ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ପାଇଁ, ଗତ ଶୁକ୍ରବାର ଦିନ ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଜଗତସିଂହପୁର ଜିଲ୍ଲାର ଏ ଡି ଏମ୍ ସମ୍ବିତ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସାରଳାମନ୍ଦିର ସଭାଗୃହରେ ଆୟୋଜିତ ଏହି ବୈଠକରେ ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ, ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା, ତିର୍ତ୍ତୋଲ ତହସିଲ ର ଅତିରିକ୍ତ ତହସିଲଦାର କଲ୍ପନା ନାୟକ, ତିର୍ତ୍ତୋଲ ଥାନା ଏସ ଡି ପି ଓ ଚିନ୍ମୟ ରାଉତ , କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ , ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡଃ ଶୁଭଜ୍ୟୋତି ମହାନ୍ତି , ଅଗ୍ନିଶମ ବିଭାଗ ଅଧିକାରୀ ସୁବାସ ଚନ୍ଦ୍ର ଭୋଳ ଙ୍କ ସମେତ ତିର୍ତ୍ତୋଲ ବ୍ଲକ ପ୍ରତିନିଧି, ଆର୍ ଦବଲୁ ଏସ ଏସ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ପ୍ରାରମ୍ଭରେ ମନ୍ଦିର ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଚଳିତ ବର୍ଷର ପାର୍ବଣ ପୂଜାର ଆର୍ଥିକ ଅଟକଳର ବିବରଣୀ ପାଠ କରିଥିଲେ | ଚଳିତ ବର୍ଷ ଏହି ଶାରଦୀୟ ପାର୍ବଣ ପୂଜାରେ ୧୩ ଲକ୍ଷ ୮୬ହଜାର ୪୫୪ ଟଙ୍କା ବ୍ୟୟର ଆର୍ଥିକ ଅଟକଳ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଛି । ଯାତ୍ରୀ ମାନଙ୍କ ଶୃଙ୍ଖଳିତ ଦର୍ଶନ, ଯାନବାହାନ ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ , ନିରନ୍ତର ବିଦ୍ୟୁତ ସେବା ପ୍ରଦାନ, ଆଶୁ ଚିକିତ୍ସା ବ୍ୟବସ୍ଥା ଓ ସର୍ବୋପରି ଆସନ୍ତା ସେପ୍ଟେମ୍ବର ୨୪ ତାରିଖ ମୂଳାଷ୍ଟମୀ ଠାରୁ ଶୁଭାରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ଗୁରୁବାର ମହାଷ୍ଟମୀ ପର୍ଯ୍ୟନ୍ତ ଏହି ମହତ୍ତ୍ୱପୂର୍ଣ୍ଣ ଓ ଗୁରୁତ୍ୱ ପୂର୍ଣ୍ଣ ଶାରଦୀୟ ପାର୍ବଣ ପୂଜା, ଯେପରି ବୈଦିକ ବିଧି ବିଧାନ ମଧ୍ୟରେ ପାଳନ କରାଯିବ ସେ ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା।
ତେବେ ଏହି ଆଲୋଚନାରେ ଅଂଶଗ୍ରହଣ କରି ମାଆଙ୍କ ମୂଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା , ବରିଷ୍ଠ ସେବାୟତ କ୍ଷୀରୋଦ କୁମାର ରାଉଳ, ହରେକୃଷ୍ଣ ରାଉଳ, ନୃସିଂହ ଚରଣ ରାଉଳ , ଦେବୀ ପ୍ରସାଦ ରାଉଳ , ହରେକୃଷ୍ଣ ନାୟକ , ସୁଦାମ ଚରଣ ରାଉଳ, ଜିତେନ୍ଦ୍ର ରାଉଳ ଓ ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥଲେ ।
ସିଂହଦ୍ବାର ସମ୍ମୁଖରେ ଥିବା ଦୋଳ ମଣ୍ଡପ ର ସ୍ଥାନାନ୍ତକରଣ ନିମନ୍ତେ ଏହି ବୈଠକରେ ସମୂହ ଦାବୀ ଉଠିବାରୁ, ଜିଲ୍ଲାପ୍ରଶାସନର ପଦସ୍ଥ ଅଧିକାରୀ ମାନେ ସରଜମିନ ତଦନ୍ତ କରି ଆଶୁ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ।