ଝଙ୍କଡ଼ : ତିର୍ତ୍ତୋଲ ଅଞ୍ଚଳରେ, ପୁରାଣପଣ୍ଡାମାନଙ୍କ ଦ୍ଵାରା ଗ୍ରାମେଗ୍ରାମେ ଶୂଦ୍ରମୁନି ଆଦିକବି ସାରଳା ଦାସଙ୍କ ବିରଚିତ ମହାଭାରତ ଓ ଅନ୍ୟାନ୍ୟ ପୁରାଣଗ୍ରନ୍ଥ ପାରାୟଣ ନିମନ୍ତେ, ୧୯୮୩ ମସିହାରେ, ତତ୍ କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆର୍ଥିକ ଅନୁଦାନ ରେ ଗଠିତ ହୋଇଥିଲା, ସାରଳା ଟ୍ରଷ୍ଟ । ଏହି ସାରଳାଟ୍ରଷ୍ଟର ସଭାପତି ଥିଲେ, ସେତେବେଳର ସାରଳା ମନ୍ଦିର ଟ୍ରଷ୍ଟବୋର୍ଡ ର ସଭାପତି ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ବାଳଙ୍କ ପିତା କ୍ଷେତ୍ରମୋହନ ବିଶ୍ବାଳ। ଝଙ୍କଡ଼ ସାରଳା ପୀଠରେ, ସାରଳା ଦାସ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସାରଳା ଦାସ ଶ୍ରାଦ୍ଧୋତ୍ସବରେ, ମୁଖ୍ୟଅତିଥି ଭାବେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଏହି ସାରଳାଟ୍ରଷ୍ଟ କୁ ୬୦ ହଜାର ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିବା ସହିତ, ଏହି ଫିକ୍ସଦିପୋଜିଟ ଅର୍ଥ ର ସୁଧ ଅର୍ଥରେ, ଆଠଜଣ ନିଯୁକ୍ତ ପୁରାଣପଣ୍ଡା ମାନଙ୍କୁ ମାସିକ ୫୦ ଟଙ୍କା ଓ ଏହାର ମୁଖ୍ୟସଂଯୋଜକ ରମାକାନ୍ତ ରାଉଳ ଙ୍କୁ ୧୦୦ ଟଙ୍କା ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ, ବିଧିବ୍ୟବସ୍ଥା ଗ୍ରହଣ କରଯାଇଛି ବୋଲି ଘୋଷଣା କରିଥିଲେ। ଏଥି ସହିତ ସେମାନଙ୍କୁ ନିଯୁକ୍ତିପତ୍ର ଓ ଅଠରଖଣ୍ଡ ସାରଳା ମହାଭାରତ ମଧ୍ୟ ପ୍ରଦାନ କରିଥିଲେ।
ସାରଳା ମନ୍ଦିର ପ୍ରଶାସନ ମାଧ୍ୟମରେ, ତତ୍ କାଳୀନ ମୂଖ୍ୟକିରାଣୀ ବାଇଧର ଜେନା, ପ୍ରତି ମାସରେ, ସାରଳାଟ୍ରଷ୍ଟ ର ସଭାପତି କ୍ଷେତ୍ରମୋହନ ବିଶ୍ବାଳ ଙ୍କ ସ୍ୱାକ୍ଷର ରେ ଏହି ସୁଧଅର୍ଥକୁ , କଟକ ଗ୍ରାମ୍ୟବ୍ୟାଙ୍କ୍ ରୁ ଉଠାଇଲା ପରେ, ପୁରାଣପଣ୍ଡା ଓ ସଂଯୋଜକ ଙ୍କୁ ପ୍ରଦାନ କରିଚାଲିଥିଲେ , ମାତ୍ର କ୍ଷେତ୍ରମୋହନ ବାବୁ ଙ୍କ ପରଲୋକ ହେବା ପରଠାରୁ, ଆଜି ପର୍ଯ୍ୟନ୍ତ, କୌଣସି ପୁରାଣପଣ୍ଡା ଓ ସଂଯୋଜକ ଟଙ୍କା ଟିଏ ହେଲେ ପାଇ ପାରିନାହାନ୍ତି।
ଅପର ପକ୍ଷରେ ମୂଖ୍ୟକିରାଣୀ ବାଇଧର ଜେନା ମଧ୍ୟ ମରିଗଲେଣି। ବିଶେଷ କରି, ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଗଠିତ ଏହି ସାରଳାଟ୍ରଷ୍ଟ ର ଗଚ୍ଛିତ ଅର୍ଥ ବର୍ତ୍ତମାନ ବୃଦ୍ଧି ପାଇ, ସୁଧ ମୂଳ ହୋଇ ଲକ୍ଷ ଲକ୍ଷ ଟଙ୍କାରେ ପରିଣତ ହେଲାଣି। ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ, ନିଯୁକ୍ତ ହୋଇଥିବା ପୁରାଣପଣ୍ଡା ମାନଙ୍କୁ, ସେମାନଙ୍କର ବକେୟା ପାଉଣା ପାଇବା ପାଇଁ, ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ, ସାରଳା ଟ୍ରଷ୍ଟ ର ମୂଖ୍ୟସଂଯୋଜକ ରମାକାନ୍ତ ରାଉଳ , ମୁଳିସିଂହ ଓ ତରଜଙ୍ଗl ପଞ୍ଚାୟତ ର ପୁରାଣପଣ୍ଡା ନିରଞ୍ଜନ ପଣ୍ଡା , ଗୋବିନ୍ଦପୁର କଟରା ପଞ୍ଚାୟତର ପୁରାଣପଣ୍ଡା ବିଭୁତି ଭୁଷଣ ନନ୍ଦ, କୋଲର , ସାମନ୍ତରାପୁର ପଞ୍ଚାୟତ ର ପୁରାଣ ପଣ୍ଡା ନଗେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଦୃଢ଼ଦାବୀ କରିଅଛନ୍ତି। ପ୍ରକୃତରେ ମୂଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଗଠିତ ଏହି ସାରଳା ଟ୍ରଷ୍ଟ ର ଅର୍ଥ ଏବେ ଅଛି କି ନାହିଁ । ଯଦି ଅଚ୍ଛି, ତେବେ ଏହା କାହା ଦାୟିତ୍ୱରେ ଅଛି ? କିମ୍ବା ଜାଲିୟାତି ଏ ଟଙ୍କା ଉଠାଇ ନିଆ ଯାଇଛି କି ? ଏ ସବୁ ଘଟଣା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଓ ବିହିତ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯଥାର୍ଥ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହେଉଛି।