Nabarangpur 1 750x430

ଅପହରଣ ଦୁଷ୍କର୍ମ ପରେ ବିବାହିତା ମହିଳାଙ୍କୁ ମହାରାଷ୍ଟ୍ରରେ ବିକ୍ରି ଅଭିଯୋଗ

ରାଜ୍ୟ
Share

ନବରଙ୍ଗପୁର : ପ୍ରଥମେ ବିବାହ ପ୍ରଲୋଭନ ପରେ ଅପହରଣ ଦୁଷ୍କର୍ମ ଶେଷରେ ବାହାର ରାଜ୍ୟକୁ ବିକ୍ରି ଉଦ୍ୟମ । ଏକଥା ଶୁଣି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଲଜ୍ଜାଜନକ ଘଟଣା ମଧ୍ୟ । ସବୁଠୁ ବଡ଼ କଥା ହେଉଛି ଏଭଳି ଘଟଣା କୌଣସି ବାହାର ରାଜ୍ୟର ନୁହେଁ ଖୋଦ୍ ଓଡ଼ିଶାରେ ଦେଖିବାକୁ ମିଳିଛି । ବିବାହ ପ୍ରଲୋଭନ ଦେଖାଇ ମହିଳାଙ୍କୁ ମହାରାଷ୍ଟ୍ରରେ ବିକ୍ରି ଉଦ୍ୟମ କରିଛି ଜଣେ ୪୫ ବର୍ଷୀୟ ବ୍ୟକ୍ତି । ନବରଙ୍ଗପୁରରୁ ଅପହରଣ ଏବଂ ମହାରାଷ୍ଟ୍ରରେ ବିକ୍ରି ଉଦ୍ୟମ । ୧୪ ଦିନ ଧରି ଗୃହବନ୍ଦୀ ପରେ ମହିଳା ଉଦ୍ଧାର ହୋଇଛି । ନବରଙ୍ଗପୁର ତେନ୍ତୁଳିଗାଁ ରେ ଜଣେ ମହିଳାଙ୍କୁ ଅପହରଣ ପରେ ମହାରାଷ୍ଟ୍ରରେ ବିକ୍ରି ଉଦ୍ୟମ କରାଯିବା କଥା ସାମ୍ନାକୁ ଆସିଛି ।

ମହିଳାଙ୍କୁ ସେହି ଗାଁର ବାସୁଦେବ କଲାର ନାମକ ଜଣେ ବ୍ୟକ୍ତି ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ମହାରାଷ୍ଟ୍ରରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯିବା ସହ ଅନେକ ପୁରୁଷଙ୍କ ସହିତ ସଂପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି ।

ଶନିବାର ଅପରାହ୍ନ ରେ ମାତୃ ଆଶ୍ରୟ ଆଶ୍ରମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ଘଟଣା ସଂକ୍ରାନ୍ତରେ ପ୍ରକାଶ କରାଯାଇଛି । ନିର୍ଯାତିତା ମହିଳାଙ୍କ କହିବା ଅନୁଯାୟୀ, ଉମରକୋଟ ଥାନା ଧୋଡ୍ରା ପଞ୍ଚାୟତର ତେନ୍ତୁଳିଗାଁ ରେ ୨ ବର୍ଷ ପୂର୍ବେ ସେ ବିବାହ କରିଥିଲେ । ୨୦ ବର୍ଷୀୟ ବିବାହିତା ମହିଳାଙ୍କୁ ସେହି ଗାଁର ବିବାହିତ ବ୍ୟକ୍ତି ବାସୁଦେବ କଲାର ବିଭିନ୍ନ ସମୟରେ ବିବାହ ପ୍ରଲୋଭନ ଦେଖାଇ ଆସୁଥିଲା । ଗତ ମାସ ୨୯ ତାରିଖରେ ସେ ଅଧିକାରୀଗୁଡାରେ ଥିବା ବ୍ୟାଙ୍କକୁ ଯାଇଥିବା ବେଳେ ସେଠାରେ ବାସୁଦେବ ପହଞ୍ଚି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ରାୟପୁର ଯାଉଥିବା ଏକ ବସରେ ବସାଇ ନେଇଯାଇଥିଲା । ରାୟପୁର ଠାରୁ ନାଗପୁରରେ ପହଞ୍ଚି ନାଗପୁରରୁ ପୁଣି ମହାରାଷ୍ଟ୍ରର ଗଙ୍ଗାପୁର ଗ୍ରାମକୁ ନେଇଥିଲା ସେଠାରେ ସେ ନିଜେ ଦୁଷ୍କର୍ମ କରିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲା। ପ୍ରଥମ ଦିନରୁ ମହିଳା ବିରୋଧ କରିବାରୁ ଉକ୍ତ ମହିଳାଙ୍କୁ ଘରେ ରଖି ବାହାର ପଟେ ତାଲା ପକାଇ ରଖୁଥିଲା। ମଝିରେ ମଝିରେ ପର ପୁରୁଷକୁ ଆଣି ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲା ।

