କଟକ : କଟକ ସହରରେ କ୍ରିପ୍ଟୋକରେନ୍ସି ମାୟାଜାଲରେ ପଡ଼ି କୋଟିଏ ଟଙ୍କା ହରାଇଲେଣି ୬ ଜଣ। ସୋସିଆଲ୍ ମିଡିଆରେ ଭିଡିଓକୁ ଲାଇକ, ସେୟାର କରିବା କାମରେ ନିୟୋଜିତ ହୋଇଥିବା ନିବେଶକ ପରବର୍ତ୍ତି ସମୟରେ କ୍ରିପ୍ଟୋକରେନ୍ସି ଜାଲରେ ପଡ଼ିଯାଇଛନ୍ତି। ପ୍ରତି କ୍ରିପ୍ଟୋକରେନ୍ସି କିଣାବିକା ବାବଦ ୨୦ ପ୍ରତିଶତ ଲାଭ ମିଳିବାର ପ୍ରତିଶ୍ରୁତି ଦେଇ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଅପରାଧୀ। କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଏପ୍ରିଲ-ମେରେ କୋଟିଏ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ଆସିଛି। ସମସ୍ତ ଅପରାଧରେ ସାଇବର୍ ଅପରାଧୀ ପ୍ରଥମେ ହ୍ବାଟସଆପରେ ନିବେଶକଙ୍କ ସହିତ ଯୋଡ଼ି ହୋଇଛନ୍ତି। ପରେ କ୍ରିପ୍ଟୋକରେନ୍ସିରେ କିଣାବିକା କରିବାକୁ କହି ଏହି ଟଙ୍କା ଲୁଟି ନେଇଛନ୍ତି। କଟକ ସମେତ ସାରା ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ହ୍ବାଟସଆପରେ ଵାର୍କ ଫ୍ରମ ହୋମ୍ ଚାକିରି ପାଇଁ ଆସୁଛି ବିଜ୍ଞାପନ। ଏହି ବିଜ୍ଞାପନରେ ୟୁଟ୍ୟୁବର ଚ୍ୟାନେଲ୍ ସବସ୍କ୍ରାଇବ, ଭିଡିଓ ଲାଇକ କରିବା ସହିତ ଗୁଗୁଲରେ ସମୀକ୍ଷା କରିବା ଓ ରେଟିଂ ଦେବା, ଫେସବକୁରେ ପୋଷ୍ଟ ଲାଇକ୍, ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ୍ କରିବାକୁ କୁହାଯାଉଛି। ଏହି ବିଜ୍ଞାପନରେ ଫସୁଥିବା ଗ୍ରାହକଙ୍କୁ ଟେଲିଗ୍ରାମରେ ଏକ ଗ୍ରୁପରେ ଯୋଡ଼ା ଯାଉଛି। ଏଥିରେ ଉପରୋକ୍ତ ସୋସିଆଲ୍ ମିଡିଆରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଟାସ୍କ ଦିଆଯାଇଥାଏ। ଏହି ଟାସ୍କ କରିବା ପୂର୍ବରୁ ନିବେଶକଙ୍କୁ ୨୦ ହଜାର ଟଙ୍କାରୁ ୬ ଲକ୍ଷ ଟଙ୍କା ଯାଏ ଜମା କରିବାକୁ କୁହାଯାଇଛି। ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପରେ ଏହାର ସ୍କ୍ରିନ ସର୍ଟକୁ ଗ୍ରୁପରେ ସେୟାର କରିବାକୁ କୁହାଯାଉଛି। ଟଙ୍କା ଜମା କରିବା ଟାସ୍କ ଦିଆଯାଉଛି। ପରେ ନିବେଶକଙ୍କୁ ଏକ ଲଗଇନ୍ ଆଇଡି ଓ ପାସଵାର୍ଡ ଦିଆଯାଉଛି। ଏହାକୁ ଲଗଇନ୍ କରିବା ପରେ ଏକ କ୍ରିପ୍ଟୋ ଟ୍ରେଡିଂ ପୋର୍ଟାଲ ପେଜ୍ ଖୋଲିଯାଉଛି। ଏହାକୁ ଖୋଲିବା ପରେ ପୋର୍ଟାଲରେ ଏକ ଭର୍ଚୁଆଲ୍ ଵାଲେଟ୍ ତିଆରି ହୋଇଯାଉଛି। ପେଜରେ ବିଟକଏନ(ବିଟିସି), ଇଥିରିୟମ(ଇଟିଏଚ୍) ନାଁରେ ଦୁଇଟି ଡିଜିଟାଲ୍ ମୁଦ୍ରା ଆସିଥାଏ। ଏଥିରେ ଏକ ଗ୍ରାଫ୍ ବି ଥାଏ। ଏହି ପେଜ୍ରେ ଉକ୍ତ କ୍ରିପ୍ଟୋ କରେନ୍ସି ବିକ୍ରି କରିବାକୁ କୁହାଯାଇଥାଏ। ବିକ୍ରି ବାବଦ ୨୦ ପ୍ରତିଶତ ଲାଭ ମିଳିବା ନେଇ କୁହାଯାଇଥାଏ। ଟେଲିଗ୍ରାମ୍ ଗ୍ରୁପରେ ଥିବା ସାଇବର୍ ଅପରାଧୀ ଏଭଳି ଏକାଧିକ ନିବେଶକଙ୍କୁ ଟଙ୍କା ମିଳିଥିବା ନେଇ ସ୍କ୍ରିନ୍ ସର୍ଟ ସେୟାର କରୁଛନ୍ତି। ଏହି ସ୍କ୍ରିନ ସର୍ଟ ଦେଖି ନିବେଶକ ବି ବିଶ୍ବାସ କରି ନେଉଛନ୍ତି। ପ୍ରକୃତରେ ଏହି ଟଙ୍କା ସାଇବର୍ ଅପରାଧୀ ପରସ୍ପର ମଧ୍ୟରେ ନେଣଦେଣ କରିଥାନ୍ତି। କୌଣସି ନିବେଶକଙ୍କୁ ଏହି ଟଙ୍କା ମିଳିନଥାଏ।
ଦିନ ସାରା କ୍ରିପ୍ଟୋ କରେନ୍ସି ବିକ୍ରି ଅର୍ଥରୁ ମିଳିଥିବା ଲାଭାଂଶ ସନ୍ଧ୍ୟାରେ ଭର୍ଚୁଆଲ୍ ଆକାଉଣ୍ଟରେ ଜମା ହୋଇଥାଏ। ନିବେଶକ ଏହାକୁ ବିଶ୍ବାସକୁ ନେଇଯାଏ। ଅସଲରେ ସେଭଳି କୌଣସି ଟଙ୍କା ଭର୍ଚୁଆଲ୍ ଆକାଉଣ୍ଟରେ ଜମା ହୋଇନଥାଏ। କିଛି ସମୟ ପରେ ଗ୍ରୁପରେ ଦିଆଯାଇଥିବା ଟାସ୍କ ଭୁଲ ଥିବା ସମ୍ପର୍କରେ ସୂଚନା ଦିଆଯାଇଥାଏ। ଆହୁରି ଟାସ୍କ କରିବାକୁ କୁହାଯାଏ। ଏଥିପାଇଁ ବି ନିବେଶକଙ୍କୁ ଟଙ୍କା ଜମା କରିବାକୁ କୁହାଯାଏ। ଟାସ୍କ ଠିକ୍ ହେଲେ ଜମା ହୋଇଥିବା ଟଙ୍କା ଦୁଇ ଗୁଣ ହୋଇ ଆସିବା ନେଇ ପ୍ରଲୋଭନ ଦେଖାଯାଇଥାଏ। ଏଭଳି କ୍ରମାଗତ ଭାବେ ସାଇବର ଅପରାଧୀ ନିବେଶକଙ୍କୁ କ୍ରିପ୍ଟୋକରେନ୍ସି ଓ ଟେଲିଗ୍ରାମ୍ ଟାସ୍କ ଜାଲରେ ଫସାଇ ଟଙ୍କା ଲୁଟି ଚାଲୁଛନ୍ତି। ଟଙ୍କା ଲୁଟ୍ ପରେ ଗ୍ରୁପରୁ ନିବେଶକଙ୍କୁ ସମ୍ପୂର୍ଣ୍ଣ ବିଦା କରି ଦିଆଯାଉଛି।
