ଆଜି ଜନ୍ମଦିନ ଅବସରରେ ଦିଲ୍ଲୀର ଦ୍ୱାରକା ସେକ୍ଟର 21ରୁ ‘ଯଶୋଭୂମି’ ଦ୍ୱାରକା ଷ୍ଟେସନ 25କୁ ସମ୍ପ୍ରସାରିତ ହୋଇଥିବା ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ଲାଇନର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱାରକା ସେକ୍ଟର 25 ରେ ନୂଆ ମେଟ୍ରୋ ଷ୍ଟେସନର ଉଦଘାଟନ ସହିତ ‘ଯଶୋଭୂମି’ ମଧ୍ୟ ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ଲାଇନ ସହିତ ସଂଯୁକ୍ତ ହେବ। ‘ଯଶୋଭୂମି’ ସମ୍ମିଳନୀ କେନ୍ଦ୍ରରେ ପହଞ୍ଚି ପିଏମ ମୋଦୀ କାରିଗରମାନଙ୍କ ସହ କଥାବାର୍ତ୍ତା କରିଛନ୍ତି।’ଯଶୋଭୂମି’ ବିଶ୍ୱର ସର୍ବବୃହତ MICE (ମିଟିଂ, ଇନସେଣ୍ଟିଭ୍, କନଫରେନ୍ସ, ଏବଂ ପ୍ରଦର୍ଶନୀ) ସୁବିଧା ମଧ୍ୟରୁ ଗୋଟିଏ ହେବ। 73,000 ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ 15 ଟି ସମ୍ମିଳନୀ କକ୍ଷ ରହିଛି, ଯେଉଁଥିରେ ମୁଖ୍ୟ ଅଡିଟୋରିୟମ୍, ଏକ ବଲ୍ ରୁମ୍ ଏବଂ 13 ଟି ମିଟିଂ ରୁମ୍ ରହିଛି, ଯେଉଁଥିରେ ସମୁଦାୟ 11,000 ପ୍ରତିନିଧୀ ବସିପାରିବେ। ଏହାକୁ ଅତି ନିଖୁଣ ଭାବେ ସଜାଯାଇଛି। ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ।