ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡଙ୍ଗା ପଞ୍ଚାୟତ ଦାସଙ୍ଗସାହି ସ୍ଥିତ ଶ୍ରୀ ଶ୍ରୀ ରାଧାକାନ୍ତ ଜୀଉ ଙ୍କ ପୀଠ ସ୍ଥଳି ରେ ଗତ ୨୪ ତାରିଖ ଠାରୁ ଶୁଭାରମ୍ଭ ହୋଇଥିବା, ବିଶ୍ଵଶାନ୍ତି ମହାଯଜ୍ଞ ର ଦ୍ଵିତୀୟ ଦିବସରେ, ପ୍ରତ୍ୟୁଷରୁ, ପୁଣ୍ୟତୋୟା ହଁଶୁଆନଦୀରୁ ଏକ ବିଶାଳ କଳସ ଶୋଭାଯାତ୍ରା ଓ ଅଗ୍ନି ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଉପଲକ୍ଷେ ନଦୀଘାଟରେ ସଂକଳ୍ପ କଳସ ପୂଜାର୍ଚ୍ଚନା କରାଯିବାପରେ , ଚାମର, ଅଲଟ , ଛତା, ଘଣ୍ଟ ଘଣ୍ଟା କାହାଳୀ , ଭେରି ତୂରୀ, ଢୋଲ ମହୁରୀ, ନାମ ସଙ୍କୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ବନି ମଧ୍ୟରେ ବର୍ଣ୍ଣାଢ଼୍ୟ ପଟୁଆର, ଠାକୁର ରାଧାକାନ୍ତ ଙ୍କ ପୀଠ ସ୍ଥଳି ରେ ପହଞ୍ଚିଥିଲା। ଏଥିରେ ଶହେ ଆଠ ଜଣ ମହିଳାଭକ୍ତ ଅଂଶ ଗ୍ରହଣ କରିଥିବା ବେଳେ , ଏରଡଙ୍ଗ ଓ ପୁରୁଣାବସନ୍ତ ପଞ୍ଚାୟତର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଓ ଅଞ୍ଚଳବାସୀ ମାନେ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା।
ଆଧ୍ୟାତ୍ମିକ ଧର୍ମଗୁରୁ ସନ୍ଥ ନିର୍ଭୟା ନନ୍ଦ ମହାରାଜ ଙ୍କ ମାର୍ଗଦର୍ଶନ ଓ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ୧୦୪ ତମ ବିଶ୍ଵଶାନ୍ତି ମହାଯଜ୍ଞ ରେ ପ୍ରତିଦିନ, ଗୋପୁଜା, ସୂର୍ଯ୍ୟପୂଜା, ଦଶଦିଗପାଳ ପୂଜା , ବିଶ୍ୱମାତା ପୂଜା ମଣ୍ଡପରେ ଅଖଣ୍ଡଧୁନି ପ୍ରଜ୍ବଳନ, ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ମହାଯଜ୍ଞ ରେ ଆହୂତି ପ୍ରଦାନ, ଠାକୁର ଙ୍କ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ସହିତ ସହସ୍ରାଧିକ ତୁଳସୀ ଚଢ଼ା ଯିବ। ପ୍ରତ୍ୟେହ, ନାମଯଜ୍ଞ, ଅନ୍ନଯଜ୍ଞ, ଜପଯଜ୍ଞ, ଜ୍ଞାନଯଜ୍ଞ ଆଦି ଆଧ୍ୟାତ୍ମିକ ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବହୁ ଖ୍ୟାତନାମା ସାଧୁ ସନ୍ଥ ମହାତ୍ମା ଓ ଜ୍ଞାନୀ ଗୁଣୀ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ ବୋଲି, ଯଜ୍ଞ ପରିଚାଳନା କମିଟି ର ସମସ୍ତ କର୍ମକର୍ତ୍ତା ମାନେ ସୂଚନା ପ୍ରଦାନ କରିଅଛନ୍ତି। ଆସନ୍ତା ମେଁ ୩୧ ତାରିଖ ଦିନ ଯଜ୍ଞର ପୂର୍ଣ୍ଣାହୂତି ପ୍ରଦାନ କରାଯିବାର କାର୍ଯକ୍ରମ ରହିଛି