ଝଙ୍କଡ଼ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଳାହାଟ ଦୀର୍ଗ ୧୨ ଏକର ଜମି ଉପରେ ଅବସ୍ଥିତ। ମା ସାରଳା ଙ୍କ ମନ୍ଦିର ପ୍ରଶାସନ ଏହାର ପରିଚାଳନାର ଦାୟିତ୍ଵ ନିର୍ବାହ କରିଥାଏ । ବହୁପୂର୍ବରୁ ଏହି ଠାକୁରାଣୀ ହାଟ ଏ ଅଞ୍ଚଳର ସବୁଠାରୁ ବଡ଼ ହାଟ ବୋଲି ଡାକ ଥିଲା। ଏପରିକି ଏଠାରେ ଗୋରୁହାଟ ମଧ୍ୟ ବସୁଥିଲା। ଶହ ଶହ ହାଟଦୋକାନୀ ଓ ସହସ୍ରାଧିକ ଗ୍ରାହକ ମାନଙ୍କ ସମାବେଶରେ ଏହି ସାପ୍ତାହିକ ହାଟ ଗୁରୁବାର ଓ ରବିବାର ଦିନ ବସିଥାଏ । ଏହି ହାଟରେ ଦୁଇଟି ରାଇସମିଲ, ଚାରିଟି ବଡ ତେଜରାତି ଗୋଦାମ ସମେତ ପ୍ରାୟ ୬୦/୭୦ ଟି ସ୍ଥାୟୀ ଛୋଟବଡ ଦୋକାନ ବଜାର ମଧ୍ୟ ରହିଅଛି। ହାଟ ଓ ବଜାର ଦୋକାନ ମାନଙ୍କଠାରୁ ପ୍ରତିବର୍ଷ ପ୍ରାୟ ଦେଢ଼ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଟିକସ ଓ ଘରଭଡ଼ା ଆଦାୟ ହୋଇଥାଏ। ମାତ୍ର ଏହି ଅର୍ଥ ସବୁବେଳେ ବାଟମାରଣା ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ମନ୍ଦିରପ୍ରଶାସନ ହାଟଦୋକାନୀ ମାନଙ୍କ ପାଇଁ ସ୍ଥାୟୀ ପିଣ୍ଡି ଟିଏ ବି ନିର୍ମାଣ କରିନାହାନ୍ତି। ଅପର ପକ୍ଷରେ ହାଟ ଭିତର ଓ ଚତୁଃପାର୍ଶ୍ଵ ସବୁବେଳେ ଅଳିଆ ଆବର୍ଜ୍ଜନା ରେ ପରିପୂର୍ଣ୍ଣ ହୋଇ ଥିବାରୁ , ହାଟୁଆ ବେପାରୀ ଓ ଗ୍ରାହକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି ହାଟ ଭିତର ମାଉସୀ ମା ମନ୍ଦିର ନିକଟରେ ଓ ଶ୍ରୀରାମ ଚୁଡ଼ାକଲ ସମ୍ମୁଖରେ ଦୁଇଟି ହାଇମାକ୍ସ ଲାଇଟ ଲଗାଇବା ପାଇଁ ଦୀର୍ଘ ବର୍ଷ ବର୍ଷ ଧରି ଦାବୀ ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇନାହିଁ । ଯାହାଫଳରେ ସଞ୍ଜବୁଡ଼ିଲେ ହାଟଭିତରେ ଅବାଧ ଚୋରା ନିଶା କାରବାର ବଢ଼ି ଚାଲିଛି ।
ଗତ ଜୁନ ୩୦ ତାରିଖ ଦିନ ରାଜ୍ୟ ୫ ଟି ସଚୀବ ଭି କେ ପାଣ୍ଡିୟାନ ଦ୍ୱିତୀୟ ଥର ପାଇଁ ସାରଳାମନ୍ଦିର ପରିଦର୍ଶନ କରିବାକୁ ଆସିବା ସମୟରେ , ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ତାଙ୍କୁ ଏହି ସାରଳାହାଟ ରେ ସ୍ଥାୟୀ ପିଣ୍ଡି ନିର୍ମାଣ କରିବା ପାଇଁ ଲିଖିତ ଦରଖାସ୍ତ ଦେଇଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ତରଫରୁ ଏଥିନିମନ୍ତେ କୌଣସି ଅନୁଧ୍ୟାନକାରୀ ବିଭାଗୀୟ ଅଧିକାରୀ ମାନେ ଏଠାକୁ ଆସିନାହାଁନ୍ତି । ଶହ ଶହ ବର୍ଷ ପୂର୍ବରୁ ଯେଉଁ ବରଡାଛପର ଚାଳିଆ ଘର ଦୋକାନୀ ମାନେ ନିଜ ହାତରେ ଗଢି ଦୋକାନ କରୁଥିଲେ , ଆଜିଯାଏ ବି ସେମିତି ଚାଲିଚି । ତେବେ ବର୍ଷକୁ ପ୍ରାୟ ଦେଢ଼ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ହାଟ ରୁ ଆୟ ହେଉଥିବା ବେଳେ , ଏହି ଐତିହାସିକ ପୁରାତନ ସାରଳାହାଟ ର ଉନ୍ନତିକରଣ ପାଇଁ ମନ୍ଦିର ପ୍ରଶାସନ କରୁଚି କଣ ? ଆଉ ୫ ଟି ସଚୀବ ପାଣ୍ଡିୟାନ ଙ୍କୁ ଅଞ୍ଚଳବାସୀ ଙ୍କ ତରଫରୁ ଦିଆ ଯାଇଥିବା ସାମୁହିକ ଦାବୀ ଉପର୍ରେ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବକୁ ବାକି ରହିଲା