ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ପରଲୋକ

ରାଜ୍ୟ
Share

କଟକ : ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ ପଣ୍ଡା (୭୬)ଙ୍କର ସୋମବାର ସଂଧ୍ୟାରେ ସିଡିଏ ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ତିନି ପୁଅ, ତିନି ବୋହୂ ଓ ନାତିନାତୁଣୀ ଉପସ୍ଥିତ ଥିଲେ। ସେ ୬ ଦିନ ହେଲା ଅଧିକ ମାତ୍ରାରେ ଅସୁସ୍ଥ ହୋଇ ପଡ଼ିଥିଲେ। ଆଜି ସଂଧ୍ୟାରେ ତାଙ୍କର ଶ୍ୱାସ ନେବାରେ ସମସ୍ୟା ହେବାରୁ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ଅରୁଣ ପଣ୍ଡା ୧୯୪୮ ଅକ୍ଟୋବର ୫ ତାରିଖରେ କେଉଁଝର ଗଡ଼ରେ ଜନ୍ମଗ୍ରହଣ କରିଥିଲେ। କେନ୍ଦୁଝର ଧରଣୀଧର କଲେଜରୁ ସ୍ନାତକ ଡିଗ୍ରି ହାସଲ ପରେ ସେ ଦୈନିକ ‘ସମାଜ’ରେ ସାମ୍ବାଦିକତା ଆରମ୍ଭ କରିଥିଲେ। ୨୦୦୭ ମସିହାରେ ଅବସର ନେବା ପରେ ବିଭିନ୍ନ ସାମାଜିକ ତଥା ସାଂସ୍କୃତିକ ସଂଗଠନ ସହ ନିଜକୁ ସଂପୃକ୍ତ ରଖିଥିଲେ। ସେ ବିଭିନ୍ନ ଗଣମାଧ୍ୟମରେ ସ୍ତମ୍ଭ ଲେଖିବା ସହିତ ବୈଦ୍ୟୁତିକ ଗଣମାଧ୍ୟମର ଆଲୋଚନା ଓ ବିତର୍କରେ ଭାଗ ନେଇ ଆସୁଥିଲେ। ସେ ଅନେକ ପୁସ୍ତକ ରଚନା କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ କରାଯାଇଥିଲା। ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡ଼ ପୁଅ ସନ୍ତୃପ୍ତ ମୁଖାଗ୍ନି ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ମେୟର ସୁବାସ ସିଂ, ବିଧାୟକ ମହମ୍ମଦ ମୋକିମ୍‌, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ନିରାମୟ ଉପଦେଷ୍ଟା ଡକ୍ଟର ରଂଜନ ବିଶ୍ବାଳ, ଶିଳ୍ପୀ ରବି ରଥ, ପ୍ରଚଣ୍ଡ ଅଖଣ୍ଡ, ବିଜେଡି ନେତା ପ୍ରଫୁଲ୍ଲ ସିଂ, ପ୍ରକାଶ ସିଂ, ଡକ୍ଟ ସତ୍ୟ ରାୟ, ଆଡଭୋକେଟ ଧରଣୀଧର ନାୟକ, ଗିରିବାଳା ବେହେରା, ଉତ୍କଳ ଭୂଷଣ ରାଉତରାୟ, ଶୈଳବାଳା ଜେନା, ନିତ୍ୟାନନ୍ଦ ରାଉତରାୟ, ରାଜୁ ନାୟକ, ରବୀନ୍ଦ୍ରନାଥ ମିଶ୍ର, କୈଳାସ ଚନ୍ଦ୍ର ମିଶ୍ର, ପତିତପାବନ ମହାପାତ୍ର, ନକୁଳ ଚନ୍ଦ୍ର ମହାରଣା, ପ୍ରଦୀପ ସାହୁ, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଶିକ୍ଷାବିତ ପ୍ରଫେସର ଯୁଧିଷ୍ଠିର ଖଟୁଆ, ପ୍ରଫେସର ତୁଷାର କର, ଡକ୍ଟର ବିଜୟାନନ୍ଦ ସିଂହଙ୍କ ସମେତ ବ୍ରହ୍ମାକୁମାରୀ ସଂଗଠନର ସଦସ୍ୟମାନେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅରୁଣ ପଣ୍ଡାଙ୍କ ବିୟୋଗରେ ‘ନଗର ଖବର’ ପକ୍ଷରୁ ପ୍ରତିଷ୍ଠାତା ସାମ୍ବାଦିକ ପ୍ରଦୀପ ଦାଶ ଗଭୀର ଶୋକ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *