ବଳିଆ ଯୋଜନା ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି କଲେ ସରକାର

ରାଜ୍ୟ
Share

cm naveen

ଭୁବନେଶ୍ୱର : ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବାରେ ହସ୍ତତନ୍ତ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ କୁଟୀର ଶିଳ୍ପ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କର ଜୀବିକାର ମାଧ୍ୟମ ହୋଇଛି। ଅତ୍ୟନ୍ତ କଳାତ୍ମକ ଡିଜାଇନ୍‌, ନିଖୁଣ ଏବଂ ସୁନ୍ଦର ରୂପରେଖ ପାଇଁ ଓଡ଼ିଶାର ହସ୍ତତନ୍ତ ଦେଶବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ରାଜ୍ୟର ବୁଣାକାରମାନଙ୍କ ସାମାଜିକ-ଅର୍ଥନୈତିକ ସଶକ୍ତିକରଣକୁ ସୁଗମ କରିବା ସହିତ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାଧ୍ୟମରେ ବିଭିନ୍ନ ବିକାଶମୂଳକ ଏବଂ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକ୍ରମ କରାଯାଉଛି। ବୁଣାକାରମାନଙ୍କ ରୋଜଗାର ସୁନିଶ୍ଚିତ କରିବା, ଅର୍ଥନୈତିକ ଅବସ୍ଥାକୁ ସୁଦୃଢ଼ ଓ ସୁରକ୍ଷିତ କରିବା ଏହି ଯୋଜନାଗୁଡ଼ିକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ପ୍ରୟାସ ଏବଂ ହସ୍ତକ୍ଷେପ ଫଳରେ ରାଜ୍ୟରେ ହସ୍ତତନ୍ତ କ୍ଷେତ୍ରର ଅଭିବୃଦ୍ଧି ପ୍ରଣିଧାନ ଯୋଗ୍ୟ।
ବୁଣାକାର ଜୀବିକା ଓ ଆୟ ବୃଦ୍ଧି ସହାୟତା ଯୋଜନା(ବଳିଆ) ୨୦୨୨-୨୩ ଆର୍ଥିକ ବର୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୁଣାକାରଙ୍କ ନିମନ୍ତେ ଘୋଷଣା କରାଯାଇଥିବା ସ୍ବତନ୍ତ୍ର ପ୍ୟାକେଜ ଅନୁଯାୟୀ ପ୍ରଣୟନ କରାଯାଇଛି। ଏହି ଯୋଜନା ମାଧ୍ୟମରେ ୧୮-୭୦ ବର୍ଷ ମଧ୍ୟରେ ସମସ୍ତ ବୁଣାକାର ତଥା ବୟନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା।
ବାରମ୍ବାର ସୂତା, ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର ମୂଲ୍ୟ ବୃଦ୍ଧି ଯୋଗୁ, ବ୍ୟବସାୟରେ ନିରନ୍ତର ଅଭିବୃଦ୍ଧି ସହିତ ନିଜର ଉତ୍ପାଦନ ବିପଣନ କ୍ଷମତାକୁ ବୃଦ୍ଧି କରିବା ପାଇଁ ବୁଣାକାରର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତାରେ ବୃଦ୍ଧି ଆଣିବା ଦରକାର ପଡୁଥିଲା ଏବଂ ଏଥିପାଇଁ ୫୦ ହଜାର ଟଙ୍କା ଯଥେଷ୍ଟ ହେଉ ନ ଥିଲା। ତେଣୁ ଋଣ ରାଶିକୁ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାର ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।
ଏହି ଯୋଜନାର ନିମାନୁଯାୟୀ ବୁଣାକାରମାନେ ସେମାନଙ୍କର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକାରୀ ପୁଞ୍ଜି ବିନା ସୁଧରେ ଋଣ ଆକାରରେ ବ୍ୟାଙ୍କରୁ ପାଇପାରିବେ। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା ଦ୍ୱାରା ହିତାଧିକାରୀଙ୍କ ଆୟ ଏବଂ ଜୀବନଧାରଣ ମାନ ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *