ନବଜାତକଙ୍କ ଫୁଟ୍‌ ପ୍ରିଣ୍ଟ୍‌ ନିଆଯିବା ସହ ଟ୍ୟାଗ୍‌ ଲଗାଯିବ

ରାଜ୍ୟ
Share

Untitled-1-120

ଭୁବନେଶ୍ୱର, ୭।୧୦ : କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଡିଏନ୍‌ଏ ରିପୋର୍ଟ ଆସିବା ପରେ ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କର ପୁଅ ନୁହେଁ, ଝିଅ ହୋଇଥିବା ସ୍ପଷ୍ଟ ହୋଇଛି। ତେବେ ଏଭଳି ଘଟଣା ପାଇଁ ହସ୍ପିଟାଲ ବଦନାମ ହୋଇଥିବାରୁ ଆଗକୁ ଯେପରି ଏହା ନ ଘଟିବ ସେଥିପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଏଣିକି ନବଜାତଙ୍କ ଗୋଡ଼ରେ ଟ୍ୟାଗ୍‌ ଲାଗିବ। ଜନ୍ମ ହେବା ମାତ୍ରେ ଫୁଟ୍‌ ପ୍ରିଣ୍ଟ ରଖାଯିବ। ଝିଅ କିମ୍ବା ପୁଅ ହୋଇଥିଲେ ଆଟେଣ୍ଡାଣ୍ଟମାନେ ଡାକ୍ତରଙ୍କ ପାଖରୁ ଖବର ନେଇ ପରିବାରକୁ ଦେବେ। ଫଳରେ ଆଉ ଭୁଲ୍‌ ମେସେଜ ଯିବ ନାହିଁ ବୋଲି ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି। ଏଥିସହ ଶିଶୁ ବଦଳ ନେଇ ମିଥ୍ୟା ଅଭିଯୋଗ ଆଣିଥିବା ପ୍ରାଣକୃଷ୍ଣଙ୍କ ଉପରେ କ୍ଷୋଭ ପ୍ରକାଶ କରି ସେ କହିଛନ୍ତି, ଜଣେ ଲୋକଙ୍କ ହୀନ ମାନସିକତା ଓ ଅବାଞ୍ଝିତ ମନ୍ତବ୍ୟ ପାଇଁ ହସ୍ପିଟାଲ ବଦନାମ ହେଲା।

ପୋଲିସଠାରୁ ଆରମ୍ଭ କରି କୋର୍ଟ ସମସ୍ତଙ୍କ ସମୟ ନଷ୍ଟ ହେଲା। ଏଭଳି କାର୍ଯ୍ୟ କରି ଯେଉଁ ବ୍ୟକ୍ତି ହସ୍ପିଟାଲକୁ ବଦନାମ କରିଛନ୍ତି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିବ ବୋଲି ନିର୍ଦ୍ଦେଶକ ସାହୁ କହିଛନ୍ତି। ସେପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ମନ୍ତବ୍ୟ ପରେ ପ୍ରାଣକୃଷ୍ଣ ନିଜ ପ୍ରତିକ୍ରିୟାରେ କହିଛନ୍ତି, ହସ୍ପିଟାଲରେ ମୋତେ ମିଛ ସୂଚନା ଦିଆଯିବାରୁ ମୁଁ ଡିଏନ୍‌ଏ ଟେଷ୍ଟ ପାଇଁ ବାଧ୍ୟ କଲି। ସେମାନେ ମୋତେ ଦୁଇ ପ୍ରକାର କଥା କାହିଁକି କହିଲେ। ତେଣୁ ମଁୁ ହସ୍ପିଟାଲ ନାଁରେ ମାନହାନୀ କେସ୍‌ କରିପାରିବି ବୋଲି ପ୍ରାଣକୃଷ୍ଣ କହିଛନ୍ତି।ସୂଚନାଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ହୋଇଥିବା ନେଇ ଗତ ସେପ୍ଟେମ୍ବର ୨୬ରେ କେନ୍ଦ୍ରାପଡ଼ା ଜିଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ଅଭିଯୋଗ ଆଣିଥିଲେ। ପ୍ରଥମେ ପୁଅ ଜନ୍ମ ହୋଇଥିବା କହି ପରେ ଝିଅ ଦିଆଯାଇଥିବାରୁ ସନ୍ଦେହ କରି କ୍ୟାପିଟାଲ ହସ୍ପିଟାଲ ଓ କ୍ୟାପିଟାଲ ଥାନାରେ ଏପରି ଅଭିଯୋଗ ଆଣିବା ସହ ଡିଏନ୍‌ଏ ଟେଷ୍ଟ ପାଇଁ ଦାବି କରିଥିଲେ। ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଏହାର ତଦନ୍ତ କରି ପ୍ରାଣକୃଷ୍ଣଙ୍କର ଝିଅ ହୋଇଥିବା ସ୍ପଷ୍ଟ କରିଥିଲା। ହେଲେ ପ୍ରାଣକୃଷ୍ଣ ଡିଏନ୍‌ଏ ଟେଷ୍ଟ ପାଇଁ ଅଡି ବସିବାରୁ ଥାନା ପକ୍ଷରୁ ଏନେଇ କୋର୍ଟଙ୍କଠାରୁ ଅନୁମତି ଅଣାଯାଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *