ଓଡ଼ିଶାର ତିନିଟି ସ୍ଥାନରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇ ଦେଶର ପାରମ୍ପରିକ ଶିଳ୍ପୀ ମାନଙ୍କ ଉଦ୍ଦେଶ୍ୟରେ ଏହି ଯୋଜନାର ଲୋକାର୍ପଣ କରିଛନ୍ତି । ଜଗନ୍ନାଥ ଧାମରେ କେନ୍ଦ୍ର ଶିଶୁ ଓ ମହିଳା ବିକାଶ ମନ୍ତ୍ରୀ ମୁଁଞ୍ଜପରା ମହେନ୍ଦ୍ରଭାଇଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ ହୋଇଛି । ପୁରୀ ଟାଉନ ହଲ ଠାରେ ଆଜି ଏହାର ଶୁଭାରମ୍ଭ କରାଯାଇଛି । ପାରମ୍ପରିକ ଶିଳ୍ପୀ ମାନଙ୍କୁ ଦକ୍ଷତା ଟ୍ରେନିଂ, ଆର୍ଥିକ ସହଯୋଗ, ଡିଜିଟାଲ ଟ୍ରାନ୍ସକ୍ସନ, ଟୁଲ କିଟ ଏବଂ ମାର୍କେଟିଂ ସହାୟତା ପାଇଁ ଏହି ଯୋଜନା ବେଶ ଲାଭଦାୟକ ହେବ ।
ଏହି ଯୋଜନାରେ ସାମିଲ ହେବା ପାଇଁ କଳାକାର ମାନଙ୍କୁ ପ୍ରଥମେ ପିଏମ ବିଶ୍ୱକର୍ମା ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ । ଆବେଦନପତ୍ର ଯାଞ୍ଚ କରାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ପରିଚୟ ପତ୍ର ଏବଂ ପ୍ରମାଣପତ୍ର ପ୍ରଦାନ କରାଯିବ । ପ୍ରଥମେ ୫ ରୁ ୭ ଦିନ ଯାଏଁ ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ପରେ ୧୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ୫ ବର୍ଷ ପାଇଁ କଳାକାର ଏବଂ ହସ୍ତଶିଳ୍ପୀଙ୍କ ପାଇଁ ଏହି ସହାୟତା ପ୍ରଦାନ କରାଯିବ । ପଞ୍ଜିକୃତ ଶିଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ ସହ ଆଡି କାର୍ଡ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ପର୍ଯ୍ୟନ୍ତ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏଥିପାଇଁ ସେମାନଙ୍କୁ ୫ ପ୍ରତିଶତ ସୁଧ ଦେବାକୁ ପଡିବ ।