ଝଙ୍କଡ଼ : ତାଳଦଣ୍ଡା କେନାଲର ନୂଆପଡ଼ା ଠାରୁ ବାହାରିଥିବା ୧୨ ନମ୍ବର ଶାରଳାକେନାଲ ର ଏକ ଶାଖା କେନାଲ , ତୁରୁଖା ବନଦୂର୍ଗା ଙ୍କ ନିକଟରୁ ଯାଇଥିବା ଜି ୱାନ କେନାଲବନ୍ଧ ରାସ୍ତା ଟି ଅଇରି, ଧମିଲ, ଦେଇ ନରୁଆ ଶ୍ରୀରାମପୁର ପର୍ଯ୍ୟନ୍ତ ୫ କିଲୋ ମିଟର ପର୍ଯ୍ୟନ୍ତ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଏହି କେନାଲବନ୍ଧ ରାସ୍ତାରେ , ଗୋବିନ୍ଦପୁର , କୋଷ୍ଟିମଲ୍ଲିକାପୁର , ଗରାମ , କନକପୁର , ଜଗନ୍ନାଥପୁର ଓ ତୁଳଙ୍ଗ ଆଦି ୧୦/୧୨ ଟି ପଞ୍ଚାୟତ ର ଲୋକମାନେ ଯାତାୟତ କରିଥାନ୍ତି । ବିଶେଷ କରି, ମଣିଜଙ୍ଗା ଠାରୁ ଏରସମା ରାସ୍ତାରେ ପହଞ୍ଚିବା ପାଇଁ ଏହା ଏକ ସ୍ୱଳ୍ପ ଦୂରତା ସମ୍ପନ୍ନ କେନାଲବନ୍ଧ ରାସ୍ତା ହୋଇଥିବାରୁ , ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଯାନବାହନ ଚଳାଚଳ ହୋଇଥାଏ। ବହୁବର୍ଷ ପୂର୍ବରୁ ଏହି ରାସ୍ତାରେ ଅଳ୍ପ କିଛି ପିଚୁ କରଯାଇଥିବା ବେଳେ , ସେସବୁ ଉଠିଗଲାଣି । ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତାରେ ଯେଉଁଠି ମେଟାଲ ମହରମ୍ ବିଛା ଯାଇଥିଲା , ତାହା ମଧ୍ୟ ଉଠିଗଲାଣି। ରାସ୍ତାର ଉଭୟ ପାର୍ଶ୍ଵରେ ଖାଲ ଖମା ସୃଷ୍ଟି ହୋଇଥିବାରୁ, ଯାତାୟତ ସମୟରେ ଲୋକମାନେ ନାହଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କେନାଲବନ୍ଧ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ତରଫରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ , ଏହି ତୂରୁଖା – ନାରୁଆ ୧୨ ନମ୍ବର ଜି ୱାନ କେନାଲବନ୍ଧ ରାସ୍ତାଟି ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ପ୍ରତି ଦି ଚାରି ବର୍ଷରେ ଥରେ ଅଧେ ଠିକାଦାର ମାନେ, ନାଲି ମହରମ ଗଣ୍ଡାଏ ବିଛାଇ ଦେଇ ଲକ୍ଷ ଲକ୍ଷ ଟଙ୍କା ବିଲ କରି ନେଉଛନ୍ତି । ଯାହାଫଳରେ ଏହି ରାସ୍ତାଟି ମରଣଯନ୍ତା ରେ ପରିଣତ ହୋଇଛି । ଜଳସମ୍ପଦ ବିଭାଗର ଯନ୍ତ୍ରୀ ଓ ବିଭାଗୀୟ ଉଚ୍ଚପଦାଧିକାରୀ ମାନେ ଏହି ରାସ୍ତାର ଦୂରାବସ୍ଥା ର ସ୍ଥିତି ଅନୁଧ୍ୟାନ କରି , ଏହାକୁ ସମ୍ପୂର୍ଣ ପିଚୁରାସ୍ତା ରେ ପରିଣତ କରିବାନିମନ୍ତେ , ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।