ମୋବାଇଲରୁ ସିମ୍ ବାହାର କରିଦେବାରୁ ମହିଳା ଜଣକ ଫୋନରେ ଯୋଗାଯୋଗ କରିପାରୁ ନଥିଲେ। ଏପରି ୧୪ ଦିନ ରହିବା ପରେ ଦିନେ ଝରକା ବାହାରେ କିଛି ମହିଳା ଓ ପୁରୁଷ ତାଙ୍କୁ ବିକ୍ରି କରିବା କଥା ହେଉଥିଲେ ଏହାକୁ ଶୁଣି ନେଇଥିଲେ ପିଡ଼ିତା । ଶୁଣିବା ପରେ ସେହି ଦିନ ହିଁ ସକାଳୁ ଘରର କାନ୍ଥ ଡେଇଁ ଲୁଚି ଲୁଚି ୫ କି.ମି ଚାଲି ଆସିବା ପରେ ଜାତୀୟ ରାଜପଥର ଏକ ଢ଼ାବା ନିକଟରେ ପହଞ୍ଚିଥିଲେ। ସେହି ଢ଼ାବାରେ ସେ କାନ୍ଦିବାରୁ ଢ଼ାବା ମାଲିକ ତାଙ୍କୁ ଫୋନ ଦେଇଥିଲେ। ସେହି ଫୋନରେ ନିଜ ସ୍ବାମୀଙ୍କୁ ସବୁ କଥା କହିଥିଲେ। ଖବର ପାଇ ନାରୀ ନେତ୍ରୀ ହାରାବତି ଗଣ୍ଡ ଉକ୍ତ ଢ଼ାବା ମାଲିକଙ୍କ ସହ କଥା ହୋଇଥିଲେ । ଏବଂ ତାଙ୍କୁ ନିକଟସ୍ଥ ଥାନାରେ ମହିଳାଙ୍କୁ ଛାଡିବା ପାଇଁ ଅନୁରୋଧ କରିଥିଲେ। ଢ଼ାବା ମାଲିକ ନିକଟସ୍ଥ ଉମରେଇଟ ଥାନାରେ ନେଇ ଛାଡିଥିଲେ ।

ନିର୍ଯାତିତ ମହିଳାଙ୍କୁ ମାତୃ ଆଶ୍ରୟ ଆଶ୍ରମର ଏକ ଟିମ୍ ଉଦ୍ଧାର କରିଥିଲେ। ସେଠାକାର ପୁଲିସ ସେ ଯେଉଁଠି ବନ୍ଦି ହୋଇ ରହିଥିଲେ ସେହି ଗାଁକୁ ଯାଇ ଘରର ମାଲିକ ଏବଂ ଅନ୍ୟ ଜଣେ ମହିଳାକୁ ଅଟକ ରଖି ତଦନ୍ତ କରିଥିଲା । ମହିଳାଙ୍କୁ ଉଦ୍ଧାର କରି ଆଣି ଉମରକୋଟ ଥାନାର ଦ୍ବାରସ୍ଥ ହୋଇଥିଲେ। ସେ ନିଖୋଜ ହେବା ନେଇ ଉମରକୋଟ ଥାନାରେ ପୀଡିତାଙ୍କ ସ୍ୱାମୀ ଏତଲା ଦେଇଥିଲେ । ତେବେ ପତ୍ନୀ ଫେରିବା ପରେ ଉମରକୋଟ ଥାନାରେ ଅଭିଯୁକ୍ତ ବାସୁଦେବ କଲାର ନାଁରେ ଅପହରଣ ଓ ଦୁଷ୍କର୍ମ ନେଇ ପୁଣି ପୀଡିତା ମହିଳା ଏତଲା ଦେଇଛନ୍ତି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ଉମରକୋଟ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ନିର୍ଯାତିତ ମହିଳାଙ୍କୁ ଡାବୁଗାଁର ଏକ ଆଶ୍ରୟ କେନ୍ଦ୍ରରେ ରଖାଯାଇଥିଲା। ତୁରନ୍ତ ଅଭିଯୁକ୍ତ ବାସୁଦେବକୁ ଗିରଫ କରିବା ସହ ସେ ସୁଦୁର ମହାରାଷ୍ଟ୍ରର ଗଙ୍ଗାପୁର ରେ କିପରି ନେଇ ରଖିଲା। ଏହି ମାମଲା ରେ ମହିଳା ଚାଲାଣ ରାକେଟ୍ କାମ କରୁଛି । ଏହି ରାକେଟ୍ ନିକଟରେ ପହଞ୍ଚିବା ପାଇଁ ଦାବି କରିଛନ୍ତି ମାତୃ ଆଶ୍ରୟ ଆଶ୍ରମର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଓ ହାରାବତି ଗଣ୍ଡ ।

Leave a Reply

Your email address will not be published. Required fields are marked *