ପିଆଜ କେଜି ୪ ଟଙ୍କା, ମୁଣ୍ଡରେ ହାତ ଦେଲେଣି ଟିଟିଲାଗଡ଼ ଚାଷୀ

ରାଜ୍ୟ
Share

ଟିଟିଲାଗଡ଼ : ପିଆଜ କେଜି ୪ ଟଙ୍କା। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର ଚାଷୀ ଏବେ ସାହୁକାର ଓ ଦଲାଲଙ୍କୁ ବାଧ୍ୟବାଧ୍ୟକତା ଭିତରେ ଏହି ଦାମ୍‌ରେ ପିଆଜ ବିକ୍ରି କରୁଛନ୍ତି। ପ୍ରଚୁର ପରିମାଣରେ ପିଆଜ ଅମଳ ହେବା ଓ ଏହାକୁ ସଂରକ୍ଷଣ କରିବା ନିମନ୍ତେ ଟିଟିଲାଗଡ଼ରେ ଆବଶ୍ୟକ ଶୀତଳଭଣ୍ଡାର ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଛନ୍ତି।
ସିନ୍ଦେକେଲାର ଚାଷୀ ଅନିରୁଦ୍ଧ ସାହୁ କହିଛନ୍ତି, ଟିଟିଲାଗଡ଼ରେ ପ୍ରତିବର୍ଷ ଉକୃଷ୍ଟମାନର ପିଆଜ ଅମଳ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଫସଲ ଭଲ ହୋଇଛି। ଏହି ପିଆଜର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ରହିଛି। ତେବେ ଅମଳ ହେବା ମାତ୍ରେ ପିଆଜ ବିକ୍ରି କରିବା ଛଡ଼ା ଚାଷୀଙ୍କ ପାଖରେ ଅନ୍ୟବାଟ ନାହିଁ। ଚାଷୀ ନିରୁପାୟ। ପିଆଜ ସାଇତି ରଖିବା ପାଇଁ ଏଠାରେ ଚାଷୀଙ୍କ ନିମନ୍ତେ ଶୀତଳଭଣ୍ଡାର କିମ୍ବା ଗୋଦାମ ଘର ନାହିଁ। ଖୁବ୍ କମ୍ ଦାମରେ ସାହୁକାର ଓ ବାହାର ରାଜ୍ୟର ଦଲାଲଙ୍କୁ ଅମଳ ପିଆଜ ଦେଇଥାନ୍ତି। ୨ ମାସ ପରେ ସାଧାରଣ ଆବଶ୍ୟକତା ମେଣ୍ଟାଇବା ନିମନ୍ତେ ଅଧିକ ଦରରେ କିଣୁଛନ୍ତି। ଦୁଇମାସ ପରେ ପିଆଜ ଦାମ ୪ ଗୁଣା ବଢ଼ି ଯାଇଛି। ହେଲେ ସରକାର ଏହା ଉପରେ ଦୃଷ୍ଟି ଦେଉନାହାନ୍ତି। ଖାଦ୍ୟ ପ୍ରକ୍ରିୟାକରଣ ଜରିଆରେ ପିଆଜରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇପାରନ୍ତା। ହେଲେ ଚାଷୀଙ୍କୁ ଏବାଦରେ ଟ୍ରେନିଂ କିମ୍ବା ଶିଳ୍ପ ପ୍ରତିଷ୍ଠା ନିମନ୍ତେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନି।
ଚାଷୀ ପଦ୍ମନାଭ କହିଛନ୍ତି, ପିଆଜ ବିକ୍ରି କରିବାକୁ ଚାଷୀଙ୍କ ନିମନ୍ତେ ସରକାର କୌଣସି ଠାରେ ମଣ୍ଡି କରୁନାହାନ୍ତି। ଏବେ ଦଲାଲମାନେ ଚାଷୀଙ୍କ ପାଖରୁ ପିଆଜ କୁଇଣ୍ଟାଲ ପିଛା ୪୦୦ରୁ ୫୦୦ ଟଙ୍କା କିଣି ନେବାକୁ ପ୍ରସ୍ତାବ ଦେଉଛନ୍ତି। କିଛି ଫସଲ ବିକ୍ରି ହୋଇଛି, ଆଉକିଛି ଦର ବଢ଼ିଲେ ବିକ୍ରି କରିବାକୁ ଆଶା ରହିଛି। ପାଣିପାଗକୁ ଦେଖି ଭୟ ରହିଥିବାରୁ ଚାଷ ଜମିକୁ ହରଦମ ଜଗି ବସିବାକୁ ପଡ଼ୁଛି। ପରିଶ୍ରମ ମୁତାବକ ଖର୍ଚ୍ଚ ମିଳୁ ନ ଥିବାରୁ ଦୁଃଖ ଲାଗୁଛି। ଧାରକରଜ କରି ଚାଷ ହୋଇଥିବାରୁ ଅମଳ ପରେ କିପରି ଋଣ ଟଙ୍କା ପରିଶୋଧ କରାଯିବ ତାହାର ଚିନ୍ତା ମଧ୍ୟ ରହିଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।
ପିଆଜ ଚାଷ ପାଇଁ ସର୍ବଭାତୀୟସ୍ତରରେ ଦୁଇ ନମ୍ବର ସ୍ଥାନରେ ରହିଛି ଟିଟିଲାଗଡ ଅଞ୍ଚଳ। ନାସିକ ଅଞ୍ଚଳର ପିଆଜ ପରେ ଟିଟିଲାଗଡ ଅଞ୍ଚଳର ପିଆଜର ସବୁଠି ବେଶ୍ ଚାହିଦା ରହିଛି।
ଟିଟିଲାଗଡ଼ର ଚାଷୀମାନେ ଧାନ ଅମଳ ହେବା ପରେ ପରେ ଉକ୍ତ ଜମିରେ ପିଆଜ ଚାଷ କରିଥାନ୍ତି। ପରିବାରର ସମସ୍ତେ ଏହି ଚାଷ ପାଇଁ ଜମିରେ ଶ୍ରମ ଦେଇଥାନ୍ତି। ଜଳସେଚନ ସୁବିଧା ନଥିଲେ କୁଆଁରୁ ପାଣି କ୍ଷେତକୁ ମଡ଼ାଇ ଥାନ୍ତି। ଏତେ ପରିଶ୍ରମ ପରେ ମଧ୍ୟ ସେମାନଙ୍କୁ କୌଣସି ଲାଭ ମିଳେ ନାହିଁ। ପିଆଜର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରା ନ ଯିବା ଓ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଚାଷୀମାନେ ଦଲାଲମାନଙ୍କ ଶିକାର ହୋଇଥାନ୍ତି। ଚାଷୀଙ୍କୁ ହାଡ଼ଭଙ୍ଗା ପରିଶ୍ରମର ଉଚିତ୍ ମୂଲ୍ୟ ମିଳିପାରୁନାହିଁ। ସେମାନେ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛନ୍ତି।

Leave a Reply

Your email address will not be published. Required fields are marked *