ଝଙ୍କଡ଼ : ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଗତ ଡ଼ିସେମ୍ବର ୨୫ ତାରିଖ ବୁଧବାର ବଡଦିନରେ, ପୂର୍ବ ଓଡିଶାର ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଝଙ୍କଡ଼ ସାରଳାପୀଠରେ ରାତି ପାହିଲାମାତ୍ରେ, ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଓ ପର୍ଯ୍ୟଟକମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ମାତ୍ର ବିଗତ ତିନିବର୍ଷ ପୁର୍ବରୁ ଆରମ୍ଭ ହୋଇଥିବା ସାରଳାପୀଠର ନବୀକରଣ କାର୍ଯ୍ୟ ଚାଲିଥିବାରୁ, ମନ୍ଦିର ସମ୍ମୁଖସ୍ଥ କନକପୁର ବଜାର ପଡ଼ିଆ ର କେତେକ ସ୍ଥାନରେ ଖୋଳାଯାଇ, ଖାଲ ଖମା ରେ ପରିଣତ ହୋଇଥିବାରୁ, ଯାତ୍ରୀବାହୀ ଟୁରିଷ୍ଟ ଗାଡି ଓ ବହୁ ସଂଖ୍ୟକ ଚାରିଚକିଆ ଯାନବାହନ ଗୁଡିକ ପାର୍କିଂ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବିଶେଷ କରି ଚାରିଗୋଟି ପର୍ଯ୍ୟାୟ ରେ ଏହି କନକପୁର ବାଜର ପଡ଼ିଆ ରୁ ୫୦୦ ରୁ ଉର୍ଦ୍ଧ୍ବ ସ୍ଥାୟୀଦୋକାନ ଘର କୁ ଭାଙ୍ଗିଦେଇଥିବାରୁ, ସେମାନଙ୍କ ମଧ୍ୟରୁ ଅଳ୍ପ କିଛି, ଉଠାଦୋକାନ ଖୋଲି, ଗୁଜୁରାଣ ମେଣ୍ଟାଉଛନ୍ତି। ସେହି ପାଲଟାଣl ଉଠାଦୋକାନରେ, ଯାତ୍ରୀ ମାନେ ବର୍ଷାରେ ଓଦାମୋଦା ହୋଇ ଜଳଖିଆ ଖାଇବାକୁ ବାଧ୍ୟ ହେଉଛନ୍ତି।
ନବୀକରଣ କାର୍ଯ୍ୟ ଚାଲିଥିବାରୁ ଚାରିଆଡ଼େ ଖୋଲା ମେଲା ହୋଇ ପଡ଼ିଛି। ଯାହାଫଳରେ ଯାତ୍ରୀ ମାନେ, ମୁଣ୍ଡଗୁଞ୍ଜିବାକୁ କେଉଁଠି ଜାଗା ପାଉ ନାହାଁନ୍ତି। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଅସ୍ଥାୟୀ ଟେଣ୍ଡ ର ବ୍ୟବସ୍ଥା କରାଯାଇ ନାହିଁ। ଯେଉଁ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ଦାନ ସୂତ୍ରରେ, ପ୍ରତିବର୍ଷ କୋଟି କୋଟି ଟଙ୍କା ମନ୍ଦିର ପାଣ୍ଠିକୁ ଆସୁଛି, ମାତ୍ର ସେହି ଯାତ୍ରୀ ମାନଙ୍କ ସାମାନ୍ୟତମ ସୁବିଧା ସୁଯୋଗ ଯୋଗାଇ ଦେବାକୁ, ପ୍ରଶାସନ ତରଫରୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ। ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ସ୍ଵୟଂ ସାରଳା ମନ୍ଦିର ପ୍ରଶାସନର ମୁଖ୍ୟ ହୋଇଥିବାବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏସବୁ ଅଭାବ ଅସୁବିଧା ଓ ସମସ୍ୟା ର ଅନୁଧ୍ୟାନ କରାଯାଉନାହିଁ। ମନ୍ଥର ଗତି ରେ ହେଉଥିବା ନବୀକରଣ କାର୍ଯ୍ୟ ର ମଧ୍ୟ ତଦାରଖ ହେଉ ନ ଥିବାରୁ, ସବୁକାମ ଅଧା ପନ୍ତୁରିଆ ହୋଇ ପଡ଼ିଛି। ଆଉ ମାତ୍ର ଚାରିଦିନ ପରେ ଇଂଗ୍ରl ଜି ନବବର୍ଷ ରେ ସାରଳା ପୀଠରେ ଲକ୍ଷାଧିକ ଜନସମାଗମ ହେବାକୁ ଯାଉଛି, ଦେଖିବାକୁ ବାକି ରହିଲା, ସାରଳାମନ୍ଦିରପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ, ସୁବିଧା ସୁଯୋଗ ଯୋଗାଇ ଦେବାକୁ, ଆଉ କିଛି ବ୍ୟବସ୍ଥା କରୁଛି, ନାଁ ପୂର୍ବଭଳି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ଯାଉଛି ?