Pannu 1726748791

ପିଲଭିତ୍ ଏନକାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନେବୁ: ପନ୍ନୁଙ୍କ ଧମକ

ଦେଶବିଦେଶ
Share

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପିଲିଭିତ୍‌ରେ ଗୋଟିଏ ଦିନ ପୂର୍ବରୁ ୩ଜଣ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଏନକାଉଣ୍ଟର ପରେ ଆମେରିକାରେ ଥିବା ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପ୍ରତିଶୋଧ ନେବେ ବୋଲି ଧମକ ଦେଇଛନ୍ତି। ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳାରେ ପନ୍ନୁ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛନ୍ତି। ମୃତ ଆତଙ୍କବାଦୀଙ୍କ ପରିବାରକୁ ସେ ୫ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିବା ସହିତଏକ ଅଲଗା ଖାଲିସ୍ତାନ ଗଠନ ପାଇଁ ଦାବି କରିଛନ୍ତି ।
ନିଷିଦ୍ଧ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସଏଫଜେ)ର ଗୁରୁପତୱନ୍ତ ସିଂ ପନ୍ନୁ ଏକ ଭିଡିଓ ରିଲିଜ୍ କରି ଏଭଳି ଧମକ ଦେଇଛନ୍ତି। ସେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମହାକୁମ୍ଭ ୨୦୨୫ ହିନ୍ଦୁତ୍ୱର ଶେଷ ମହାକୁମ୍ଭ ହେବ।
ପନ୍ନୁ ଭିଡିଓରେ ଧମକ ଦେଇ କହିଛନ୍ତି ମହାକୁମ୍ଭରେ ୩ଟି ତାରିଖରେ ପ୍ରତିଶୋଧ ନେବେ। ସେଥିମଧ୍ୟରୁ ୧୪ ଜାନୁୟାରୀ ୨୦୨୫ରେ ମକର ସଂକ୍ରାନ୍ତିରେ ପ୍ରଥମ ଶାହି ସ୍ନାନ, ୨୯ ଜାନୁୟାରୀ ୨୦୨୫ରେ ମୌନୀ ଅମାବାସ୍ୟାରେ ଦ୍ୱିତୀୟ ଶାହି ସ୍ନାନ ଏବଂ ୩ ଫେବୃଆରୀ ୨୦୨୫ ରେ ବସନ୍ତ ପଞ୍ଚମୀର ହେବାକୁ ଥିବା ତୃତୀୟ ଶାହି ସ୍ନାନରେ ସେ ପ୍ରତିଶୋଧ ନେବାକୁ ଧମକ ଦେଇଛି।
ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ପଞ୍ଜାବରେ ଗ୍ରେନେଡ ଆକ୍ରମଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ପିଲଭିତ୍‌ରେ ଏକ ଏନକାଉଣ୍ଟରରେ ହତ୍ୟା କରାଯାଇଥିଲା। ସୋମବାର ସକାଳେ ୟୁପି ପୁଲିସ ଏବଂ ପଞ୍ଜାବ ପୁଲିସର ମିଳିତ ଅପରେସନରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଏହି ତିନି ଆତଙ୍କବାଦୀ ଖାଲିସ୍ତାନୀ କମାଣ୍ଡୋ ଫୋର୍ସର ସଦସ୍ୟ ଥିଲେ। ସେମାନଙ୍କଠାରୁ ଦୁଇଟି ଏକେ-୪୭ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସେମାନଙ୍କୁ ଗୁରଦାସପୁର ବାସିନ୍ଦା ଗୁରୁବିନ୍ଦର ସିଂ, ରବି ଏବଂ ଜସପ୍ରୀତ ବୋଲି ଚିହ୍ନଟ କରାଯାଇଛି।

Leave a Reply

Your email address will not be published. Required fields are marked *