ସାରଳା ମନ୍ଦିର ହୁଣ୍ଡିରୁ ଚୋରି ସଂପର୍କରେ ପୋଲିସପକ୍ଷରୁ ସାମ୍ୱାଦିକ ସମ୍ମିଳନୀ

ରାଜ୍ୟ
Share

ଝଙ୍କଡ଼ : ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ସାରଳାଙ୍କ ଏକ ନମ୍ବର ଦାନବାକ୍ସ (ହୁଣ୍ଡି) ରୁ ଗତ ୧୪ ତାରିଖ ଦିନ ବିଳମ୍ବିତ ରାତିରେ, କଟର ମେସିନ୍ ଦ୍ବାରା ତାଲା ଭାଙ୍ଗି ଚୋରି ହୋଇଥିବା ଟଙ୍କାକୁ ଉଦ୍ଧାର କରିବା ପାଇଁ ତିର୍ତ୍ତୋଲ ପୋଲିସ ତତ୍ପର ହୋଇ ଉଠିଥିଲା । ଜଗତସିଂହପୁର ଜିଲ୍ଲା ପୋଲିସ ଏସ ପି , ପି ଆର୍ ରାହୁଲ ଙ୍କ ନିର୍ଦ୍ଦେଶକ୍ରମେ ଓ ଆଡିଶିନାଲ ଏସପି, ଜୟନ୍ତ କୁମାର ମହାପାତ୍ର ଙ୍କ ତତ୍ବାବଧାନରେ  ତିର୍ତ୍ତୋଲ ଥାନା ଆଇଆଇସି ଅଭିମନ୍ୟୁ ନାୟକ, କନକପୁର ପୋଲିସ୍ ଫାଣ୍ଡିର ଅଧିକାରୀ ରାଜେନ୍ଦ୍ର କୁମାର ଭୋଳଙ୍କ ସମେତ ଏକ ୫ ଜଣିଆ ସ୍କ୍ୱାର୍ଡପାଟି  ଗଠିତ ହେବାପରେ, ମୁଖ୍ୟ ଓ ଏକମାତ୍ର ଅଭିଯୁକ୍ତର ଟେଲିଫୋନ କୁ ଟ୍ରାକ କରି ଅନୁସନ୍ଧାନ ଚଳାଇଥିଲେ । ତେବେ ଗତ ଶନିବାର ଦିନ ଏହି ସ୍କ୍ୱାର୍ଡ ପାର୍ଟି , ମୟୂରଭଞ୍ଜ  ଜିଲ୍ଲା କରଞ୍ଜିଆର ଏକ ହୋଟେଲରୁ ଆସାମୀକୁ ଗିରଫ କରିବା ସହିତ ତା ପାଖରେ ଥିବା ୧ଲକ୍ଷ ୮୫ ହଜାର ୧୯୬ ଟଙ୍କାକୁ ଉଦ୍ଧାର କରିଥିଲେ | ଏହି  ପରିପ୍ରେକ୍ଷୀରେ  ପୋଲିସ ପକ୍ଷରୁ ତିର୍ତ୍ତୋଲ ଥାନାରେ ଏକ ସାମ୍ୱାଦିକ ସମ୍ମିଳନୀ କରାଯାଇଥିଲା |  ଉକ୍ତ ସାମ୍ବାଦିକ ସମ୍ମିଳନୀରେ  ଅତିରିକ୍ତ ପୋଲିସ ଏସପି ଜୟନ୍ତ କୁମାର ମହାପାତ୍ର ସାମ୍ୱାଦିକମାନଙ୍କର  ପ୍ରଶ୍ନର ଉତ୍ତର ଦେଇ କହିଲେ ଯେ, ଏହି ଘଟଣାର ମୁଖ୍ୟ ଅଧିଯୁକ୍ତର ନାମ ୠଷି ମହାନ୍ତ |  ତାର ବୟସ ୨୧ ବର୍ଷ | ସେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ କୋରି ଗ୍ରାମର ଅଧିବାସୀ । ଗତ ଜୁନ ମାସରେ ସେ ଜଗତସିଂହପୁର ଜିଲ୍ଲାକୁ ଆସି, ମା ସାରଳା ମନ୍ଦିରର ହୁଣ୍ଡିକୁ ଠାବ କରି, ଏଥିରୁ ଟଙ୍କା ଚୋରିକରିବା ପାଇଁ ଯୋଜନା କରିଥିଲା । ପରେ ପରେ ଗତ ଡ଼ିସେମ୍ବର ୧୨ ତାରିଖରେ ଏଠାକୁ  ପୁଣି ଆସି, ୧୪ ତାରିଖ ବିଳମ୍ବିତ ରାତିରେ କଟର ମେସିନ ଦ୍ବାରା ତାଲା  ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଇ ଫେରାର ହୋଇ ଯାଇଥିଲା । ହେଲେ ମାତ୍ର ତିନି ଦିନ ମଧ୍ୟରେ ତିର୍ତ୍ତୋଲ ପୋଲିସର ଛାନଭିନ ଯୋଗୁଁ ଚୋରି ଟଙ୍କା ଜବତ ସହିତ, ଗୋଟିଏ ଲେଦର ବ୍ୟାଗ୍ ରୁ ଆଉ ଏକ କଟର ମେସିନ୍ ଓ ଦୁଇଟି ମୋବାଇଲ ଫୋନ କୁ ମଧ୍ୟ ପୋଲିସ ଜବତ କରିଛି । ଯଦି ଏହି ଫୋନର କଲ୍ ଗୁଡିକ ଯାଞ୍ଚ କରାଯାଏ ତେବେ ଏହା ପଛରେ ଥିବା ରାକେଟ କୁ ମଧ୍ୟ ଧରାଯାଇପାରେ ବୋଲି ପୋଲିସ କହିଛି । ତେବେ ନବୀକରଣ କାର୍ଯ୍ୟ ପାଇଁ ମନ୍ଦିରବେଢ଼ାର କିଛି ଅଂଶ ଖୋଲା ମେଲା ରହୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯିବ ବୋଲି ଏଏସପି ଶ୍ରୀ ମହାପାତ୍ର, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *