ନିଷିଦ୍ଧ କାର୍ବାଇଡ୍‌ରେ ପାଚୁଛି ଆମ୍ବ, ଚେଇଁ ଶୋଇଛି ଖାଦ୍ୟ ସୁରକ୍ଷା ବିଭାଗ

ରାଜ୍ୟ
Share

ଜଟଣୀ: ସମ୍ପ୍ରତି ଆମ୍ବ ଋତୁ ଚାଲିଛି ଏବଂ ବଜାରରେ ବିଭିନ୍ନ କିସମର ପାଚିଲା ଆମ୍ବ ପସରା ମେଲିଗଲାଣି। ହଳଦୀ ଗୁରୁଗୁରୁ ପାଚିଲା ଆମ୍ବ ଗ୍ରାହକମାନଙ୍କୁ ଆକର୍ଷଣ କରୁଛି। କିନ୍ତୁ ପାଟିକୁ ସୁଆଦିଆ ଲାଗୁଥିବା ଏହି ସବୁ ପାଚିଲା ଆମ୍ବ ଯେ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ, ତାହା ଅନେକଙ୍କୁ ଜଣାନାହିଁ। କୃତ୍ରିମ ଉପାୟରେ କ୍ୟାଲ୍‌ସିୟମ୍‌ କାର୍ବାଇଡ୍‌ ପ୍ରୟୋଗ କରି ଆମ୍ବକୁ ହଳଦିଆ କରିଦିଆଯାଉଛି। ଆମ୍ବ ପଚାଇବା ପାଇଁ ବ୍ୟବହାର କରାଯାଉଥିବା କ୍ୟାଲ୍‌ସିୟମ୍‌ କାର୍ବାଇଡ୍‌କୁ ଭାରତରେ ନିଷିଦ୍ଧ କରାଯାଇଛି। କିନ୍ତୁ ବଜାରରେ ବ୍ୟବସାୟୀମାନେ ଖୋଲାଖୋଲି ଏହି ନିଷିଦ୍ଧ ରାସାୟନିକ ପଦାର୍ଥକୁ ବ୍ୟବହାର କରୁଛନ୍ତି ଏବଂ ପାଚିଲା ଆମ୍ବ ସାଙ୍ଗରେ ରୋଗ ବିକୁଛନ୍ତି। ଅଥଚ ଖାଦ୍ୟ ସୁରକ୍ଷା ବିଭାଗ ସବୁ ଦେଖି ନ ଦେଖିପାରିବାର ଅଭିନୟ କରି ଚୁପ୍‌ ରହୁଛି। ଲୋକ ଦେଖାଣିଆ ସଚେତନତା କାର୍ଯ୍ୟକ୍ରମ ଓ ଚଢ଼ଉ କରି ବିଭାଗୀୟ ଅଧିକାରୀମା‌ନେ ବ୍ୟବସାୟୀମାନଙ୍କୁ ଏଦିଗରେ ପରୋକ୍ଷ ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି ବୋଲି ଅଭିଯୋଗ ହେଉଛି।
ଆମ୍ବ, କଦଳୀ, ସପୁରୀ, ପଣସ, ଲିଚୁ ଓ ଅମୃତଭଣ୍ଡା ଭଳି ଫଳ ପଚାଇବାକୁ କ୍ୟାଲସିୟମ୍ କାର୍ବାଇଡ୍‌ ବ୍ୟବହାର କରାଯାଉଛି। ଫଳ ପଚାଇବାକୁ ଏହାକୁ ବ୍ୟବହାର କରାଗଲା ବେଳେ ଏଥିରୁ ନିର୍ଗତ ଏସିଟିଲିନ୍‌ ଗ୍ୟାସ୍‌ ସ୍ବାସ୍ଥ୍ୟ ପକ୍ଷେ ବିପଜ୍ଜନକ। ତେଣୁ ୨୦୦୬ ମସିହାରୁ ଏହାକୁ ଭାରତରେ ନିଷିଦ୍ଧ କରାଯାଇଛି। ପୁଣି ୨୦୧୧ ମସିହା ଆଇନ ଅନୁସାରେ ଏହାକୁ ବ୍ୟବହାର କଲେ, ୬ ମାସ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡର ବ୍ୟବସ୍ଥା କରାଯାଇଛି। କାର୍ବାଇଡ୍‌ ବଦଳରେ ଏଥିଲିନ୍‌ ଗ୍ୟାସ୍‌ ବ୍ୟବହାର କରିବାକୁ କୁହାଯାଇଛି। ମାତ୍ର ବହୁ ବ୍ୟବସାୟୀ ଏଥିଲିନ୍‌ ଗ୍ୟାସ୍‌ ବ୍ୟବହାର କରିବା ବଦଳରେ କାର୍ବାଇଡ୍‌ ପ୍ରୟୋଗ କରିବା ଜାରି ରଖିଛନ୍ତି। ଖାଦ୍ୟ ସୁରକ୍ଷା ବିଭାଗର ଉଦାସୀନତା ପାଇଁ ଆଇନ କଡ଼ାକଡ଼ି ଭାବେ ଲାଗୁ ହୋଇପାରୁନାହିଁ। ବଡ଼ କଥା ହେଉଛି, ଜଟଣୀ ଭଳି ବଜାରରେ ବିକ୍ରି ହେଉଥିବା ପାଚିଲା ଫଳରେ ଦୁଇ ଦୁଇ ଥର ନିଷିଦ୍ଧ କାର୍ବାଇଡ୍‌ ବ୍ୟବହାର କରାଯାଉଛି।
ଜଟଣୀର ବ୍ୟବସାୟୀମାନେ ଭୁବନେଶ୍ବର ଗୋଦାମରୁ ମାଲ୍‌ ଉଠାଉଛନ୍ତି। ଭୁବନେଶ୍ବର ଗୋଦାମରେ ଥରେ କାର୍ବାଇଡ୍‌ ବ୍ୟବହାର କରାଯାଉଥିବା ବେଳେ ଜଟଣୀର ବ୍ୟବସାୟୀମାନେ ପୁଣି ଥରେ ଏହାକୁ ପ୍ରୟୋଗ କରୁଛନ୍ତି। ତେଣୁ ବଜାରରେ ମିଳୁଥିବା ପାଚିଲା ଆମ୍ବ ବା ଅନ୍ୟାନ୍ୟ ଫଳ ବହୁ ମାତ୍ରାରେ ବିଷାକ୍ତ ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଆସୁଛନ୍ତି। ଗୁରୁତର କଥା ହେଉଛି, ଜଟଣୀର ବ୍ୟବସାୟୀମାନେ ଖୋଲାଖୋଲି ଏକଥାକୁ ସ୍ବୀକାର କରୁଛନ୍ତି। ବଜାର ଚାହିଦାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଏଭଳି କରିବାକୁ ପଡ଼ୁଛି ବୋଲି ସେମାନେ କହୁଛନ୍ତି। ବାହାରୁ ଆସୁଥିବା କଞ୍ଚା ଆମ୍ବ, କଦଳୀ ଭଳି ଫଳ ଏଥିଲିନ୍‌ ଗ୍ୟାସ୍‌ ବ୍ୟବହାର କରି ପଚାଇବାକୁ ବିଳମ୍ବ ହେଉଛି। ଶୀଘ୍ର ପଚାଇବାକୁ ହେଲେ, ଅଧିକ ଏଥିଲିନ୍‌ ଗ୍ୟାସ୍‌ ବ୍ୟବହାର କରିବାକୁ ପଡ଼ିବ। ଏହାଦ୍ବାରା ସେମାନେ ଅଧିକ ଖର୍ଚ୍ଚାନ୍ତ ହେ‌ବେ ଏବଂ ଅଧିକ ଏଥିଲିନ୍‌ ଗ୍ୟାସ୍‌ ବ୍ୟବହାର ବି ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ସେମାନେ କାର୍ବାଇଡ୍‌ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ଏନେଇ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ନିବେଦିତା ଭଟ୍ଟ କହିଛନ୍ତି ଯେ ଫଳ ଦୋକାନୀମାନଙ୍କୁ ଆଇନ ବାବଦରେ ସଚେତନ ଓ ସତର୍କ କରାଯାଉଛି। ତଥାପି ସେମାନେ ଆଇନ ମାନୁନଥିବା ଅଭିଯୋଗ ହେଉଛି। ତେଣୁ ଖୁବ ଶୀଘ୍ର ଚଢ଼ଉ କରାଯିବ ଏବଂ କାର୍ବାଇଡ୍‌ ବ୍ୟବହାର କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *