୍ ​ହୋଇ କାମ କରିବା ଦିଗରେ ପଦକ୍ଷେପ ନେଇ ପାରିଥାନ୍ତେ। ତେଣୁ ଏ ନିଷ୍ପତ୍ତିର ପୁର୍ନବିଚାର ପାଇଁ ସେମାନେ ଦଳର ହାଇକମାଣ୍ଡଙ୍କୁ ଅନୁରୋଧ କରିବେ ବୋଲି ଶ୍ରୀ ଭୋଳ କହିଛନ୍ତି।

Leave a Reply

Your email address will not be published. Required fields are marked *