ରଥଖଳା ଚଳଚଞ୍ଚଳ: ୩୩ ଚକ ନିର୍ମାଣ କାର୍ଯ୍ୟ ଶେଷ

ରାଜ୍ୟ
Share

ପୁରୀ : ରଥଖଳାରେ ରବିବାର ସୁଦ୍ଧା ତିନି ରଥର ୪୨ଟି ଚକ ମଧ୍ୟରୁ ୩୩ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଶନିବାର ଦିନ ତିନି ରଥର ୨୭ଟି ଚକ ନିର୍ମାଣ ଶେଷ ହୋଇଥିବା ବେଳେ ରବିବାର ଦିନ ୬ଟି ନିର୍ମାଣ ହୋଇଛି। ତାଳଧ୍ବଜ ରଥର ମୋଟ୍‌ ୧୪ଟି ଚକରୁ ରବିବାର ସୁଦ୍ଧା ୧୧ଟି ଶେଷ ହୋଇଛି। ୧୨ତମ ଚକର ତୁମ୍ବ ଅରରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧରେ ଠେକ ତୁଲିଆ କାର୍ଯ୍ୟ ଜାରି ରହିଛି। ୧୩ତମ ଚକର ତୁ୍ମ୍ବରେ ସିଙ୍ଗଡ଼ା ବାଡ଼ିଆ ଶେଷ ହୋଇଛି।
ଦର୍ପଦଳନ ରଥର ଶନିବାର ସୁଦ୍ଧା ୯ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ରବିବାର ୧୦ମ ଚକର ତୁମ୍ବରେ ପଇ ପିନ୍ଧା ସରି ତୁମ୍ବ ଅଖ ବିନ୍ଧର ଠେକ ତୁଲିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ସେହିପରି ନନ୍ଦିଘୋଷ ରଥର ମୋଟ୍‌ ୧୬ ଟି ଚକରୁ ୧୩ ଟି ଚକ ନିର୍ମାଣ ଶେଷ ହୋଇଛି। ୧୪ତମ ଚକ ପାଇଁ ପଇ ବିନ୍ଧ ଜାରି ରହିଛି। ତିନିରଥର ରୂପକାର ସେବକ ତିନିରଥ ପାଇଁ ଉଦ୍ଦିଷ୍ଟ କୋଣ ଗୁଜଗୁଡ଼ିକରେ ନୃସିଂହ ରୂପ ଖୋଦେଇ ଜାରି ରଖିବା ସହ ଖୋଦେଇ ଶେଷ ହୋଇଥିବା ରୂପ ଗୁଡିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ଓଝା ସେବକମାନେ ତିନିରଥର ପନ୍ଦାରି, ବଳା, ପନ୍ଦାରି ଚାବି ଶେଷ ପରେ ତିନି ରଥର ଦଣ୍ଡା କଣ୍ଟା, ଗୟଳ କଣ୍ଟା, ଯୋଖା କଣ୍ଟା ନିର୍ମାଣ କରୁଛନ୍ତି।

Leave a Reply

Your email address will not be published. Required fields are marked *