ଝଙ୍କଡ଼ : ଆଉ ମାତ୍ର ୨୨ ଦିନ ପରେ, ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ମଙ୍ଗଳବାର, ମୂଳାଷ୍ଟମୀ ଠାରୁ, ଅକ୍ଟୋବର ୧୦ ତାରିଖ ଶୁକ୍ରବାର ମହାଷ୍ଟମୀ ପର୍ଯ୍ୟନ୍ତ, ଦୀର୍ଘ ୧୭ ଦିନ ବ୍ୟାପି, ଶାରଦୀୟ ପାର୍ବଣପୂଜା ହେବାକୁ ଯାଉଥିବା ବେଳେ, ଆଜି ପର୍ଯ୍ୟନ୍ତ ଏହି ଡୀର୍ଘକାଳୀନ ପାର୍ବଣପୂଜା ପାଇଁ, ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ ଡକାଯାଇନାହିଁ। ବିଶେଷ କରି ଏହି ପୂଜାଉପଲକ୍ଷେ, ନବରାତ୍ର ଠାରୁ ମାଆଙ୍କ ଚଳନ୍ତି ପ୍ରତିମା ଙ୍କୁ ବିମାନ ଆରୋହଣ କରାଯାଇ ଦଶହରା ପର୍ଯ୍ୟନ୍ତ ଦାଣ୍ଡଯାତ୍ରା ବା ନଗରପରିକ୍ରମା କରଯାଇଥାଏ । ମାତ୍ର ଅତି ମନ୍ଥର ଗତି ରେ ଚାଲିଥିବା ନବୀକରଣ କାର୍ଯ୍ୟ ରେ ମାଆଙ୍କ କାରୁକାର୍ଯ୍ୟମୟ ସିଂହଦ୍ୱାରକୁ ବୁଲ୍ ଡୋଜର ଲଗାଇ ଭାଙ୍ଗି ଯାଇଥିବା ବେଳେ , ସିଂହଦ୍ୱାର କୁ ଆଗକୁ ବଢ଼ାଇବା ସହିତ ଦୀର୍ଘ ଦୁଇ ବର୍ଷ ଧରି ଅନଭିଜ୍ଞ କାରିଗର ମାନଙ୍କ ଦ୍ଵାରା ପଥର ରେ ନିର୍ମାଣ କାର୍ଯ୍ୟ ଚାଲିଚି ତ ଚାଲିଚି। ଆଜି ପର୍ଯ୍ୟନ୍ତ ଅଧା ପନ୍ତରିଆ ଭାବରେ କାମ ପଡ଼ି ରହିଛି। ସିଂହଦ୍ବାର ଆଗକୁ ଆସିବା ସହିତ, ସମ୍ମୁଖ ଭାଗରେ ଥିବା ଦୋଳ ମଣ୍ଡପ ଓ ହନୁମାନ ଜୀଉ ଙ୍କ ମନ୍ଦିର କୁ ମଧ୍ୟ ଆଗକୁ ନେବାପାଇଁ ସ୍ଥିର କରାଯାଇଥିଲା। ସେଥିପାଇଁ, ଦୋଳମଣ୍ଡପ ସମ୍ମୁଖରେ ଥିବା, କୁବେର ପୂତ୍ର ଧର୍ମଶାଳା କୁ ମଧ୍ୟ ଭାଙ୍ଗି ଦିଆ ଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଦୋଳ ମଣ୍ଡପ ଭଙ୍ଗାଯାଇନଥିବାରୁ, ସେହି ମଝିସ୍ଥାନ ଟି ସଙ୍କୁଚିତ ହୋଇଯାଇଛି। ଯେଉଁ ବାଟରେ ମାଆଙ୍କ ବିମାନ ଆରୋହଣ ପରେ, ଦାଣ୍ଡଯାତ୍ରା ଓ କାଳୀକା ନୃତ୍ୟ ପରିକ୍ରମା କରିବା ଆଦୌ ସମ୍ଭବପର ହେବ ନାହିଁ। ଯାହା ଫଳରେ ପ୍ରଚଳିତ ପରମ୍ପରା ଭଙ୍ଗ ହେବା ସହିତ, ପାର୍ବଣପୂଜା ର ନୀତିକାନ୍ତି ମଧ୍ୟ ବିଭ୍ରାଟ ହେବାର ଆଶଙ୍କା ପ୍ରକାଶ ପାଇଛି। ପରିତାପର ବିଷୟ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ସାରଳା ମନ୍ଦିର ପରିଚାଳନା ସମିତି ର ସଭାପତି ଭବେ ଦାୟିତ୍ଵ ବହନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ, କୌଣସି ଯାନିଯାତ୍ରା ପର୍ବ ପର୍ବାଣୀ ଉପଲକ୍ଷେ, ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟାଳୟ ରେ ଗୋଟିଏ ହେଲେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇନାହିଁ । ଅପର ପକ୍ଷରେ ଜିଲ୍ଲାର ୮ ଟି ବ୍ଲକ, ୨ଟି ପୌର ପରିଷଦ ଓ ପାରାଦୀପ ବନ୍ଦର ଶିଳ୍ପନଗରୀର ଗରୁଦାୟିତ୍ଵ ଯୋଗୁଁ , ଜିଲ୍ଲାପାଳ କେତେବେଳେ ଉପଜିଲ୍ଲାପାଳ ତ ଆଉ କେତେବେଳେ ଏ ଡି ଏମ୍ ଙ୍କୁ ସାରଳାମନ୍ଦିର ପାଇଁ ପ୍ରତିନିଧି ଭାବରେ ପଠାଉଛନ୍ତି। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ଅନୁଶାସନ ନରହିବାରୁ, ସାରଳା ମନ୍ଦିରରେ ବହୁସମୟ ରେ ନୀତିବିଭ୍ରାଟ, ଗଣ୍ଡଗୋଳ, ଯାତ୍ରୀ ମାନଙ୍କ ଉପରେ ଦୌରl ତ୍ମ ଓ ପରିଚାଳନା ଗତ ବିଶୃଙ୍ଖଳା ଘଟିଚାଲିଛି। ଆଉ କିଛି ଦିନ ପରେ ପାର୍ବଣ ପୂଜା ହେବାକୁ ଯାଉଥିବା ବେଳେ, ମନ୍ଦିର ବେଢ଼ା ଓ ପୀଠର ଚତୁ ପାର୍ଶ୍ବରେ ଯେଉଁ ଅବ୍ୟବସ୍ଥା ରେ ପଡ଼ିରହିଛି, ଏପରି ଅବସ୍ଥାରେ କିପରି ପବିତ୍ରତା ଓ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାର୍ବଣପୂଜା ସମ୍ପନ୍ନ ହେବ, ସେଥିପାଇଁ ମନ୍ଦିରର ପଣ୍ଡା ସେବକ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ସ୍ଵାସ୍ଥ୍ୟଗତ କାରଣରୁ ଛୁଟିରେ ଥିବାରୁ ଏତେ ବଡ଼ ପାର୍ବଣପୂଜା ପାଇଁ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ, ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଦୃଢ଼ ଦାବୀ କରିଅଛନ୍ତି।
