ଝଙ୍କଡ଼ : ବିଶ୍ଵପ୍ରସିଦ୍ଧ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ଉତ୍ସବରେ ଯୋଗଦେବାପାଇଁ ସମଗ୍ର ଭାରତବର୍ଷର ପ୍ରସିଦ୍ଧ ଦେବ ଦେବୀ ପୀଠ ମାନଙ୍କରେ ପୁରୀ ଶ୍ରୀକ୍ଷେତ୍ର ରୁ ପ୍ରତିନିଧି ଦଳ ନିମନ୍ତ୍ରଣ କରିବାକୁ ଯାଉଥିବାବେଳେ ଗତ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ବାଣୀ କ୍ଷେତ୍ର ଜଗତସିଂହପୁର ଜିଲ୍ଲାର ବିଭିନ୍ନ ପୀଠ ସ୍ଥଳି ପରିଦର୍ଶନ କରି ଏହି ପ୍ରତିନିଧି ଦଳ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ଏହି ଲୋକାର୍ପଣ ଉତ୍ସବରେ ଯୋଗଦେବାପାଇଁ ନିମନ୍ତ୍ରଣ କରିଅଛନ୍ତି ।
ଏହି ପରିପ୍ରେକ୍ଷୀରେ ପ୍ରଥମ ଦିନ ପୁରୀ ଏଡିଓ ତଥା ନୋଡାଲ ଅଧିକାରୀ ସୁଶାନ୍ତ ଦାସ ଙ୍କ ତତ୍ବାବଧାନରେ ରବିନାରାୟଣ ଖୁଣ୍ଟିଆ ରାଧାମୋହନ ଖୁଣ୍ଟିଆ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ସ୍ୱାଗତ କରାଯିବା ସହିତ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରତିନିଧି ମାନେ ସାରଳାମନ୍ଦିର ଓ ଗଡକୁଜଙ୍ଗର କୁଞ୍ଜବିହାରୀ ଙ୍କ ପ୍ରଶାସକ ଓ ପୂଜକଙ୍କୁ ମହାପ୍ରଭୁଙ୍କ ପ୍ରାସାଦ ଓ ତୁଳସୀ ପ୍ରଦାନ କରିଥିଲେ ।
ଦ୍ୱିତୀୟ ଦିନ ସନ୍ଧ୍ୟାରେ ପୁରୀ ସି ଏସ ଓ ତଥା ନୋଡାଲ ଅଧିକାରୀ ସୁବୋଧ ହୋତା ଙ୍କ ତତ୍ବାବଧାନରେ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଓ ବିଜୟକୃଷ୍ଣ ଦାସମହାପାତ୍ର ମା ସାରଳାଙ୍କ ପୀଠ ରେ ପହଞ୍ଚିବା ପରେ ତାଙ୍କୁ ବଡଠାକୁର ଶ୍ରୀବଳଭଦ୍ର ଜୀଉଙ୍କ ବ୍ରହ୍ମଦାରୁ ସ୍ମୃତିମନ୍ଦିର ଠାରୁ ଘଣ୍ଟ ଘଣ୍ଟା ର ଘୋରଘର୍ଘର ବାଦ୍ୟଧ୍ଵନି ମଧ୍ୟରେ ମାଆଙ୍କ ମନ୍ଦିରକୁ ପାଛୋଟି ନିଆଯାଇଥିଲା ।
ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ସାରଳା ମନ୍ଦିର କାର୍ଯ୍ୟାଳୟରେ ମାଆଙ୍କର ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ପଣ୍ଡାସେବକଙ୍କ ପ୍ରତିନିଧି ପଣ୍ଡିତ ସୁଦାମ ଚରଣ ପଣ୍ଡା, ଲକ୍ଷ୍ମୀଧର ମହାପାତ୍ର , ସୁଦାମ ଚରଣ ରାଉଳ , କ୍ଷୀରୋଦ କୁମାର ରାଉଳ , ତ୍ରିଲୋଚନ ରାଉଳ , ବିଶ୍ଵରଞ୍ଜନ ରାଉଳ , ରମେଶ ଚନ୍ଦ୍ର ରାଉଳ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ତିର୍ତ୍ତୋଲ ତହସିଲଦାର ସତ୍ୟଜିତ ମହାପାତ୍ର ଓ ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା