ଶି​ଳ୍ପ ସଂସ୍ଥାର ବର୍ଜ୍ୟରେ ଜଳ ବିଷାକ୍ତ, ଚାଷରୁ ମୁହଁ ଫେରାଇଲେଣି ଚାଷୀ

ରାଜ୍ୟ
Share

brahmani-river4-750x430

ଅନୁଗୁଳ : ଓଡ଼ିଶାର ଦ୍ବିତୀୟ ବୃହତ୍ତମ ନଦୀ ବ୍ରହ୍ମଣୀର ଜଳ ପ୍ରବାହ ଏତେ କେବଳ ହ୍ରାସ ପାଇଛି ତା’ ନୁହେଁ, ନଦୀର ପାଣି ମଧ୍ୟ ଦୂଷିତ। ସୁନ୍ଦରଗଡ଼, ଅନୁଗୁଳ, ତାଳଚେର ଏବଂ ଢେଙ୍କାନାଳ ଜିଲ୍ଲାରେ ଗଢ଼ି ଉଠିଥିବା ଶିଳ୍ପ କାରଖାନାରୁ ନିର୍ଗତ ବିଷାକ୍ତ ତରଳ ରାସାୟନିକ ବର୍ଜ୍ୟ ପଦାର୍ଥ ଏବେ ଏହି ନଦୀ ପେଟରେ। ଏହି ଜଳ ଚାଷ ଲାଗି ଆଉ ଉପଯୋଗୀ ହେଉ ନାହିଁ। ଅଧାରୁ ଅଧିକ ଚାଷୀ ଏବେ ଚାଷରୁ ମୁହଁ ଫେରାଇ ନେଉଛନ୍ତି। କେବଳ ସେତିକି ନୁହେଁ, ଚାଷୀ ଚାଷ ଛା଼ଡ଼ିବାର ଅନ୍ୟ ଏକ କାରଣ ହେଲା- ଚାଷ ଜମିକୁ ଜଳସେଚନ ଲାଗି ତିଆରି ହୋଇଥିବା ଛୋଟବଡ଼ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ଅନେକ ଅଚଳ। ବିଶେଷଜ୍ଞଙ୍କ ମତରେ ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରେ ଥିବା କାରଖାନାକୁ ଏହି ନଦୀରୁ ଜଳ ଉତ୍ତୋଳନ କରାଯାଉଛି। ସଂପୃକ୍ତ କାରଖାନାଗୁଡ଼ିକ ଉଚ୍ଚ କ୍ଷମତାସଂପନ୍ନ ପମ୍ପ ଦ୍ବାରା ମାତ୍ରାଧିକ ଜଳ ବ୍ୟବହାର କରୁଥିବାରୁ ଚାଷଲାଗି ଜଳାଭାବ ରହୁଛି। ଢେଙ୍କାନାଳ ଓ ଅନୁଗୁଳର ଚାଷଜମି ଏବେ ବେଣା ଓ ଖରିବଣରେ ଭର୍ତ୍ତି।
ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାର ୩ଟି ବ୍ଲକ୍‌ ଏବଂ ଢେଙ୍କାନାଳ ଜିଲ୍ଲାର ୬ଟି ବ୍ଲକ୍‌କୁ ବ୍ରାହ୍ମଣୀ ନଦୀ ସ୍ପର୍ଶ କରିଛି। ଏହା ହିଁ ବୟାନ କରେ ଯେ ବ୍ରାହ୍ମଣୀ ଉପରେ କେତେ ଲୋକ ନିର୍ଭରଶୀଳ। ଅନୁଗୁଳ ଜିଲ୍ଲାର ନନ୍ଦିରା ନାଳ ଏବଂ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ରେ ପ୍ରବାହିତ କିସିନ୍ଦା ନାଳ ବ୍ରାହ୍ମଣୀକୁ ଦୂଷିତ କରିବାର ପ୍ରମୁଖ ମାଧ୍ୟମ ପାଲଟିଛି। ୨୦୧୭ରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଦ୍ବାରା ବ୍ରାହ୍ମଣୀ ନଦୀ ସମୂହର ୪୧ଟି ସ୍ଥାନରେ କରାଯାଇଥିବା ପରୀକ୍ଷଣରୁ ଜଣାପଡ଼ିଛି ଯେ ନଦୀର ଜଳ ସର୍ବନିମ୍ନ ବ୍ୟବହାର ଲାଗି ଅନୁପଯୁକ୍ତ। ନଦୀଜଳ ପ୍ରଦୂଷଣ ସଂପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ କିମ୍ବା ବ୍ରାହ୍ମଣୀ ଜଳ ବ୍ୟବହାର ଯୋଗ୍ୟ ହେଲାଣି, ଏକଥା ସରକାର କହୁନାହାନ୍ତି। କେବଳ ମହାନଦୀ ପ୍ରତି ଯେ ବିପଦ ଦେଖାଦେଇଛି, ତା’ ନୁହେଁ, ବ୍ରାହ୍ମଣୀ ବି ଅଧାଦିନ ଶୁଷ୍କ ମରୁଭୂମି ଭଳି କିଛି ସ୍ଥାନରେ ପ୍ରତୀୟମାନ ହେଉଛି ଏବଂ ଆଉ କିଛି ଅଞ୍ଚଳ ନର୍ଦ୍ଦମା ଭଳି ଦେଖାଯାଉଛି।

Leave a Reply

Your email address will not be published. Required fields are marked *