00da0642 C1a3 48c6 B98a 1fc9e7340b61

ଝଙ୍କଡ଼ ସାରଳାପୀଠରେ ମାନସିକ ଯାତ୍ରା ପରିବେଷଣରୁ ବଞ୍ଚିତ ହେବେ ଯାତ୍ରାଦଳ

ରାଜ୍ୟ
Share

ଝଙ୍କଡ଼ :  ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଆରାଧ୍ୟା ଦେବୀ ଭାବରେ ପରିଚିତ ଓ ପ୍ରତିଷ୍ଠିତ ହୋଇଥିବାରୁ ଏଠାରେ ବର୍ଷସାରା କଳାକାରମାନେ ପାଲା, ଦାସକାଠିଆ, ଘୋଡ଼ା ନାଚ, ସଂକୀର୍ତ୍ତନ, କାଠିଲଉଡି, ଓଡ଼ିଶୀ ଆଦି ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ପରିବେଷଣ କରି ମାଆଙ୍କ ଆଶୀର୍ବାଦ ଲାଭ କରିବା ପରେ ନିଜ ନିଜର କଳାକୌଶଳ ପ୍ରଦର୍ଶନ କରି ସୁନାମ ଓ ସୁଖ୍ୟାତି ଅର୍ଜ୍ଜନ କରିଥାଆନ୍ତି ।  ବିଶେଷ କରି, ଗଣନାଟ୍ୟସଂସ୍ଥାରେ ଭରପୁର ଏହି ଜଗତସିଂହପୁର ଜିଲ୍ଲାର ବହୁ ଯାତ୍ରାଅନୁଷ୍ଠାନ ଏଠାରେ ପ୍ରତିବର୍ଷ  ‘ଚଳିତ ବର୍ଷର ନୂତନ ନାଟକ’ ପରିବେଷଣ କରିବା ମାନସିକ କରିଥାଆନ୍ତି ।  ତଦନୁଯାୟୀ ମାଆଙ୍କ ପାଖରେ ତବଲା ପୂଜା କରିବା ପରେ, ନାଟ୍ୟମଣ୍ତପ ରେ ନୂତନ ନାଟକ ପରିବେଷଣ କରି ଥାଆନ୍ତି।

ଯେଉଁ ଠାରେ ୨୦୧୫ ମସିହାରେ ବଡ଼ଠାକୁର ବଳଭଦ୍ର ଦେବ ଙ୍କ ଦାରୁବ୍ରହ୍ମ ଆବିର୍ଭାବ ହୋଇଥିଲେ ତାର ସମ୍ମୁଖଭାଗରେ  ତାରପୁର ବୀଣାପାଣି କଳାକୁଞ୍ଜ, ଯାତ୍ରାଦଳ ର ପ୍ରଯୋଜକ ସ୍ବର୍ଗତ ଦିବାକର ଦାଶ  ନିଜଖର୍ଚ୍ଚ ରେ ଏକ ଯାତ୍ରାମଞ୍ଚ ନିର୍ମାଣ କରିଥିଲେ । ସେହି ନାଟ୍ୟ ମଞ୍ଚରେ ହିଁ ସବୁ ଯାତ୍ରାଦଳ ନାଟକ ପ୍ରଦର୍ଶନ କରିବା ସହିତ ଅନ୍ୟାନ୍ୟ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଥିଲା ।  ମାତ୍ର ୨୦୧୫ ମସିହାରେ ସେଠାରେ ବଡଠାକୁର ଶ୍ରୀବଳଭଦ୍ର ଦେବଙ୍କ ବ୍ରହ୍ମଦାରୁ ଆବିର୍ଭାବ ହେବାରୁ ପ୍ରଶାସନ ପକ୍ଷରୁ ସେହି ନାଟ୍ୟମଞ୍ଚ ଟି ଭାଙ୍ଗି ଦିଆ ଯାଇଥିଲା ।

ପରେ ପରେ ତତ୍ କାଳୀନ ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲିକ ଙ୍କ ସାଂସଦପାଣ୍ଠି ର ଅନୁଦାନ ରେ ଶାରଳାପୀଠ କନକପୁର ବଜାରର ଶେଷଭାଗରେ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତାରେ ଆଉ ଏକ ନାଟ୍ୟମଣ୍ଡପ ନିର୍ମାଣ କରାଯାଇଥିଲା । ମାତ୍ର ସାରଳାପୀଠ ରୂପାନ୍ତକରଣ ଆରମ୍ଭ ହେବା ସମୟରେ ୨୦୨୨ ମସିହାରେ ସେହି ଅଧାଗଢ଼ା ନାଟ୍ୟମଞ୍ଚକୁ ମଧ୍ୟ ବୁଲଡୋଜର ଲଗାଇ ଭାଙ୍ଗି ଦିଆଗଲା ।  ଯାହା ଫଳରେ ୨୦୨୨ ମସିହା ଠାରୁ ଏଠାରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାୟତଃ ଅନୁଷ୍ଠିତ ହୋଇପାରୁନାହିଁ। ସେହି କାରଣରୁ ୨୦୧୨ ମସିହାରୁ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଏହି ଜିଲ୍ଲାର ବୃହତ୍ତମ ଝଙ୍କଡ଼ମହୋତ୍ସବ, ଜିଲ୍ଲାପାଳଙ୍କ ଅନୁମତି ନ ମିଳିବାରୁ ବନ୍ଦ ହୋଇଯାଇଛି ।

ତେବେ ପ୍ରତିବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ, ଆମରାଜ୍ୟ ଓଡିଶା ର ବହୁ ଖ୍ୟାତନାମା ଯାତ୍ରା ଅନୁଷ୍ଠାନ ଏଠାରେ ମାନସିକ ଯାତ୍ରା ପରିବେଷଣ କରିବା ପରେ, ରାଜ୍ୟ ଓ ପଡୋଶୀ ରାଜ୍ୟ ମାନଙ୍କରେ ଯାତ୍ରା ଭିନୟ କରି, ଅର୍ଥ ଉପାର୍ଜନ କରିବା ସହିତ ସୁନାମ ଅର୍ଜନ କରିଥାଆନ୍ତି। ମାତ୍ର କଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠରେ ରାଜ୍ୟ ସରକାରଙ୍କ ୪୨ କୋଟି ଟଙ୍କା ବ୍ୟୟରେ ନବୀକରଣ କାର୍ଯ୍ୟ ଚାଲିଥିଲା ବେଳେ, ଏହି ନିର୍ମାଣ ନକ୍ସା ରେ ନାଟ୍ୟମଞ୍ଚ ନିର୍ମାଣ ହେବାର ଦେଖାଯାଉନାହିଁ। ଯାହା ଫଳରେ ଜିଲ୍ଲାସମେତ ସମଗ୍ର ରାଜ୍ୟରେ କଳାକାର ମାନଙ୍କ ମଧ୍ୟରେ ଘୋରଉଦବେଗ ପ୍ରକାଶ ପାଇଛି। ଜିଲ୍ଳା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଏଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦୃଢ଼ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *