ଝଙ୍କଡ଼ : ପ୍ରତିବର୍ଷ ଚଇତି ପୁନେଇ ବାସି, ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ପୀଠସ୍ଥଳି, କୈବର୍ତ୍ତ ସଂପ୍ରଦାୟ ର ରାଉତ ରାଉତାଣୀ ଙ୍କ ନୃତ୍ୟ ସଙ୍ଗୀତ ର ତାଳେ ତାଳେ, ଘୋଡ଼ା ନାଚ ର ପରିବେଷଣ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇ ଆସିଥିବା ବେଳେ , କ୍ରମଶଃ ଏହି ଅନନ୍ୟ ଲୋକକଳା ଲୋକନୃତ୍ୟ ବିଲୁପ୍ତ ହେବାକୁ ଯାଉଛି।
ତିନି ଦଶନ୍ଧି ପୂର୍ବରୁ ଏଠାରେ ପ୍ରାୟ ୨୫/୩୦ ଟି ଚଇତି ଘୋଡ଼ା ନାଚ ଦଳ, ପାରମ୍ପରିକ ବାଦ୍ୟ ଓ ବେଶ ପୋଷାକରେ ଘୋଡ଼ା ନାଚ ପରିବେଷଣ କରୁଥିଲେ। ଧିରେ ଧିରେ ଏହା ର ସଂଖ୍ୟା କମି ଯାଇ, ଚଳିତ ବର୍ଷ ମାତ୍ର ଆଠଗୋଟି ଚଇତି ଘୋଡ଼ା ନାଚ ଦଳ ଙ୍କୁ ଏଠାରେ ଦେଖିବାକୁ ମିଳିଥିଲା।
ଏଥିରେ ବିରିତୋଳ , ମୁଳୀସିଂହ, ହରସିଂପୁର, ଗୋବିନ୍ଦପୁର ସାଆଁସ ଓ ତେନ୍ତୁଳିପଦା ଆଦି ଅଞ୍ଚଳର ଘୋଡ଼ା ନାଚ ଦଳ ଯୋଗଦେଇଥିଲେ। ଏହି ନୃତ୍ୟଦଳର କଳାକାର ମାନେ, କନକପୁରଗ୍ରାମ ରାସ୍ତାରେ ନାଚି ନାଚି ଆସିବା ପରେ, ମାଆଙ୍କ ନାଟ୍ୟମଣ୍ଡପ ସମ୍ମୁଖରେ ଓ ଦୋଳ ମଣ୍ଡପ ଉପରେ ଚଇତି ଘୋଡ଼ା ନାଚ ପରିବେଷଣ କରିବା ପରେ, ସାରଳା ମନ୍ଦିର ପ୍ରଶାସନ ତରଫରୁ, ପ୍ରତି ଘୋଡ଼ା କୁ ଶାଢ଼ୀ ପ୍ରଦାନ କରାଯାଇଥିଲା।
ତେବେ ଷାଠିଏ ହାତ ମହି ଆସି ବିଶାକାଠି ରେ ରହିଲେଣି ବୋଲି ସ୍ଥାନୀୟ କଳା ସଂସ୍କୃତି ପ୍ରେମୀ ଜନସାଧାରଣ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ କଳା ସଂସ୍କୃତି ବିଭାଗ ଏଥିପ୍ରତି ଆବଶ୍ୟକୀୟ ଆଶୁ ପଦକ୍ଷେପ ଗ୍ରହଣ ନକଲେ, ଏହି ପ୍ରାଚୀନ ଲୋକନୃତ୍ୟ ଲୋକକଳା ପରମ୍ପରାର ବିଲୁପ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। ଆଜି ଠାରୁ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଏହି ଚଇତି ଘୋଡ଼ା ନାଚ ଗାଁ ଗହଳି ଓ ପୁରପଲ୍ଲୀରେ ରେ ଦେଖିବାକୁ ମିଳିବ।