ଇବ୍ରିସିଂ ଯାଆଁବେଡୁଆଁ ପିପଳା ଦଣ୍ଡା ଓ.ପି.ଟି.ସି.ଏଲ ପ୍ରକଳ୍ପକୁ ନେଇ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି

ରାଜ୍ୟ
Share

ତିର୍ତ୍ତୋଲ। :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତ ଯାଆଁବେଡୁଆଁ ପିପଳା ଦଣ୍ଡାରେ ପ୍ରସ୍ତାବିତ ମେଗା ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ପାଇଁ ଦୁଇବର୍ଷ ତଳେ ଜନଶୁଣାଣୀ ହୋଇଥିଲା ।  ଜନଶୁଣାଣୀ ବେଳେ ଲୋକଙ୍କ ସମାସ୍ୟା ସମାଧାନ ତଥା ଦାବି ପୁରଣ କରି ସ୍ଥାନୀୟ ଲୋକଙ୍କ ସହମତିରେ ପ୍ରକଳ୍ପ ନିର୍ମାଣ ହେବ ବୋଲି ପ୍ରଶାସନ ଘୋଷଣା କରାଯାଇଥିଲା । ଏବେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରି ପ୍ରକଳ୍ପ ନିର୍ମାଣ କରିବାକୁ ଉଦ୍ୟମକୁ ବିରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ।ତିର୍ତ୍ତୋଲ ବ୍ଲକ ଇବ୍ରିସିଂ ପଞ୍ଚାୟତ ଯାଆଁବେଡୁଆଁ ଗ୍ରାମ ପିପଳ ଦଣ୍ଡାରେ ଓ.ପି.ଟି.ସି.ଏଲ ପକ୍ଷରୁ ବିଦ୍ୟୁତ ଗ୍ରୀଡ୍ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା । ୫୫ନମ୍ବର ଜାତୀୟ ରାଜପଥ ଓ ୧୨ନମ୍ବର କେନାଲକୁ ଲାଗି ଥିବା ପିପଳା ଦଣ୍ଡାର ୧୧୨ଏକର ସରକାରୀ ସଂରକ୍ଷିତ ଜମି ମଧ୍ୟରୁ ୫୪ଏକର ଜମିରେ ଆଠଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଓ.ପି.ଟି.ସି.ଏଲ ପ୍ରକଳ୍ପ ନିର୍ମାଣ ହେବାକୁ ରହିଛି ।

ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ଗ୍ରୀଡ୍ ନିର୍ମାଣ କରାଯାଇ ସମଗ୍ର ଜଗତସିଂହପୁର ଜିଲ୍ଲା ସମେତ ପାରାଦ୍ୱୀପ ଶିଳ୍ପାଞ୍ଚଳକୁ ବିଦ୍ୟୁତ ସରବରାହ ବ୍ୟବସ୍ଥା ନିୟନ୍ତ୍ରିତ କରାଯିବାକୁ ରହିଥିବା ବେଳେ ପ୍ରକଳ୍ପ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ତିର୍ତ୍ତୋଲ ତହସିଲଦାରଙ୍କ ପକ୍ଷରୁ୨୦୨୧ମସିହାରେ ଯାଆଁବେଡୁଆଁ ଗ୍ରାମରେ ଜନଶୁଣାଣୀ କରାଯାଇଥିଲା।ଚାଷଜମିକୁ ରାସ୍ତା,ଅଞ୍ଚଳର ଜଳନିଷ୍କାସନ ପାଇଁ ଜମି ଓ ଚାଷୀଙ୍କ ପାଇଁ ଶସ୍ୟ ଅମଳ ଖଳା ପାଇଁ ଜମି ଓ ପ୍ରକଳ୍ପ ନିର୍ମାଣରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦାବି କରାଯାଇଥିଲା।ସ୍ଥାନୀୟ ଲୋକଙ୍କ ଦାବିକୁ ଅଣଦେଖା କରି ଗତ ୪ଦିନ ତଳେ ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯିବାରୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।ଦାବି ପୁରଣ ନହେଲେ ପ୍ରକଳ୍ପ କରାଇଦେବୁ ନାହିଁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।ପ୍ରସ୍ତାବିତ ପ୍ରକଳ୍ପଟି ୫୫ନମ୍ବର ଜାତୀୟ ରାଜପଥ ଓ ୧୨ନମ୍ବର କେନାଲ ପାଖକୁ ଲାଗି ନିର୍ମାଣ କରାଯିବାକୁ ଥିବାରୁ ଇବ୍ରିସିଂ ପଞ୍ଚାୟତର ଯାଆଁବେଡୁଆଁ, ପାଇକସାହୀ,ଇବ୍ରିସିଂ, ଗୌଡସାହୀ,ସାନିଲୋ, ବନ୍ଧମୁଣ୍ଡୀ ଆଦି ଗ୍ରାମ ଓ ଚାଷଜମିରୁ ଜଳନିଷ୍କାସନ ବାଧ୍ୟାପ୍ରାପ୍ତ ହେବ ବୋଲି ଆଶଙ୍କା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।ଏହି ପିପଳା ଦଣ୍ଡା ଉପରେ ଆଖପାଖ ତିନୋଟି ପଞ୍ଚାୟତର ଗୃହପାଳିତ ପଶୁ ନିର୍ଭର କରୁଥିବା ବେଳେ ଲୋକଙ୍କ ଚାଷବାସ ପ୍ରଭାବିତ ହେବ ବୋଲି ଅଭିଯୋଗ ହୋଇଛି।ସ୍ଥାନୀୟ ଲୋକଙ୍କ ସମାସ୍ୟା ଓ ଦାବିକୁ ଅଣଦେଖା କରାଯାଉଥିବାରୁ ପ୍ରକଳ୍ପକୁ ଲୋକ ବିରୋଧ କରୁଥିବା କହିଛନ୍ତି ଅଞ୍ଚଳବାସୀ।ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ପ୍ରକଳ୍ପ କର୍ତ୍ତୃପକ୍ଷ ବେଖାତିର କରି ଗତ ୪ଦିନ ତଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା।ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି।ସ୍ଥାନୀୟ ଲୋକଙ୍କ ଦାବି ପୁରଣ ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି କ୍ଷତିଗ୍ରସ୍ତ ଚାଷୀ ଚେତାବନୀ ଦେଇଛନ୍ତି।

ଇବ୍ରିସିଂ ପଞ୍ଚାୟତର ଯାଆଁବେଡୁଆଁ, ପାଇକସାହୀ, ଇବ୍ରିସିଂ, ଗୌଡସାହୀ, ସାନିଲୋ, ବନ୍ଧମୁଣ୍ଡି,ଅଟିମଟି,ହାଜିପୁର ଆଦି ଗ୍ରାମର ଲୋକ ପ୍ରତେକ୍ଷ ଓ ପରୋକ୍ଷ ଭାବେ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ସମାସ୍ୟା ସମାଧାନ ପାଇଁ ଉଭୟ ପ୍ରକଳ୍ପ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନନେଲେ ବଡଧରଣର ଆନ୍ଦୋଳନ ହେବାର ସମ୍ଭାବନା ରହିଛି।ଯାଆଁବେଡୁଆଁ ଗ୍ରାମ ସମେତ ଇବ୍ରିସିଂ ପଞ୍ଚାୟତର ରବିନ୍ଦ୍ର କୁମାର ଦାସ, ଦୁର୍ଗା ଚରଣ ଦାସ, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ଧୀରେନ୍ଦ୍ର ଦାସ,ନାରାୟଣ ମଲ୍ଲିକ, ଶାରଦା ସ୍ୱାଇଁ,ପ୍ରଶାନ୍ତ ସ୍ୱାଇଁ, ନୃସିଂହ ବେହେରା, ଗୋପାଳ କୃଷ୍ଣ ଦାସ,ସଂଜୟ ଖଣ୍ଡୁଆଳ,ଶଶୀକାନ୍ତ ଦାସ,ମନୋଜ ପଣ୍ଡା, ତାରାକାନ୍ତ ଗିରି,ରାଜକିଶୋର ସ୍ୱାଇଁ, ସଂଗ୍ରାମ କିଶୋର ସ୍ୱାଇଁ, ଶତୃଘନ ଦାସ,ସରୋଜ କୁମାର ଦଳାଇ ଓ ବିଶ୍ୱନାଥ ଦାସଙ୍କ ସମେତ ସ୍ଥାନୀୟ ଶତାଧିକ ଚାଷୀ ପ୍ରଶାସନ ସମାସ୍ୟାର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।ସମାସ୍ୟା ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଓ ବଡଧରଣର ଚାଷୀ ଆନ୍ଦୋଳନ ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *