ସ୍ବରୂପ ନାୟକ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ଅସାଧାରଣ ପ୍ରତିଭା

ରାଜ୍ୟ
Share

dggjgjgjgjgjd-750x430

କଟକ: ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ସ୍ବରୂପ ନାୟକ ତାଙ୍କର ପ୍ରତିଭାର ସ୍ବାକ୍ଷର ଛାଡ଼ି ଯାଇ ନାହାନ୍ତି। ଗୀତ ରଚନାରୁ ସଂଗୀତ ନିର୍ଦ୍ଦେଶନା, ସଂଳାପ, ଅଭିନୟ ପ୍ରତ୍ୟେକ କ୍ଷେତ୍ରରେ ଧୂରନ୍ଧର ଥିଲେ ସ୍ବରୂପ। ଅନେକ ପାଇଁ ସେ ତାଙ୍କ ଡାଙ୍କ ନାଁ ବାବୁ ନାମରେ ପରିଚିତ ଥିବା ବେଳେ ଅନେକ ତାଙ୍କୁ ଆଦରରେ ସ୍ବରୂପ ଦା’ ବୋଲି ବି ଡାକୁଥିଲେ। ଫିଲ୍ମ ଦୁନିଆର ଏଭଳି ଜଣେ ବିରଳ ବହୁମୁଖୀ ପ୍ରତିଭାଙ୍କ ପରଲୋକରେ ତାଙ୍କୁ ଝୁରୁଛନ୍ତି ତାଙ୍କର ଅଗଣିତ ପ୍ରଶଂସକ, ଶୁଭେଚ୍ଛୁ।
ସ୍ବରୂପ ନାୟକଙ୍କ ବଡ଼ ଭ‌ାଇ ସାରଦା ପ୍ରସନ୍ନ ନାୟକ ଡ୍ରାମା ଲେଖୁଥିଲେ। ପାର୍ବତୀ ନାୟକ (ପରେ ଘୋଷ), ଭିଣୋଇ ଗୌର ଘୋଷ ମଧ୍ୟ ଅଭିନୟ କରୁଥିଲେ। ତିନି ଜଣଯାକ ଶ୍ରମିକ ଆନ୍ଦୋଳନ ସହ ସଂପୃକ୍ତ ଥିଲେ। ଏହାର ପ୍ରଭାବ ପଡ଼ିଥିଲା ସ୍ବରୂପଙ୍କ ଉପରେ। ସ୍ବରୂପ କିଛି ଦିନ ଅଭିନୟ ଛାଡି ସମଲ ବ୍ୟାରେଜ୍‌ରେ ଠିକାଦାରଙ୍କ ପାଖରେ କାର୍ଯ୍ୟ କରିଥିଲେ। ସେଠାରେ ଶ୍ରମିକଙ୍କ ଉପରେ ଚାଲିଥିବା ‌ଶୋଷଣ ଦେଖିଥିଲେ। ସେଇଠୁ ଫେରି ସେ ଗୀତ ରଚନା ଆରମ୍ଭ କରିଥିଲେ। ଯେଉଁଥିରେ ସାଧାରଣ ମଣିଷଙ୍କ ଦୁଃଖ ରହିଥିଲା।
ଡୋରା ସିନେମାରେ ‘ଆଲୋ ମୋ କଣ୍ଢେଇ….’ ଗୀତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା, ଯାହାକୁ ସ୍ବରୂପ ନାୟକ ଲେଖିଥିଲେ। ଏହା ପରେ ପ୍ରଶାନ୍ତ ନନ୍ଦ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ହୀରାନୀଳା’ରେ ସଂଗୀତ ନ‌ି‌ର୍ଦ୍ଦେଶନା ପାଇଁ ସ୍ବରୂପଙ୍କୁ ପ୍ରବର୍ତ୍ତାଇ ଥିଲେ। ପ୍ରଥମେ ମନା କରୁଥିବା ସ୍ବରୂପ ଶେଷରେ ସଂଗୀତ ନିର୍ଦ୍ଦେଶନା ଦେଇ ସଫଳତା ପାଇଥିଲେ।
ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକଙ୍କ ପରଲୋକ ଖବର ପାଇ ସିଡିଏ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ସିନେମା ପ୍ରଯୋଜକ ବସନ୍ତ ସାହୁ, ସଂଜୟ ନାଏକ, ନାଟ୍ୟକାର ସଂଜିତ ପଟ୍ଟନାୟକ, ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଭିନେତା ଶ୍ରୀତମ ଦାସ, ଡାକ୍ତର ଇନ୍ଦୁଭୂଷଣ କର, ଗୀତିକାର କମଳ କୁମାର ପଟ୍ଟନାୟକ, ତରୁଣକାନ୍ତି ରାଉତ, ସଂଗୀତକାର ଦେବୀ ପ୍ରସାଦ ମହାନ୍ତି, ଶ୍ରମିକ ସଂଗଠନ ନେତା ଉତ୍କଳଭୂଷଣ ରାଉତରାୟ, କଟକ ନାଗରିକ ମହାସଭାର ସଭାପତି ଡାକ୍ତର ରବିରଞ୍ଜନ ସାହୁ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ।
ପୂର୍ବରୁ ବାଲିଯାତ୍ରା ସମୟରେ ଗଡ଼ଖାଇ ମଧ୍ୟରେ ସଂସ୍କୃତି ବିହାର ପକ୍ଷରୁ ଗଣକବି ବୈ‌ଷ୍ଣବ ପାଣିଙ୍କ ରଚିତ ବିଭିନ୍ନ ନୃତ୍ୟନାଟିକା ପରିବେଷଣ କରାଯାଉଥିଲା। ନାରାୟଣ ପ୍ରସାଦ ସିଂହ ତାହାର ନିର୍ଦ୍ଦେଶନା ଦେଉଥିବା ବେଳେ ଅନେକ ନୃତ୍ୟ ନାଟିକାରେ ସ୍ବରୂପ ନାୟକ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। କର୍ଣ୍ଣ ବଧ, ଗୋଧନ ହରଣ ଭଳି ନାଟିକାରେ ସେ ଚିତ୍ତାକର୍ଷକ ଅଭିନୟ କରୁଥିଲେ।
ଭକ୍ତମଧୁ ବିଦ୍ୟାପୀଠରେ ସପ୍ତମ ଶ୍ରେଣୀରେ ପଢ଼ିବା ବେଳେ ସେ ଗୀତ ଲେଖିବା ଆରମ୍ଭ କରିଥିଲେ। ପିଲାଟି ଦିନରୁ ତାଙ୍କ ପ୍ରତିଭା ଚିହ୍ନଥିଲେ ବଡ଼ ଭାଇ ଶାରଦା ପ୍ରସନ୍ନ ଓ ଭଉଣୀ ପାର୍ବତୀ ଘୋଷ। ଖ୍ରୀଷ୍ଟିଆନ ଭାଇମାନଙ୍କ କୀର୍ତ୍ତନ ପାଇଁ ଗୀତ ଲେଖିବା ସହ ମୁସଲିମ୍ ଭାଇଙ୍କ ପାଇଁ କବାଲି ବୋଲୁଥିଲେ ସେ। କାଫ୍‌ଲାବଜାରରେ ରହିବା ସମୟରେ ସ୍ବରୂପ ନାୟକଙ୍କ ପରିବାରର ପଡୋଶୀ ଥିଲେ ବହୁ ଖ୍ରୀଷ୍ଟିଆନ ଓ ମୁସଲିମ୍ ପରିବାର। ସେଇଠୁ ତାଙ୍କର ଉଭୟ ସଂପ୍ରଦାୟ ପ୍ରତି ସମ୍ମାନ ଓ ସ୍ନେହ ବଢିଥିଲା।
ଓଡ଼ିଆ ସିନେମା ଓ ସଂଗୀତ ଜଗତରେ ସାଟାୟାର ଗୀତ( ବ୍ୟଙ୍ଗକବିତା)ର ସୃ‌ଷ୍ଟିକର୍ତ୍ତା ଥିଲେ ସ୍ବରୂପ ନାୟକ। ୧୯୭୩/୭୪ ମସିହା ପରେ ତାଙ୍କ ରଚିତ ସାଟାୟାର ଗୀତ ‘ଚାଲିଲା ଗାଡ଼ି, ବାଦାମବାଡ଼ି….’, ଲେ ନବୀନା, ଟିକେ ପଛକୁ ଅନା…, ବାଟଛାଡ ଆସୁଛି, ଦଶରା ବଜାର ମେଢ଼…, ବାବାରେ ଆଲୁଅ ବାଞ୍ଛା ଗଲ ଗଲ….’ ଓଡ଼ିଶାରେ ଚହଳ ସୃ୍ଷ୍ଟି କରିଥିଲା। ଏସବୁ ଗୀତକୁ ଶ୍ରୀକାନ୍ତ ଦାସ ଗାଇ ବେଶ୍ ସୁନାମ ଓ ‌ଲୋକପ୍ରିୟତା ଅର୍ଜନ କରିଥିଲେ। ସ୍ବରୂପଙ୍କ ପରେ ଅନ୍ୟ ଗୀତିକାରମାନେ ଏହି ଧାରାକୁ ଆପଣେଇ ଥିଲେ। ସ୍ବରୂପ ମଧ୍ୟ ପରବର୍ତ୍ତୀ ସମୟରେ ଏହି ଧାରାକୁ ଚଳଚ୍ଚିତ୍ରରେ ପ୍ରୟୋଗ କରିଥିଲେ। ‘ରୂପା ନାନି ଲୋ ତୁ ତ ଆମ ଗାଁ ବଡ଼ ଦାନା ଚିନି…., ଭଲ ବ୍ୟବସାୟ ରାଜନୀତି.. ଭଳି ସଂଗୀତ ପରେ ସିନେମାରେ ଭଲ ଚାଲିଥିଲା।
ଏକ ସମୟରେ ଓଡ଼ିଆ ସିନେମାରେ ମୁମ୍ବାଇ କଣ୍ଠଶିଳ୍ପୀଙ୍କ ଗୁରୁତ୍ବ ଓ ପ୍ରାଧାନ୍ୟ ଥିଲା। ଏହାକୁ ଦୃଢ଼ ବିରୋଧ କରୁଥିଲେ ସ୍ବରୂପ ନାୟକ। ଏଥି ପାଇଁ ତାଙ୍କର ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ସହ ମତାନ୍ତର ହୋଇଥିଲା। ସେ କହୁଥିଲେ, ଓଡ଼ିଶାରେ କ’ଣ କଣ୍ଠଶିଳ୍ପୀ ଅଭାବ? ଏହାର ଫଳସ୍ବରୂପ ଟି. ସୌରୀ, ଶୈଳଭାମା, କୁମାର ବାପି, ଶ୍ରୀକାନ୍ତ ଦାସ, ଇରା ମହାନ୍ତି, ତପୁ ମିଶ୍ରଙ୍କ ଭଳି ସଂଗୀତ ପ୍ରତିଭା ଆଜି ଓଡ଼ିଶାରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। ଓଡ଼ିଶା ପାଇଁ, ଓଡ଼ିଆ ସଂଗୀତ ଜଗତ ପାଇଁ ଏହା ତାଙ୍କର ସବୁଠୁ ବଡ଼ ଅବଦାନ।
ସ୍ବରୂପ ନାୟକ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ଅସାଧାରଣ ପ୍ରତିଭା। ଅଭିନୟ, ସଂଗୀତ ନିର୍ଦ୍ଦେଶନାଠୁ ଆରମ୍ଭ କରି ସବୁକ୍ଷେତ‌୍ରରେ ସେ ନିଜର ଛାପ ଛାଡ଼ିଯାଇଛନ୍ତି। ଲକ୍ଷ୍ମୀ ସ‌ିନେମାର ହାସ୍ୟ ଅଭିନୟ, କଳି ଯୁଗ କୃଷ୍ଣରେ ନଟଖଟ ଭୂମିକା, ପରବର୍ତ୍ତୀ ସମୟରେ ଚରିତ୍ର ଅଭ‌ିନେତା, ଖଳନାୟକ ଆଦି ସବୁ ଭୂମିକାରେ ସେ ନିଖୁଣ ଅଭିନୟ କରି ପୂର୍ଣ୍ଣାଙ୍ଗ ଅଭିନେତାର ପରିଚୟ ଦେଇଥିଲେ। ତାଙ୍କର ସବଠୁ ବଡ଼ ଅବଦାନ ହେଉଛି, ଓଡ଼ିଆ ସିନେମାରେ ଓଡ଼ିଆ କଣ୍ଠଶିଳ୍ପୀଙ୍କୁ ସୁଯୋଗ ଦେବା। ମୋତେ ଗୀତିକାର କରିବାରେ ତାଙ୍କ ପ୍ରେରଣା, ପ୍ରୋତ୍ସାହନ ଓ ପରାମର୍ଶକୁ ‌କେବେ ଭୁଲି ହେବ ନାହିଁ। ସେ ସୃ‌ଷ୍ଟି କରିଥିବା ଅସଂଖ୍ୟ ଗୀତିକାର, କଣ୍ଠଶିଳ୍ପୀଙ୍କ ମଧ୍ୟରେ ସେ ଅମର ହୋଇ ରହିବେ ବୋଲି କହିଛନ୍ତି ବିଶିଷ୍ଟ ଗୀତିକାର ବିଜୟ ମଲ୍ଲ।

Leave a Reply

Your email address will not be published. Required fields are marked *