ଝଙ୍କଡ଼ : ତିର୍ତ୍ତୋଲ ସ୍ଥିତ ସାରଳା ମେସ୍ ରେ ଗତ ଗୁରୁବାର ଦିନ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ମଧ୍ୟରେ ମା ସାରଳା ଠାକୁରାଣୀ ଙ୍କ ବାର୍ଷିକ ମେଳା ଉତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ପରିଚାଳକ ଜଗନ୍ନାଥ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ମନ୍ଦିରରୁ ଅଜ୍ଞାମାଳ ଓ ଜ୍ୟୋତି ଆସି ମେଳା ମଣ୍ଡପ ରେ ସ୍ଥାପନ କରାଯିବା ପରେ, ପୁଣ୍ୟତୋୟା ମହାନଦୀ ରୁ ଛାତ୍ର ଛାତ୍ରୀ ମାନେ ଏକ ବର୍ଣ୍ଣାଢ଼୍ୟ ପଟୁଆର ରେ କଳସ ଶୋଭାଯାତ୍ରା ସାରଳା ମେସ ରେ ପହଞ୍ଚି ଥିଲା ।
ଘଣ୍ଟ ଘଣ୍ଟା କାହାଳୀ, ହରିବୋଲ ହୁଳହୁଳି ଓ ଜୟମା ସାରଳା ଧ୍ବନି ରେ ତିର୍ତ୍ତୋଲର ରାଜରାସ୍ତା ପ୍ରକମ୍ପିତ ହୋଇ ଉଠିଥିଲା । ବୈଦିକ ରୀତିନୀତି ରେ ଯଜ୍ଞିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ମାଆଙ୍କ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ସହିତ ହୋମଯଜ୍ଞ ରେ ଆହୂତି ପ୍ରଦାନ କରାଯାଇ ଥିବା ବେଳେ, ଆରତୀ ପରେ ଶ୍ରଦ୍ଧାଳୁ ଭକ୍ତ ଓ ଛାତ୍ର ଛାତ୍ରୀ ମାନେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଏହି ଅବସରରେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ସୁଲଳିତ ମାତୃଭକ୍ତି ସଙ୍ଗୀତ ପରିବେଷଣ କରା ଯାଇଥିଲା। ସମ୍ମାନୀତ ବରେଣ୍ୟ ନିମନ୍ତ୍ରିତ ଅତିଥି ଭାବରେ, ଆଦିକବି ସାରଳା ଦାସ ମହାବିଦ୍ୟାଳୟର ଅଧ୍ୟକ୍ଷ ସଦାଶିବ ସାହୁ , ପୂର୍ବତନ ଅଧ୍ୟକ୍ଷ କ୍ୟାପଟେନ ଜ୍ଞାନଜ ରଞ୍ଜନ ସାମନ୍ତରାୟ, କଲେଜ ପରିଚାଳନା ସମିତି ର ସଭପତି ବିମଳ କାନ୍ତ ମହାପାତ୍ର ଓ ଏସ ବି ଆଇ ରାହାମା ଶାଖା ପରିଚାଳକ ପ୍ରଶାନ୍ତ କୁମାର ଲେଙ୍କା ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ , ବିଦ୍ୟାର୍ଥୀ ଓ ଆୟୋଜକ ମାନଙ୍କର ଏହି ପ୍ରୟାସ କୁ ଉଚ୍ଚ ପ୍ରଶଂସା କରିଥିଲେ ।
ସାରଳା ମେସ୍ ର ସମସ୍ତ ଅନ୍ତେବାସୀ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।