ଝଙ୍କଡ଼ : ଗତ ସେପ୍ଟେମ୍ବର ୨୪ ତାରିଖ ମଙ୍ଗଳବାର ମୂଳାଷ୍ଟମୀ ଠାରୁ ଶୁଭାରମ୍ଭ ହୋଇଥିବା, ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜାର ପଞ୍ଚତମ ଦିବସ, ନବରାତ୍ରର ଷଷ୍ଠ ଦିନରେ ଓ ପୀଠେ ଷଷ୍ଠୀପୂଜା ଉପଲକ୍ଷେ, ସନ୍ଧ୍ୟା ସମୟରେ ମାଆ ସାରଳା ଙ୍କ ଅପୂର୍ବ ଓ ମନୋରମ ମହିଷମର୍ଦ୍ଦିନୀ ବେଶ ଦର୍ଶନ କରିବା ପାଇଁ, ପ୍ରବଳ ଭକ୍ତସମାଗମ ପରିଲକ୍ଷିତ ହୋଇଥିଲା।
ଆସନ୍ତା ସପ୍ତମୀ ଓ ମହାଷ୍ଟମୀ ଦିନ ସନ୍ଧ୍ୟା ଆରତୀ ସମୟରେ ମଧ୍ୟ ଏହି ବେଶରେ ମାଆ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦିବ୍ୟ ଦର୍ଶନ ପ୍ରଦାନ କରିବେ। ରାତ୍ର ୧୦ଟା ବେଳେ ସମ୍ପୂର୍ଣ୍ଣ ସୁନାବେଶରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ମା ସାରଳା ଙ୍କ ଦର୍ଶନ ଲାଭ କରିଥିଲେ।
ବଡ଼ସିଂହାର ଓ ଷୋଡଶ ଉପଚାର ପୂଜା ପରେ, ମାଆ ସାରଳାଙ୍କର ଚଳନ୍ତି ପ୍ରତନିଧି ବିଜେ ପ୍ରତିମା ଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ, ବଡ ଶାରୋଳ ଗ୍ରାମର, ପ୍ରାଚୀନ ପୀଠସ୍ଥଳି ଲଣ୍ଡାଦେଉଳ ଚରଖି ପଡ଼ିଆ, ପୂଜାମଣ୍ଡପରେ ବିଜେ କରାଯିବା ପରେ, ପୂଜାର୍ଚ୍ଚନା ଓ ଆରତୀ ସରିବାପରେ ସ୍ଵପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ |ତେବେ ଏହି ଦାଣ୍ଡଯାତ୍ରା ବା ନଗର ପରିକ୍ରମା ପର୍ବ ପୁର୍ବରୁ, ମାଆଙ୍କ ମନ୍ଦିରରୁ ବଡ଼ପଣ୍ଡା ଙ୍କ ଦ୍ଵାରା ଆଜ୍ଞାମାଳ ପ୍ରାପ୍ତ ହୋଇ କାଳୀକା ନୃତ୍ୟ ବାହାରି, ତିନିଥର ବେଢ଼ା ପରିକ୍ରମା କରିବା ପରେ, ସିଂହଦ୍ବାର ସମ୍ମୁଖରେ, ବିମାନ ଆରୋହଣ କରିଥିବା ମାଆଙ୍କ ଆଗରେ ଓ ଦୋଳ ମଣ୍ଡପ ର ଚତୁଃପାର୍ଶ୍ଵ ରେ ପରିକ୍ରମା କରିବା ପରେ, ମାଆ ଙ୍କ ବିମାନ ପ୍ରାଚୀନ ପୀଠସ୍ଥଳୀ ଅଭିମୁଖେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଅଗ୍ରସର ହୋଇଥଲା। ଆସନ୍ତା ସପ୍ତମୀ ଓ ମହାଷ୍ଟମୀ ପୂଜା ରେ ଅନୁରୂପ ଭାବରେ ଏହି ବିଧି ବିଧାନ ଅନୁଯାଇ କାର୍ଯକ୍ରମ ଅନୁଷ୍ଠିତ ହେବବୋଲି, ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ସୂଚନା ପ୍ରଦାନ କରିଅଛନ୍ତି।