ସାଇବର୍ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସାଇବର୍ ଅପରାଧୀ ଟେଲିଗ୍ରାମ ଗ୍ରୁପରେ ଯୋଡ଼ିଥିବା ଗ୍ରାହକଙ୍କ ତାଲିକା କାହାରିକୁ ଦେଖା ଯାଇନଥାଏ। ଏହି ଗ୍ରୁପର ଆଡମିନ ଉଭୟଙ୍କ ମ୍ୟାସେଜ ଡିଲିଟ୍ କରିବାର ବ୍ୟବସ୍ଥା ରହିଛି। ଟେଲିଗ୍ରାମରେ କାରବାର କରିବା ସାଇବର ଅପରାଧୀଙ୍କ ପାଇଁ ଏଥିପାଇଁ ସହଜ ହେଉଛି ଯେ ଏଥିରେ ବ୍ୟବହାରକାରୀଙ୍କ ପରିଚୟ ଗୋପନୀୟ ରହୁଛି ଏବଂ ଏହାକୁ ସହଜରେ ଠାବ କରି ହେଉନାହିଁ। ଯାହାକି ସାଇବର୍ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଗଲା ୨ ତାରିଖରେ କଟକ ସହରର ଜଣେ ମହିଳାଙ୍କ ହ୍ୱାଟସଆପକୁ ଏକ ଲିଙ୍କ୍ ଆସିଥିଲା। ଏହି ଲିଙ୍କରେ ଟ୍ରେଡିଂ କରିବାକୁ କୁହାଯାଇଥିଲା। ପରେ ଟେଲିଗ୍ରାମ୍ ମାଧ୍ୟମରେ ନିବେଶ କରୁଥିବା ଅର୍ଥ ଡବଲ୍ ହୋଇଯାଉଥିଲା। କିନ୍ତୁ ଯେତେବେଳେ ଏକାଧିକ ପର୍ଯ୍ୟାୟରେ ୨୧ ଲକ୍ଷ ଟଙ୍କା ନିବେଶ କଲେ ଏହି ଟଙ୍କା ଫେରସ୍ତ ହେଲାନାହିଁ। ଟଙ୍କା ଗାଏବ୍ ହୋଇଯାଇଥିବା ନେଇ କଟକ ସାଇବର୍ ଥାନାରେ ଏତଲା ଦିଆଯାଇଥିଲା। ସେହିଭଳି ଆଉ ଜଣେ ଉଚ୍ଚଶିକ୍ଷିତା ମହିଳା ଚାକିରି ପାଇଁ ଅନଲାଇନରେ ଖୋଜାଖୋଜି କରୁଥିଲେ। ମହିଳାଙ୍କ ହ୍ବାଟସଆପ୍କୁ ଏକ ଅଜଣା ନମ୍ବର୍ରୁ ଲାଇକ, ସବସ୍କ୍ରାଇବ କାମ ପାଇଁ ପ୍ରସ୍ତାବ ଆସିଥିଲା। ପରେ ତାଙ୍କୁ ଟେଲିଗ୍ରାମ ଗ୍ରୁପରେ ଯୋଡ଼ାଯାଇଥିଲା। ଅନଲାଇନ୍ ଟାସ୍କ ଓ କ୍ରିପ୍ଟୋ କରେନ୍ସି ବାବଦ ୧୭ ଲକ୍ଷ ଟଙ୍କା ସାଇବର୍ ଅପରାଧୀ ତାଙ୍କର ଲୁଟି ନେଇଥିବା ୧୨ ତାରିଖରେ ଆଉ ଏକ ଅଭିଯୋଗ ସାମନାକୁ ଆସିଛି। ଏଭଳି ସିରିଜ୍ ମାମଲାରେ ନିବେଶକ ଦୁଇ ଗୁଣ ଅର୍ଥ ଲୋଭରେ ଫସିଥିବା ତଦନ୍ତରୁ ଜଣାପଡ଼ିଛି।