ବିଜେପି କ୍ଷମତାକୁ ଆସିଲେ ମିଶନ ଶକ୍ତି ବନ୍ଦ କରିଦେବ

ରାଜ୍ୟ
Share

ଅନୁଗୁଳ: ହିନ୍ଦୋଳ, କାମାକ୍ଷନଗର ପରେ ଏବେ ପରଜଙ୍ଗରେ ନିର୍ବାଚନୀ ପ୍ରଚାର କରିଛନ୍ତି ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ସମୟରେ ସେ ନାଁ ନନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ୧୦ ବର୍ଷ ହେଲା ସେ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ଏହା ଓଡିଶା ପାଇଁ ଓ ଜିଲ୍ଲା ପାଇଁ ବହୁତ ଖୁସିର କଥା ।

ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅଛନ୍ତି, ଚାହିଁଥିଲେ ଅଞ୍ଚଳରେ ସ୍କୁଲ କଲେଜ ଖୋଲିପାରିଥାନ୍ତେ, କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିପାରିଥାନ୍ତେ, ପ୍ରତି ବ୍ଲକ୍‌ରେ ଦକ୍ଷତା ବିକାଶ କେନ୍ଦ୍ର ଖୋଲିପାରିଥାନ୍ତେ । ଏ ମାଟିର ପୁଅ ହୋଇ କାହିଁକି ପାରିଲେ ନାହିଁ ? ନିଜ ଅଞ୍ଚଳ ପାଇଁ, ନିଜ ମାଟି ପାଇଁ କଣ କରିଛନ୍ତି ? ୧୦ ବର୍ଷ ପରେ ନିଜକୁ କୋରିଅର କରିଦେଲେ ସମ୍ବଲପୁର ଜିଲ୍ଲାକୁ । ନବୀନ ପଟ୍ଟନାୟକ ଓଡିଶାର କୌଣସି ଜିଲ୍ଲାରେ ନିର୍ବାଚନ ଲଢିବା ପାଇଁ ଡରୁ ନାହାନ୍ତି, ଇଏ କାହିଁକି ନିଜ ମାଟିରେ ଡରୁଛନ୍ତି ? ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି, ବିଜେପି ଯଦି କ୍ଷମତାକୁ ଆସେ ତେବେ ମିଶନ ଶକ୍ତି ବନ୍ଦ କରିବା ପାଇଁ ଯୋଜନା କରିଛି । ଏହା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ଆପଣମାନଙ୍କୁ ହଇରାଣରେ ପକାଇବେ । ସାମ୍ବାଦିକ ସମ୍ମିଳନୀ ଡାକି କହୁଛନ୍ତି ଆମେ କ୍ଷମତାକୁ ଆସିଲେ ଓଡିଶାକୁ ଏକ ନମ୍ବର କରିବୁ, କେବେ କରିପାରିବେ ନାହିଁ, ଯେଉଁଠି ବି ଦାୟିତ୍ବ ନେଇଛନ୍ତି ସେ ରାଜ୍ୟକୁ ୨୫ ବର୍ଷ ତଳକୁ ନେଇ ଯାଇଛନ୍ତି । ଯେଉଁ ବ୍ୟକ୍ତିର ସେବା ନୁହେଁ, ରାଜନୀତି କରିବା ପାଇଁ ଇଚ୍ଛା ଥିବ, ସେ କେବେ ବି ଜିତି ପାରିବ ନାହିଁ ବୋଲି ଦୃଢତା ଦେଖାଇ କହିଛନ୍ତି ପାଣ୍ଡିଆନ ।

ଯଦି ଅନ୍ୟ ରାଜ୍ୟ ତଥା କେନ୍ଦ୍ର ଓଡିଶା ଯୋଜନାରୁ କିଛି କିଛି ଶିଖୁଛନ୍ତି, ତାହେଲେ ଆପଣ କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି ? ଆପଣ ଆଜି ନିଜ ମାଟିରେ ୱାର୍ଡ ମେମ୍ବର ଠିଆ ହୋଇ ଜିତନ୍ତୁ, ତା ପରେ ସାହସ କରିବେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଠିଆ ହେବା ପାଇଁ ନବୀନ ପଟ୍ଟନାୟକ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି, ବିଜେପି ଭଳି ଲୋକଙ୍କୁ ଲଣ୍ଠନ ଦେଖାନ୍ତି ନାହିଁ ବୋଲି ସେ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ।

ଓଡିଶାବାସୀଙ୍କ ଆଶୀର୍ବାଦରେ ପୁଣି ସେବା କରିବା ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବେ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ଦସ୍ତଖତରେ ୯୦ ପ୍ରତିଶତ ଓଡିଶାବାସୀଙ୍କ ବିଜୁଳି ବିଲ୍‌ ଛାଡ ହେବ ।

Leave a Reply

Your email address will not be published. Required fields are marked *