ଝଙ୍କଡ଼ (୨୧/୯) ଆମ ଭାରତୀୟ ସଂସ୍କୃତିରେ ବାପା ମାଆ ହେଉଛନ୍ତି ଜୀବନ୍ତ ଦେବତା । ଯେଉଁଠି କାନ୍ଧରେ ଭାରକରି ଶ୍ରବଣକୁମାର ବାପା ମାଆ ଙ୍କୁ ତୀର୍ଥଦର୍ଶନ କରାଇଥିଲେ । ହେଲେ ଦୁର୍ଭାଗ୍ୟ ର କଥା ସେଇ ପବିତ୍ରମାଟିରେ ଜନ୍ମ ଗ୍ରହଣ କରି , ଖୋଦ୍ ନିଜର ବୃଦ୍ଧ ବୃଦ୍ଧା ଓ ରୋଗିଣା ବାପା ମାଆ ଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲା | ଜଗତସିଂହପୁରଜିଲ୍ଲା ତିର୍ତ୍ତୋଲଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଅଧିନ ଗୋବରା ଗାଁଆ ର ସୁରେନ୍ଦ୍ର ବେହେରା (ଟୁକୁନା) ଙ୍କ ପୁଅ ଯଶୋବନ୍ତ ବେହେରା ଓ ବୋହୂ ହେମଲତା (ଟିକିନା) | ସାରଳାଙ୍କ ଠାକୁରାଣୀହାଟ ରେ ନଡିଆ ଓ ଝାଡୁ ପହଅଁରା ବିକି, ନିଜ ପରିବାର କୁ ପ୍ରତିପୋଷଣ କରିବା ସହିତ ପୁଅ ଯଶୋବନ୍ତ ଓରଫ ସଞ୍ଜୟ କୁ ଭଲବୋହୂ ଟିଏ ଦେଖି ବାହାଘର ବି କରାଇଦେଇଥିଲା ବାପା ଟୁକୁନା। ହେଲେ ପୁଅ ସଂଜୟ କୁ ବଡଲୋକ ହେବାର ନିଶା ଏମିତି ଘାରିଲା ଯେ ସେ ନିଜର କୁଳବେଉସା କୁ ଛାଡି, ବାପମାଆ ଙ୍କ କଥା ନମାନି ସାରଳାହାଟରେ ଚୋରା ମଦ ବିକ୍ରୀକରି ଭଲ ଦିପଇସା ରୋଜଗାର କରି ଚାଲିଲା। ସେଥିପାଇଁ ସେ ବାରମ୍ବାର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଧରାହୋଇଚି ଓ ଜେଲ ବି ଯାଇଛି । ହେଲେ ଜେଲ ରୁ ଫେରିଲା ପରେ ପୁଣି ସେଇ ବେପାର ରେ ମାତି ଯାଉଛି। ଅପର ପକ୍ଷରେ ଘରେ ପଡ଼ିରହିଥିବା ରୋଗିଣ। ବାପା ମାଆ ଙ୍କୁ ଚିକିତ୍ସା କରାଇବା ତ ଦୂରର କଥା , ଦୁଇ ଓଳା ପେଟପୂରା ଗଣ୍ଡାଏ ଖାଇବାକୁ ବି ଦେଉନଥିଲା ଏଇ କୁଳାଙ୍ଗାର ପୁଅ ସଞ୍ଜୟ ଆଉ ବୋହୂ ହେମଲତା ବେହେରା (ଟିକିନା) ।
ଏମିତି ଅବସ୍ଥାରେ ଯଦି କୌଣସି କଥାରେ ବାପମାଆ ମୁହଁ ଖୋଲିଲେ , ତାହେଲେ ପୁଅ ବୋହୂ ମିଶି ବାପା ମାଆ ଙ୍କୁ ମାରି ମାରି ନୟାନ୍ତ କରୁଥିଲେ। ଆଉ କହୁଥିଲେ ତମେ ଦିଇଟା ଘରଛାଡ଼ି କୁଆଡେ ଚାଲିଯାଉନ। କି ବିଷ ଟିକେ ପିଇ ମରିଯାଉନ। ଆମେ ଟିକେ ହେଲେ ଶାନ୍ତିରେ ରହନ୍ତୁ । ଏମିତି ଦିନ କୁ ଅକଥନୀୟ ଅତ୍ୟାଚାର ବଢ଼ି ଚାଲିଲା ବୁଢ଼ା ବୁଢ଼ୀ ଙ୍କ ଉପରେ । ଗୋଦର ଗୋଡରେ, ବାଡିଖଣ୍ଡେ ହାତରେ ଧରି ଟୁକୁନା ହାଟ କୁ ଚାଲି ଚାଲି ଯାଇ, ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ଗାଁ ପଡୋଶୀ ଭଦ୍ରଲୋକ ମାନଙ୍କ ପାଖରେ ନେହୁରା ବିନତି ହୋଇ କେତେ ଆପତ୍ତି ଅଭିଯୋଗ ଗୁହାରୀ କରିଛି । ସଞ୍ଜୟ କୁ ବି ସେମାନେ ସୁଧୁରି ଯାଇ ବାପା ମାଆ ଙ୍କ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ହେଲେ ସେ ସବୁ କିଛି କାମକଲାନି , କୁଳାଙ୍ଗାର ପୁଅ ସଞ୍ଜୟ ପାଖରେ ।
ଶେଷରେ ପୁଅ ବୋହୂ ଙ୍କର ଏହି ନିର୍ଯ୍ୟାତନା ସହି ନପାରି ଗତ ବିଶ୍ଵକର୍ମା ପୂଜା ରବିବାର ଦିନ ବାପା ସୁରେନ୍ଦ୍ରବେହେରା ଓ ବୋଉ ଝୁନିଲତା ବେହେରା ଘାସମରା ବିଷ ପିଇ ଦେଇଥିଲେ । ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଉଭୟ ଙ୍କୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇଥିଲେ ମଧ୍ୟ ସେଇଦିନ ରାତିରେ ମାଆ ଝୁନିଲତା ଆଖିବୁଜିଥିଲା ଆଉ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ପ୍ରାତଃ ସମୟରେ ବାପା ସୁରେନ୍ଦ୍ର ବେହେରା ମଧ୍ୟ ମୃତ୍ୟୁସହିତ ସଂଗ୍ରାମ କରି ଶେଷରେ ହାରିଯାଇଛନ୍ତି । ତେବେ ଏହି ଅଭାବନୀୟ ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ଯେ ଏମିତିକା ପୁଅ ବୋହୂ ଆଉ କେବେ କୋଉ ବାପା ମାଆ ଙ୍କୁ ନମିଲୁ ।