ଆଇପିଏଲ୍‌: ପଞ୍ଜାବଠୁ ପ୍ରତିଶୋଧ ନେଲା ମୁମ୍ବାଇ

ଦେଶବିଦେଶ
Share

ମୋହାଲି: ଚଳିତ ଆଇପିଏଲ୍‌ର ବୁଧବାର ୪୬ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସକୁ ତା’ଘରୋଇ ପଡ଼ିଆରେ ୬ ୱିକେଟ୍‌ରେ ପରାସ୍ତ କରି ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବ ମ୍ୟାଚ୍‌ ପରାଜୟର ମଧୁର ପ୍ରତିଶୋଧ ନେଇଗଲା। ପଞ୍ଜାବ ଛାଡ଼ିଥିବା ୨୧୫ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ୭ ବଲ୍‌ ପୂର୍ବରୁ ମାତ୍ର ୪ ୱିକେଟ୍‌ ବିନିମୟରେ ହାସଲ କରିନେଇଥିଲା। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ପଞ୍ଜାବ ୧୩ ରନ୍‌ରେ ମୁମ୍ବାଇକୁ ହରାଇଥିଲା। କିନ୍ତୁ ବୁଧବାର ପାଲଟା ମ୍ୟାଚ୍‌ର ପ୍ରଥମ ଓଭର ତୃତୀୟ ବଲ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କୁ ରିଶି ଧାୱନ ଖାତା ଖୋଲିବାକୁ ନଦେଇ ପାଭିଲିୟନ ପଠାଇ ମୁମ୍ବାଇକୁ ପ୍ରାରମ୍ଭିକ ଝଟ୍‌କା ଦେଇଥିଲେ। ତେବେ କାମେରୁନ ଗ୍ରିନ୍‌ଙ୍କ ସହ ମିଶି ଈଶାନ କିଶନ ଦ୍ବିତୀୟ ୱିକେଟ୍‌ରେ ୫୪ ରନ୍‌ର ଭାଗୀଦାରି ଗଢ଼ି ପାଳି ସମ୍ଭାଳି‌ ନେଇଥିଲେ। ଗ୍ରିନଙ୍କୁ ନାଥନ ଏଲିସ୍‌ ଆଉଟ୍‌ କରିବା ପରେ ଈଶାନ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍‌ରେ ୧୧୬ (୫୫ ବଲ୍‌) ରନ୍‌ ଯୋଡ଼ି ମୁମ୍ବାଇକୁ ବିଜୟର ନିକଟତର କରିଥିଲେ। ହେଲେ ସୂର୍ଯକୁମାର ଓ ଈଶାନ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ପରେ ଗୋଟିଏ ଓଭର ମଧ୍ୟରେ ପାଭିଲିୟନ ଫେରିଯାଇଥିଲେ। ମାତ୍ର ଟିମ ଡେଭିଡ ଓ ତିଳକ ବର୍ମା ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଇଥିଲେ। ଦୁହେଁ ଅତୁଟ ପଞ୍ଚମ ୱିକେଟ୍‌ରେ ୧୬ ବଲ୍‌ରୁ ୩୮ ରନ୍‌ ଯୋଡ଼ି ଦଳକୁ ଚିକାକର୍ଷକ ବିଜୟ ଭେଟି ଦେଇଥିଲେ। ଏଥି ସହ ଚଳିତ ସଂସ୍କରଣରେ ମୁମ୍ବାଇ ଦ୍ବିତୀୟ ଥର ଲାଗି ୨୦୦ରୁ ଅଧିକ ରନ୍‌କୁ ସଫଳ ପଶ୍ଚାତ୍‌ଧାବନ କରି ବିଜୟୀ ‌ହୋଇଛି। ଏହି ମ୍ୟାଚ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସର ୨୧୩ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିଥିଲା ମୁମ୍ବାଇ। ଈଶାନ କିଶନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ ମ୍ୟାଚ୍‌ର ଦ୍ବିତୀୟ ଓଭ‌ରରେ ପ୍ରଭସିମ୍ରନ ସିଂହଙ୍କୁ ହରାଇଥିଲା। ଅଧିନାୟକ ଶିଖର ଧାୱନ ଓ ମାଥ୍ୟୁ ସର୍ଟ ଦ୍ବିତୀୟ ୱିକେଟ୍‌ରେ ୪୯ ରନ୍‌ ଯୋଡ଼ି ପାଳି ସମ୍ଭାଳି ନେଇଥିଲେ। ହେଲେ ଧାୱନ ଜମି ଆସୁଥିବା ବେଳେ ତାଙ୍କୁ ପୀୟୂଷ ଚାୱଲାଙ୍କ ବଲ୍‌ରେ ଈଶାନ କିଶନ ଷ୍ଟମ୍ପ୍‌ ଆଉଟ୍‌ କରି ପାଭିଲିୟନ ପଠାଇ ଦେଇଥିଲେ। ଏହାପରେ ଦଳୀୟ ସ୍କୋର୍‌ ୯୫ ବେଳେ ସର୍ଟଙ୍କୁ ଚାୱଲା ନିଜର ଦ୍ବିତୀୟ ଶିକାର କରିଥିଲେ। ହେଲେ ଲିଅମ ଲିଭିଂଷ୍ଟୋନ୍‌ ଓ ଜିତେଶ ଶର୍ମା ଚତୁର୍ଥ ୱିକେଟ୍‌ରେ ଅବିଭାଜିତ ୧୧୯ ରନ୍‌ (୫୩ ବଲ୍‌)ର ଭାଗୀଦାରି ଗଢ଼ି ଦଳୀୟ ସ୍କୋର୍‌କୁ ୨୧୪/୪ରେ ପହଞ୍ଚାଇଥିଲେ। ଆଇପିଏଲ୍‌ ପଦାର୍ପଣକାରୀ ଆକାଶ ମାଧୱାଲ ତାଙ୍କ ୩ ଓଭରରେ ୩୪ ରନ୍‌ ବ୍ୟୟ କରିଥିଲେ। ଶେଷରେ ଲିଭିଂଷ୍ଟୋନ୍‌-ଜିତେଶଙ୍କ ଶତକୀୟ ଭାଗୀଦାରିକୁ ଫିକା କରିଦେଇଥିଲା ମୁମ୍ବାଇ।

Leave a Reply

Your email address will not be published. Required fields are marked *