ରବିବାର କର୍କଟ କେନ୍ଦ୍ରରେ ଆଡମିସନ୍‌ ବନ୍ଦ, କେବଳ ଜରୁରୀ ଚିକିତ୍ସା

ରାଜ୍ୟ
Share

କଟକ: କ୍ୟାନସର୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ‘ପ୍ରତୀକ୍ଷା ଯନ୍ତ୍ରଣା ଅସହ୍ୟ ହେଲାଣି। ରିପୋର୍ଟ ମିଳିବା ବେଳକୁ ରୋଗୀଙ୍କ ଦୁର୍ଦ୍ଦଶା ବଢ଼ିଯାଉଛି। ରେଡିଏସନ୍‌ ଚିକିତ୍ସା ହେଉ ବା ବାୟୋପ୍‌ସି ଟେଷ୍ଟ; କେଉଁଠି ୭ରୁ ୧୦ ଦିନ ଅବା କେଉଁଠି ଦୁଇରୁ ତିନି ସପ୍ତାହ। ଅପେରେସନ୍‌ ପାଇଁ ବି ଲମ୍ବା ପ୍ରତୀକ୍ଷା। କେବଳ ସେତିକି ନୁହେଁ, ରବିବାର ଯଦି‌ କେହି ରୋଗୀ ଗୁରୁତର ଅବସ୍ଥାରେ ଏମରଜେନ୍ସି ୱାର୍ଡକୁ ଆସନ୍ତି ତେବେ ତାଙ୍କୁ ୱାର୍ଡରେ ଆଡମିସନ୍‌ ବି ମିଳୁନି। ରୋଗୀଙ୍କୁ ପରାମର୍ଶ ଦିଆଯାଉଛି, ‘ଧର୍ମଶାଳାରେ ରହିଯା, ପରଦିନ ଆସି ଓପିଡିରେ ଦେଖାଇଲେ ୱାର୍ଡରେ ଆଡମିସନ୍‌ ମିଳିବ। ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ରାଜ୍ୟର ସବୁଠାରୁ ବଡ଼ କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନକୁ ଆସୁଥିବା ରୋଗୀ। ରବିବାର କେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ଜରୁରୀକାଳୀନ ୱାର୍ଡରେ ଚିକିତ୍ସା କରାଯାଉଛି ସିନା, ୱାର୍ଡରେ ଆଡମିସନ୍‌ କରାଯାଉ ନାହିଁ।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟବାହାରୁ ଶତାଧିକ ରୋଗୀ ଚିକିତ୍ସା ପାଇଁ ଆସନ୍ତି। ଦିନକୁ ଦିନ ରୋଗୀସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ଉପରେ ଚାପ ବଢ଼ୁଛି। ପ୍ରତିଦିନ ପାଖାପାଖି ୨୫୦ଜଣ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବାବେଳେ ୪୦/୫୦ ଜଣ ରୋଗୀ ୱାର୍ଡରେ ଭର୍ତ୍ତି ହୁଅନ୍ତି। ହେଲେ, ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଉନ୍ନତମାନର ଚିକିତ୍ସା ଓ ମାଗଣା ବ୍ୟବସ୍ଥା ପରଠାରୁ ରୋଗୀଙ୍କ ସଂଖ୍ୟା ଢେର ବଢିଛି। ହେଲେ, ସେଇ ଅନୁପାତରେ ଚିକିତ୍ସା ପାଇଁ ଅପେକ୍ଷା ସମୟ ବି ବଢ଼ିଯାଇଛି। ବାୟୋପ୍‌ସି ପରୀକ୍ଷା ପାଇଁ ରୋଗୀଙ୍କୁ ୧୦/୧୨ଦିନ ଅପେକ୍ଷା କରିବାକୁ ପଡୁଥିବାବେଳେ ରେଡିଏସନ୍‌ ପାଇଁ ଦୁଇରୁ ତିନିସପ୍ତାହ ଓ ହେଡ୍‌ ଏଣ୍ଡ ନେକ୍‌ ବିଭାଗ ସର୍ଜରି ପାଇଁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡୁଛି। କାରଣ, ବିଭାଗରେ ୪ଜଣ ଡାକ୍ତରଙ୍କ ସ୍ଥାନରେ ଅଛନ୍ତି ୨ଜଣ ଡାକ୍ତର। ଯାଫଳରେ ରୋଗୀଙ୍କ ଅସ୍ତ୍ରୋପଚାର ବିଳମ୍ବ ହେଉଛି।
ଅନ୍ୟପଟେ ସର୍ଜିକାଲ୍‌ ଅଙ୍କୋଲୋଜିରେ ବି ୭ଜଣ ଡାକ୍ତରଙ୍କ ସ୍ଥାନରେ ୫ଜଣ ଅଛନ୍ତି। ଅବଶ୍ୟ, ୨ଜଣ ଡାକ୍ତରଙ୍କ ନିଯୁକ୍ତି ପାଇଁ ସମସ୍ତ ପ୍ରକ୍ରିୟା ସରିଥିବାରୁ ସେମାନେ ଖୁବ୍‌ ଶୀଘ୍ର କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି। ଏପଟେ ରୋଗୀ ବାୟୋପ୍‌ସି ରିପୋର୍ଟ ବାହାରୁ ପରୀକ୍ଷା କରି ଆଣିଲେ ତାକୁ କେନ୍ଦ୍ର ଗ୍ରହଣ କରୁନି। କେନ୍ଦ୍ରରେ ଆଡମିସନ୍‌ ପାଇଁ ପୁଣି ଥରେ କେନ୍ଦ୍ରରେ ବାୟୋପ୍‌ସି ଟେଷ୍ଟ କରାଯାଉଛି। ଯାଫଳରେ ରୋଗୀଙ୍କ ପରୀକ୍ଷା ରିପୋର୍ଟ ପାଇବାରେ ବିଳମ୍ବ ହେଉଛି। ରବିବାର ବି ୱାର୍ଡରେ ଦାଖିଲା ନିଆଯାଉନି।
ରବିବାର ଦିନ ଜଗତ୍‌ସିଂହପୁର ଜିଲ୍ଲାର ଜଣେ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ପରିବାରବର୍ଗ ଚିକିତ୍ସା ପାଇଁ କର୍କଟ କେନ୍ଦ୍ର କାଜୁଆଲିଟିକୁ ଆଣିଥିଲେ। ରୋଗୀ ବେଡ୍‌ରୁ ଉଠିବା ଅବସ୍ଥାରେ ନଥିବା ବେଳେ ଡାକ୍ତର ତାଙ୍କୁ ଆଡମିଟ୍‌ ନ କରି ଧର୍ମଶାଳାକୁ ଯିବାକୁ ପରାମର୍ଶ ଦେଇଥଇଲେ। ‘ଆଜି ୱାର୍ଡରେ ଆଡମିସନ୍‌ ହୋଇପାରିବନି, ବରଂ ରାତିରେ ଧର୍ମଶାଳାରେ ରହନ୍ତୁ ଓ ସୋମବାର ସକାଳେ ଆସି ଓପିଡିରେ ଦେଖାଇବା ପରେ ୱାର୍ଡରେ ଆଡମିସନ୍‌ କରାଯିବ ବୋଲି ପରାମର୍ଶ ଦେଇଥିଲେ। ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ସଂପର୍କୀୟ କେମିତି ତାଙ୍କୁ ଧର୍ମଶାଳାକୁ ନେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି। କେବଳ ଏହି ଘଟଣା ନୁହେଁ, ପ୍ରତି ଛୁଟିଦିନ ୱାର୍ଡରେ ଆଡମିସନ୍‌ କରାଯାଉ ନ ଥିବାରୁ ରୋ‌ଗୀ ଓ ସଂପର୍କୀୟଙ୍କୁ ଏଭଳି ହନ୍ତସନ୍ତ ହେବାକୁ ପଡୁଛି। ରାଜ୍ୟରେ କର୍କଟ ରୋଗର ସର୍ବବୃହତ ସରକାରୀ ରେଫେରାଲ୍‌ ହସପିଟାଲ୍‌ରେ ଯଦି ଏଭଳି ଅବସ୍ଥା, ତେବେ ରୋଗୀ ଓ ସମ୍ପର୍କୀୟ ଆଉ କାହା ପାଖକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *