ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ସହ ଜିଲ୍ଲା ଭିତ୍ତିକ ନିଯୁକ୍ତି ସମେତ ୫ଦଫା ଦାବିକୁ ନେଇ ମଙ୍ଗଳବାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀରାଣୀ ବାହିନୀପତି ଜିଲ୍ଲା ବ୍ୟାପି ବନ୍ଦ ପାଳନର ଆହ୍ବାନ ଦେଇଥିଲେ। ଜୟପୁର ସହର ସମେତ ଜୟପୁର ବ୍ଲକର ଆମ୍ବାଗୁଡା ଠାରେ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତାମାନେ ରାସ୍ତାରୋକ କରି ଆନ୍ଦୋଳନ କରି ବନ୍ଦକୁ ସଫଳ କରିଥିଲେ। ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ କରିବୁ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଚେତାବନୀ ଦେଇଛନ୍ତି। ମା, ମାଟି ପାଇଁ ଦଳମତ ନିର୍ବିଶେଷରେ ଆଗାମୀ ଦିନରେ ବନ୍ଦ ପାଳନ କରାଯିବ ଏଥିରେ ରାଜନୈତିକ ସ୍ବାର୍ଥ କିଛି ନାହିଁ ବୋଲି ବିଧାୟକ କହିଛନ୍ତି। ଜୟପୁର ଚାମ୍ବର ଆଫ କମର୍ସ ପକ୍ଷରୁ ବନ୍ଦ ଓ ଦାବିଗୁଡିକକୁ ସମର୍ଥନ କରିଥିବାରୁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା।
ସେଭଳି ସକାଳୁଆ ସରକାରୀ କାର୍ଯ୍ୟାଳୟ ରହିଥିଲେ ହେଁ ସବୁ କାର୍ଯ୍ୟାଳୟକୁ କଂଗ୍ରେସ କର୍ମୀ ମାନେ ପିକେଟିଂ କରି ବନ୍ଦ କରିଥିଲେ। ସହରର ସବୁ ବ୍ୟାଙ୍କ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ଗୁଡିକ ବି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଏପରିକି କେନ୍ଦ୍ରସରକାରଙ୍କ ଅଧିନରେ ଥିବା ମୁଖ୍ୟଡାକ ଘର ବି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। କେବଳ କୋର୍ଟ ହିଁ ଖୋଲା ରହିଥିଲା। ସହରର ଟ୍ରାଫିକ ଛକ, ଗାନ୍ଧୀଛକ, ଜୟନଗରଛକ ଠାରେ କଂଗ୍ରେସର ନେତୃମଣ୍ଡଳୀ ବନ୍ଦ କରିଥିଲେ। ଏପରିକି ଶହ ଶହ ଟ୍ରକ ଓ ଯାତ୍ରୀ ବାହୀ ବସ ଗୁଡିକ ବି ବନ୍ଦ ମଧ୍ୟରେ ଦିନ ତମାମ ପସି ରହିଥିଲା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ନଗରସଭାପତି ନରେନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ କଂଗ୍ରେସର କର୍ମକର୍ତ୍ତା ମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସମଗ୍ର ସହର ଓ ବ୍ଲକ ଅଂଚଳ ଖାଁ ଖାଁ ଲାଗିଥିଲା। ସେଭଳି ଆମ୍ବାଗୁଡା ଠାରେ ବ୍ଲକ ସଭାପତି ବସନ୍ତ ନାୟକ, ଦେବେନ୍ଦ୍ର ବାହିନୀପତି, ଗୁପ୍ତ ପାତ୍ର, ବାଲାଜୀ ମାଦଲାଙ୍କ ନେତୃତ୍ବରେ ବନ୍ଦ ପାଳନ କରାଯାଇଥିଲା।
ଜିଲ୍ଲାରେ ଶହ ଶହ ବେକାର ଶିକ୍ଷିତ ଯୁବକ ଓ ଯୁବତୀ ରହିଥିଲେ ହେଁ ରାଜ୍ୟସରକାର ଚକ୍ରାନ୍ତ କରି ଜିଲ୍ଲାଭିତ୍ତିକ ନିଯୁକ୍ତି ବଦଳରେ ରାଜ୍ୟଭିତ୍ତିକ କରିଛନ୍ତି। ଫଳରେ ଜିଲ୍ଲାରେ ପିଲା ବେକାର ହୋଇ ବୁଲୁଛନ୍ତି । କୋରାପୁଟ ବିଏଡ୍ କଲେଜରେ ଆବଶ୍ୟକତା ଅନୁଯାୟୀ ଅଧ୍ୟାପକ ପଦବୀ ପୁରଣ ନ କରିବାରୁ ଏହା ବନ୍ଦ ହୋଇଗଲା ବୋଲି ବିଧାୟକ ଅଭିଯୋଗ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଜିଲ୍ଲାପ୍ରଶାସନ ଚିହ୍ନଟ କରିସାରିଥିବା ବେଳେ ପୁରୁଣା ଅନ୍ବେଷା ଛାତ୍ରବାସକୁ ୨୮ଲକ୍ଷ ଟଙ୍କା ଖର୍ଚ୍ଚ କରି ପୁନଃରୁଦ୍ଧାର କରାଯାଇଛି। ସମସ୍ତ ମାନଦଣ୍ଡ ପୁରଣ ହେଲେ ବି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ରାଜନୈତିକ ଉଦ୍ଦେଶ୍ୟ ରଖି ସ୍ଥାପନ କରିବାକୁ ପଦକ୍ଷେପ ନେଉ ନାହାନ୍ତି ବୋଲି ବିଧାୟକ ଅଭିଯୋଗ କରିଥିଲେ। ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ କରିବୁ ବୋଲି ଜୟପୁର ବିଧାୟକ ଚେତାବନୀ ଦେଇଛନ୍ତି। ଏସଡିପିଓ ହରିଶ ବି.ସି, ଟାଉନଥାନା ଅଧିକାରୀ ସମ୍ବିତ ବେହେରା, ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି ସଦଳବଳ ନେଇ ଜୟପୁର ସହର ଓ ବ୍ଲକ ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।